ରାଜ୍ୟ

ବଳ ଝଡ଼ିଗଲା: କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଅଧିକ ପ୍ରଭାବିତ

ଭୁବନେଶ୍ବର: ଭିତରକନିକା ଅନ୍ତର୍ଗତ ହବାଳିଖଟି ନେଚର୍ କ୍ୟାମ୍ପ ନିକଟରେ ଗୁରୁବାର ଅଧ ରାତିରେ ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଦାନା’। ଏହାର ପ୍ରଭାବ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଛି। ଏହି ଜିଲ୍ଲାଗୁଡ଼ିକର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ହୋଇଛି। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି।

ଅନେକ ଘରର ଚାଳ ଛପର ଓ ଆଜବେଷ୍ଟସ୍ ଉଡ଼ିଯାଇଛି। କେଉଁଠି ମାଟିକାନ୍ଥଘର ଭାଙ୍ଗିଯିବାର ଚିତ୍ର ସାମ୍ନାକୁ ଆସିଛି ତ ଆଉ କେଉଁଠି ଗଛ ଡାଳ ପଡ଼ି ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡିଛି। ଜୁଆର ମାଡ଼ି ଆସିବାରୁ ସମୁଦ୍ର କୂଳବର୍ତ୍ତୀ ଗାଁ ଭିତରକୁ ପାଣି ପଶି ଆସିବା ଦ୍ବାରା ଶତାଧିକ ପରିବାର ଜଳବନ୍ଦି ଅବସ୍ଥାରେ ରହିଛନ୍ତି। କେବଳ ଏହି ତିନି ଜିଲ୍ଲା ନୁହେଁ, ବାତ୍ୟାର ପ୍ରଭାବ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ପଡ଼ିଛି। ତୁହାକୁ ତୁହା ପବନ ସାଙ୍ଗକୁ ବର୍ଷା ଲାଗିରହିଥିବାରୁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ ଜିଲ୍ଲାରେ ବର୍ଷା ଲାଗିରହିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗୁରୁବାର ରାତି ପ୍ରାୟ ୧୨ଟାରେ ସ୍ଥଳଭାଗ ଛୁଇଁଥିବା ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ସାଧାରଣତଃ ୫ରୁ ୬ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡ୍ଫଲ ପ୍ରକ୍ରିୟା ଶେଷ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିଲା। ତେବେ ଆଜି ସକାଳ ୯ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ କହିବାନୁଯାୟୀ ଦୁଇଟି ଆଣ୍ଟି ସାଇକ୍ଲୋନିକ୍ ସର୍କୁଲେସନ ପାଇଁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ଲ୍ୟାଣ୍ଡଫଲ୍ ପରେ ବାତ୍ୟାଟି ଧାମରାର ଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହୋଇ ଅବପାତର ରୂପ ଧାରଣ କରିଛି। ରାତି ସୁଦ୍ଧା ଲଘୁଚାପରେ ପରିଣତ ହୋଇଥିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଦାନା’ ଲଘୁଚାପରେ ପରିଣତ ହୋଇଛି। ଏହା ଉପକୂଳରେ କ୍ରମଶଃ ଦକ୍ଷିଣକୁ ଗତି କରି ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଯିବ। ପ୍ରଭାବରେ ସାରା ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତ ମେଘୁଆ ପାଗ ଲାଗିରହିବ। ତେବେ ଶୁକ୍ରବାର ପରେ ବର୍ଷା କମିବ। ହାଲୁକାରୁ ସ୍ପଳ୍ପ ବର୍ଷା ହୋଇପାରେ। ଦୀପାବଳି ପର୍ଯ୍ୟନ୍ତ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇପାରେ। ଶନିବାର ପାଗ କୋହଲା ରହିବାକୁ ଥିବା ବେଳେ ରବିବାର ପାଗ ଖରାଟିଆ ହେବା ନେଇ ସେ ପୂର୍ବାନୁମାନ କରିଛନ୍ତି।

କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଅଧିକ ପ୍ରଭାବିତ
ସ୍ଥଳଭାଗ ଛୁଇଁବା ପରେ ପ୍ରକୋପ କମିଯାଇଥିଲା
ଗଛ ଉପୁଡ଼ିଲା, ଘର ଭାଙ୍ଗିଲା, ବିଦ୍ୟୁତ୍ ସେବା ଠପ୍
ବୁଢ଼ାବଳଙ୍ଗ ଉପରମୁଣ୍ଡରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ସେପଟେ ବାତ୍ୟା ବିପଦ ଟଳିଥିବା ବେଳେ ବର୍ଷା ଜାରି ରହିଛି। ଆସନ୍ତାକାଲି(ଶନିବାର) ସକାଳ ୮ଟା୩୦ ପର୍ଯ୍ୟନ୍ତ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ଅତିରୁ ଅତିପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଅର୍ଥାତ୍ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୀଷଣ ବାତ୍ୟା ପ୍ରଭାବରେ ଗତକାଲିଠାରୁ ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିମି ବର୍ଷା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ୧୫୬ ମିମି, ଭଦ୍ରକ ଜିଲ୍ଲା ବାସୁଦେବପୁର, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ୧୧୦ ମିମି ଲେଖାଏ, ରାଜନଗରରେ ୧୦୦, ମହାକାଳପଡ଼ାରେ ୯୦, ଆଳିରେ ୮୦, ଡେରାବିଶରେ ୭୨, କେନ୍ଦ୍ରାପଡ଼ାରେ ୬୭.୨, ପଟ୍ଟାମୁଣ୍ଡାଇରେ ୬୫.୯ ଓ ଗରଦପୁରରେ ୫୨, ପାରାଦୀପରେ ୭୬.୪, ଭଦ୍ରକରେ ୭୦.୨, ବାଲେଶ୍ବରରେ ୬୮.୮, ଯାଜପୁରରେ ୬୮.୨, ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ୬୦ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସାଢ଼େ ୫ଟା ମଧ୍ୟରେ ଯାଜପୁରରେ ୧୧୦ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୧୦୬.୭, ବାଲେଶ୍ବରରେ ୬୮.୮, ବାରିପଦାରେ ୪୦.୪, କେନ୍ଦ୍ରାପଡ଼ାରେ ୨୦.୨, କଟକରେ ୯.୨, କେନ୍ଦୁଝରରେ ୭.୩, ଜଗତ୍ସିଂହପୁରରେ ୭.୨, ପାରାଦୀପରେ ୭.୧ ମିମି ବର୍ଷା ହୋଇଛି। ବାତ୍ୟା ଜନିତ ବର୍ଷା ପ୍ରଭାବରେ ବନ୍ୟା ଆଶଙ୍କା ଦେଖାଦେଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ସାଳନ୍ଦୀ, ଜଳକା, ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ଆଦି ଫୁଲୁଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେଲେ ଶିମିଳିପାଳରୁ ପାଣି ଆସି ବୁଢାବଳଙ୍ଗ ନଦୀରେ ପଶିବାକୁ ଥିବାରୁ ବନ୍ୟା ଆସିପାରେ ବୋଲି ଆଶଙ୍କା କରାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button