ରାଜ୍ୟ

‘ଦାନା’କୁ ଚାପିଦେଲା ଗୁରୁଚାପ

ଭୁବନେଶ୍ବର: କାହିଁକି ଦୁର୍ବଳ ହେଲା ଏହି ଭୀଷଣ ବାତ୍ୟା? ଅଳ୍ପ କିଛି ଜିଲ୍ଲା ଭିତରେ କାହିଁକି ସଙ୍କୁଚିତ ହୋଇଗଲା? ଏହାର ଭୀଷଣ କାୟା କୁଆଡ଼େ ଗଲା? ସାଧାରଣରେ ଏଭଳି ଚର୍ଚ୍ଚା ହେଉଥିବା ବେଳେ ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ଦୁଇଟି ଗୁରୁଚାପ ବଳୟ ପ୍ରଭାବରେ ‘ଦାନା’ ଅଧିକ ଶକ୍ତିଶାଳୀ ହୋଇପାରିଲା ନାହିଁ। ଅସଙ୍ଗଠିତ ଅବସ୍ଥାରେ ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା।

ଦମ୍ ଦେଖାଇବା ଆଗରୁ ଦୁର୍ବଳ ହୋଇଯାଇଥିଲା। ବାୟୁମଣ୍ଡଳର ଲଘୁଚାପ-ଗୁରୁଚାପ ପ୍ରଭାବରେ ଘାଣ୍ଟି ହେବାରୁ ‘ଦାନା’ ଓଡ଼ିଶାରେ ସେତେଟା ପ୍ରଭାବ ଦେଖାଇପାରିଲା ନାହିଁ। ଯେଉଁଠି ଲ୍ୟାଣ୍ଡଫଲ୍ କଲା ସେଇଠି ପ୍ରବଳ ବର୍ଷିଲା, ଜୋର୍ ପବନ ବି ହେଲା। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାରେ ପ୍ରଭାବ ପକାଇପାରିଲା ନାହିଁ। ଆକଳନ ଅନୁଯାୟୀ ପବନ ହେଲା ନାହିଁ କି ଜୋର୍ ବର୍ଷିଲା ନାହିଁ।

ବର୍ଷାର ବିସ୍ତୃତି କମିବା ପଛରେ, ଦୁଇଟି ଆଣ୍ଟି-ସାଇକ୍ଲୋନିକ୍ ସର୍କୁଲେସନ୍ ବା ଗୁରୁଚାପ ବଳୟ ରହିଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି। ୨୩ ତାରିଖ ପର୍ଯ୍ୟନ୍ତ ବାତ୍ୟା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନୁକୂଳ ପରିବେଶରେ ଥିଲା। ଏହା ସମୁଦ୍ରରେ ବଳ ଗୋଟାଇବା ସହ ଉତ୍ତର ପଶ୍ଚିମ ଦିଗ ଅର୍ଥାତ୍ ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଥିଲା। ତେବେ ପଶ୍ଚିମ ବଙ୍ଗୋପସାଗରରେ ପଶିବା ମାତ୍ରେ ଦୁଇଟି ଶକ୍ତିଶାଳୀ ଗୁରୁଚାପ ବଳୟ ବାତ୍ୟାକୁ ଦୁଇ ପାର୍ଶ୍ବରୁ ଘେରି ଧରିଥିଲେ। ଗୋଟିଏ ପଶ୍ଚିମରେ ଆରବ ସାଗର ଅଞ୍ଚଳରୁ ଆସୁଥିବା ଗୁରୁଚାପ ବଳୟ ଏବଂ ଅନ୍ୟଟି ମିଆଁମାର ନିକଟ ଇଣ୍ଡୋ-ପାସିଫିକ୍ ଅଞ୍ଚଳର ଗୁରୁଚାପ ବଳୟ। କେବଳ ଏତିକି ନୁହେଁ, ଉତ୍ତର ପଶ୍ଚିମ ଗୁରୁଚାପ ବଳୟରୁ ଶୁଷ୍କ ଓ ଉଷ୍ମ ବାୟୁ ବାତ୍ୟା ଭିତରେ ପଶି ତାକୁ ଶକ୍ତିହୀନ କରିଥିଲା। ଫଳରେ ବାତ୍ୟା ନିଜର ଆକାର ବଢ଼ାଇ ପାରିଲା ନାହିଁ ଏବଂ କ୍ରମାଗତ ଭାବେ ଦୁର୍ବଳ ହୋଇଗଲା। ହେନ୍ତାଳବନ ଓ ସ୍ଥଳଭାଗ ପ୍ରତିକ୍ରିୟା ଦ୍ବାରା ଏହା ବିଶେଷ ଶକ୍ତିଶାଳୀ ହୋଇପାରି ନ ଥିବା ଅନ୍ୟ ଏକ କାରଣ ବୋଲି ମତପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button