IBN ଓଡ଼ିଶା ବ୍ୟୁରୋ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଜାତିଆଣ ଭେଦଭାବ: ଅଭିଯୋଗ ଆଣିଲେ ଭାରତୀୟ ଛାତ୍ରୀ

ନୂଆଦିଲ୍ଲୀ: ଜଣେ ଭାରତୀୟ ଛାତ୍ରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ବିରୋଧରେ ଜାତିଆଣ ଭେଦଭାବ ଏବଂ ପିଏଚ୍ଡି ପ୍ରୋଗ୍ରାମ୍ରୁ ତାଙ୍କୁ ବଳପୂର୍ବକ ବାହାର କରିବା ନେଇ ଅଭିଯୋଗ ଆଣିଛନ୍ତି। ତାମିଲନାଡୁ ମଦୁରାଇର ଲକ୍ଷ୍ମୀ ବାଲକ୍ରିଷ୍ଣନ୍ ଏହି ସମ୍ମାନଜନକ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକମାନେ ସଚ୍ଚୋଟ ଭାବରେ କାର୍ଯ୍ୟ କରୁ ନ ଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ଲକ୍ଷ୍ମୀ ଦାବି କରିଛନ୍ତି ଯେ ଇଂରାଜୀ ବିଭାଗ ଦ୍ବାରା ସେକ୍ସପିୟରଙ୍କ ବିଷୟରେ ତାଙ୍କ ଥେସିସ୍ ଆବେଦନ ପର୍ଯ୍ୟାୟରେ ଗ୍ରହଣ କରାଯାଇଥିଲା। ଏହାପରେ ସେ ୨୦୧୮ ମସିହାରେ ବିଶ୍ୱବିଦ୍ୟାଳୟରେ ପିଏଚ୍ଡି କରିବା ପାଇଁ ଯୋଗ ଦେଇଥିଲେ। ତେବେ ଚତୁର୍ଥ ବର୍ଷରେ ତାଙ୍କୁ ପିଏଚ୍ଡି ପାଠ୍ୟକ୍ରମରୁ ହଟାଇ ମାଷ୍ଟର ଡିଗ୍ରି ସ୍ତରକୁ ଖସାଇ ଦିଆଯାଇଥିଲା। ଏହା ପ୍ରକୃତରେ ଚୁକ୍ତିର ଉଲ୍ଲଂଘନ କାରଣ ସେ ଅକ୍ସଫୋର୍ଡରେ ଆବେଦନ ବେଳେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ସେ ସେକ୍ସପିୟରଙ୍କ ଉପରେ ପିଏଚ୍ଡି କରିବାକୁ ଯାଉଛନ୍ତି। ଅକ୍ସଫୋର୍ଡରେ ତାଙ୍କ ଆବେଦନ ସମୟରୁ ତାଙ୍କ ପିଏଚ୍ଡି ଥେସିସ୍ର ପରିସର ସମାନ ରହିଛି। ତେଣୁ ତାଙ୍କୁ ପିଏଚ୍ଡିରୁ ବାଦ୍ ଦେବା ମୌଳିକ ଚୁକ୍ତିର ଉଲ୍ଲଂଘନ।

ଲକ୍ଷ୍ମୀ ବିବିସିକୁ କହିଛନ୍ତି, ସେମାନେ ମୋତେ ଜୋରଜବରଦସ୍ତ ପିଏଚ୍ଡି ପ୍ରୋଗ୍ରାମ୍ରୁ ହଟାଇ ମୋର ବିନା ସମ୍ମତିରେ ମାଷ୍ଟର ସ୍ତରର ପାଠ୍ୟକ୍ରମକୁ ସ୍ଥାନାନ୍ତର କରିଥିଲେ। ସେ କହିଛନ୍ତି ଯେ, ତାଙ୍କ ନାମରେ ପୂର୍ବରୁ ଦୁଇଟି ମାଷ୍ଟର ଡିଗ୍ରି ରହିଛି ଏବଂ ପିଏଚ୍ଡି କରିବା ସମୟରେ ସେ ପାଖାପାଖି ୧,୦୦,୦୦୦ ପାଉଣ୍ଡ ଖର୍ଚ୍ଚ କରିଛନ୍ତି। ତେଣୁ ତାଙ୍କୁ ଆଉ ଏକ ମାଷ୍ଟର ଡିଗ୍ରି କରିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ। ବିବିସି ଅନୁଯାୟୀ, ଦୁଇ ଜଣ ଭିନ୍ନ ଭିନ୍ନ ମୂଲ୍ୟାଙ୍କନକାରୀ ତାଙ୍କୁ ଅକୃତକାର୍ଯ୍ୟ କରିଥିଲେ। ଏହାପରେ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍ଷ୍ମୀ କହିଛନ୍ତି, ବିଶ୍ୱବିଦ୍ୟାଳୟର ରଣନୀତି ହେଉଛି ମୋତେ ଅସୀମ ଆବେଦନ ଓ ଅଭିଯୋଗ ପ୍ରକ୍ରିୟା ଦେଇ ଯିବାକୁ ବାଧ୍ୟ କରିବା, ଯାହାଫଳରେ ମୁଁ ଶେଷରେ ହାର ମାନିବି ଓ ଛାଡ଼ିଦେବି। ତେବେ ଲକ୍ଷ୍ମୀ ଅଧ୍ୟୟନ କରିଥିବା କୁଇନ୍ସ କଲେଜ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ତାଙ୍କ ପ୍ରତି କରାଯାଇଥିବା ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛି। ବିବୃତିରେ ଦର୍ଶାଯାଇଛି ଯେ ଦୁଇଟି ମୂଲ୍ୟାୟନରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଥେସିସ୍ରେ ଦମ୍ ଅଛି ଯାହା ପିଏଚ୍ଡି ପାଇବାକୁ ଯୋଗ୍ୟ। ପ୍ରଫେସର ତାଙ୍କୁ ଏଭଳି ଭାବେ ଟାର୍ଗେଟ କରିବା ପଛରେ ଜାତିଗତ ଭେଦଭାବ ଏକମାତ୍ର କାରଣ ବୋଲି ଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଅକ୍ସଫୋର୍ଡରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରତି ଗଭୀର ପକ୍ଷପାତିତା ଓ ଭେଦଭାବ ରହିଛି ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button