ରାଜ୍ୟ

ଇସ୍କନ ଅଦିନିଆ ରଥଯାତ୍ରା : ଗଜପତିଙ୍କ ଚିଠିକୁ ବି ହେୟଜ୍ଞାନ

ପୁରୀ: ପୁଣିଥରେ ଇସ୍କନ ଅଦିନିଆ ରଥଯାତ୍ରାର ଆୟୋଜନ କରିଛି। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନର ବିଧି ରହିଥିବା ବେଳେ ଆସନ୍ତା ନଭେମ୍ବର ୯ ତାରିଖରେ ଆମେରିକାଠାରେ ଇସ୍କନ ରଥଯାତ୍ରାର ଆୟୋଜନ କରିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ଭକ୍ତ, ସେବାୟତ ଏହାର ବିରୋଧ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବି ଏହାର ଦୃଢ଼ ବିରୋଧ କରିଛନ୍ତି।

ଇସ୍କନର ହଷ୍ଟନ୍ ଶାଖା ପକ୍ଷରୁ ଚଳିତବର୍ଷ ନଭେମ୍ବର ୯ ତାରିଖରେ ଆମେରିକାର ଲିଜିଅନ୍ ପାର୍କଠାରେ ରଥଯାତ୍ରା ଆୟୋଜନ କରାଯାଉଛି। ସେମାନେ ନିଜ ୱେବ୍ସାଇଟ୍ ଓ ସାମାଜିକ ଗଣମାଧ୍ୟମରେ ଏହି ଅଦିନିଆ ରଥଯାତ୍ରା ସଂପର୍କିତ ପୋଷ୍ଟ କରିଛନ୍ତି। ସେଦିନ ଆମେରିକା ସମୟ ଅନୁସାରେ ପୂର୍ବାହ୍ଣ ସାଢ଼େ ୧୦ଟାରୁ ରଥଯାତ୍ରା ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷ ହେବ। ୨୦୦୭ ମସିହା ପରଠାରୁ ଇସ୍କନ କର୍ତ୍ତୃପକ୍ଷଙ୍କ ଏଭଳି ବିଶୃଙ୍ଖଳିତ କାର୍ଯ୍ୟକଳାପ ଦେଖାଦେଲାଣି। ସେବର୍ଷ ଅକ୍ଟୋବର ୭ରେ ଲୁଧିଆନାଠାରେ ଓ ଡିସେମ୍ବର ୨୩ରେ ଦିଲ୍ଲୀଠାରେ ଇସ୍କନ୍ ରଥଯାତ୍ରା ଆୟୋଜନ କରିଥିଲା। ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଆପତ୍ତି ଜଣାଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବି ଚିଠି ଯାଇଥିଲା। ଏହା ପରେ ବି ଇସ୍କନ ଏହି କାର୍ଯ୍ୟକ୍ରମରୁ ବିରତ ହୋଇନଥିଲା। ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଇସ୍କନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।

ଗଜପତିଙ୍କ ଚିଠିକୁ ବି ହେୟଜ୍ଞାନ
୨୦୦୭ ମସିହାରୁ ଉଠିଲାଣି ସ୍ବର
ତଥାପି ଶୁଣୁନାହାନ୍ତି ଇସ୍କନ୍ କର୍ତ୍ତୃପକ୍ଷ

ଗଜପତି ମହାରାଜା ମଧ୍ୟ ଅଦିନ ରଥଯାତ୍ରା ନେଇ କ୍ଷୋଭ ପ୍ରକାଶ କରିବା ସହ କହିଥିଲେ, ଶ୍ରୀମନ୍ଦିର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳ ପୀଠ ଓ ଏଠାରେ ମୂଳ ବିଗ୍ରହ ପୂଜା ପାଉଛନ୍ତି। ଅଗଣିତ ଭକ୍ତଙ୍କୁ ଆଶିଷ ଢାଳିବା ପାଇଁ କେବଳ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ବାହାରକୁ ଆସିଥାନ୍ତି ଚତୁର୍ଦ୍ଧା ବିଗ୍ରହ। ଏଣୁ କେବଳ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ହେବା ଦରକାର। ସ୍କନ୍ଦ ପୁରାଣ, ନୀଳାଦ୍ରି ମହୋଦୟରେ ଉଲ୍ଲେଖ ତଥ୍ୟ ସଂପର୍କିତ କାଗଜପତ୍ର ବି ଗଜପତି ଇସ୍କନ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। ୨୦୧୯ ମସିହାରେ ବି ଗଜପତି ମହାରାଜା ଇସ୍କନ୍ କର୍ତ୍ତୃପକ୍ଷଙ୍କ ସହ ବୈଠକ କରିଥିଲେ। ପରେ ଗତ ୨୦୨୧ ଜୁଲାଇ ୨୨ ତାରିଖରେ ଭାରତର ଇସ୍କନ ବ୍ୟୁରୋ ପକ୍ଷରୁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଯେଉଁଥିରେ କେବଳ ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ତ୍ରୟୋଦଶୀ ମଧ୍ୟରେ ରଥଯାତ୍ରା ପାଳନ କରିବାକୁ କୁହାଯାଇଥିଲା। ଏହାସତ୍ତ୍ବେ ଆମେରିକାରେ ରଥଯାତ୍ରା ପାଳନ କରାଯିବା ସଂକ୍ରାନ୍ତ ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀଜଗନ୍ନାଥ ଗବେଷକ ମତ ଦେଇଛନ୍ତି।

ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା ପାଳିତ ହେଉଛି। ଏହା ଶାସ୍ତ୍ର ସମ୍ମତ। ଇସ୍କନ୍ କର୍ତ୍ତୃପକ୍ଷ ଶ୍ରୀଜଗନ୍ନାଥଙ୍କ ଭକ୍ତ ବୋଲଉ ଥିଲେ ବି ବିଧି ବ୍ୟବସ୍ଥାକୁ ମାନୁନାହାନ୍ତି। ସେମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଖେଳଣା କି କାଠ କଣ୍ଢେଇ ଭାବି ଦେଉଛନ୍ତି। ମୂଳପୀଠକୁ ଅନୁସରଣ କରିବା ଜରୁରୀ। ରାଜ୍ୟ ସରକାର ହସ୍ତକ୍ଷେପ କରିବା ଲାଗି ଡ. ଦାଶ ଦାବି କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button