ରାଜ୍ୟ

୧୦୭ ଗାଁକୁ ରାସ୍ତା ନାହିଁ, ୨୨୯ ଗାଁରେ ପହଞ୍ଚିନି ବିଜୁଳି

ନୟାଗଡ଼: ସରକାର ପରେ ସରକାର ବଦଳି ଚାଲିଛି। ନୟାଗଡ଼ ଜିଲ୍ଲାରୁ ଏକାଧିକ ନେତା ବାରମ୍ବାର ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ତଥାପି ଏବେ ବି ଜିଲ୍ଲାର ଦୁଇ ଶହରୁ ଊର୍ଦ୍ଧ୍ବ ଗାଁର ଅବସ୍ଥା ଅତ୍ୟନ୍ତ ସଙ୍ଗିନ। ଏହି ଗାଁଗୁଡ଼ିକରେ ମୋବାଇଲ ସେବା, ବିଦ୍ୟୁତ୍ ଯୋଗାଣ ସହ ରାସ୍ତା ଓ ମୌଳିକ ସୁବିଧା ନାହିଁ। ଏ ସମ୍ପର୍କରେ ହାଇକୋର୍ଟଙ୍କ ନିକଟରେ ଜିଲ୍ଲା ପ୍ରଶାସନ ଖୋଦ୍ ସତ୍ୟପାଠରେ ଉଲ୍ଲେଖ କରିଛି।

ମିଳିଥିବା ସୂଚନା ମୁତାବକ, ଜିଲ୍ଲାର ୧୬୭୨ ଗାଁ ମଧ୍ୟରୁ ୨୪୭ ଗାଁରେ ମୋବାଇଲ ସେବା, ୨୨୯ ଗାଁରେ ବିଜୁଳି ଯୋଗାଣ ଓ ୧୦୭ ଗାଁକୁ ରାସ୍ତା କିମ୍ବା ଅନ୍ୟାନ୍ୟ ମୌଳିକ ସୁବିଧା ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରୁ ଜଣାପଡ଼ିଥିଲା। ସବୁଠୁ ଅଧିକ ଅବହେଳିତ ଗଣିଆ ବ୍ଲକ୍ର ବଡ଼ସିଲିଙ୍ଗା ପଞ୍ଚାୟତର ଆଦିବାସୀ ଗାଁ ବୁରିଆପାଜୁ ସେରେଣ୍ଡା, ବେଦାଡ଼ି, ଡମାଘାଟି, କୁମୁରି, ତୁଡ଼ୁଙ୍ଗି, କୁଚୁମରା ଓସାମସ୍କା, ତାଲାବାରି, ଧଉରାବଣି, ବଳିଆ ଝର, ଢିପିସାହି, ସେକେଟାପଲି, ଭାଲିଆପଦର, ମୂଷିଗୁଡ଼ା ଭଳି ବହୁ ଆଦିବାସୀ ଗାଁକୁ ରାସ୍ତା ନାହିଁ, ପାନୀୟ ଜଳଯୋଗାଣ ଓ ବିଦ୍ୟୁତ୍ ପହଞ୍ଚିନି।

ଏହା ସହ ଏହି ଅଞ୍ଚଳରେ ଫୋନ୍ ସେବା ମଧ୍ୟ ନାହିଁ। ଜଙ୍ଗଲ ଜମିପଟ୍ଟା ଏମାନଙ୍କୁ ଦିଆଯାଇନାହିଁ। ଗତ ୨୨ ତାରିଖରେ ଏହି ବ୍ଲକ୍ର ତିନି ଗାଁ ସଲପଗଣ୍ଡା, ମୂଷିଗୁଡ଼ା ଓ ଖଣ୍ଡପଡ଼ାର ସାଧୁଆପଲ୍ଲୀର ସମସ୍ୟାକୁ ନେଇ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଛି। ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବ ହାଜର ହୋଇ ସତ୍ୟପାଠ ମାଧ୍ୟମରେ ଏହି ତିନି ଗାଁକୁ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଶକ୍ତି ବିଭାଗର ପ୍ରମୁଖ ସଚିବଙ୍କୁ ମଧ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ ଅବଗତ କରାଯାଇଥିବା ସେ ଖଣ୍ଡପୀଠଙ୍କ ସାମ୍ନାରେ ଉଲ୍ଲେଖ କରିଥିଲେ। ଆସନ୍ତା ମାସ ୫ରେ ଶକ୍ତି ସଚିବ ଓ ନୟାଗଡ଼ ଜିଲ୍ଲାପାଳ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେବା ପରେ ସେହିଦିନ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଏହି ତିନି ଗାଁ ସମସ୍ୟାର ସମାଧାନ ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା ବୋଲି ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି। ସେହିପରି ଦଶପଲ୍ଲା ବ୍ଲକ୍ର ଘୁଗୁଡ଼ି ପଞ୍ଚାୟତର ଜାନିସାହିକୁ ମଧ୍ୟ ରାସ୍ତା ନାହିଁ। କାହାର ସ୍ୱାସ୍ଥ୍ୟ ସମସ୍ୟା ହେଲେ ଖଟିଆରେ ବୁହା ହୋଇ ରୋଗୀକୁ ହସ୍ପିଟାଲ ଅଣାଯାଇଥାଏ। ପାନୀୟ ଜଳ ସମସ୍ୟା ଯୋଗୁ ସ୍ଥାନୀୟ ଲୋକେ ରୋଗଗ୍ରସ୍ତ ହେଉଛନ୍ତି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ବେଳେ ପ୍ରାୟ ଦୁଇ କିମି ପିଲାମାନେ ଚାଲି ଚାଲି ପାଠ ପଢ଼ିବାକୁ ଯାଉଛନ୍ତି। ଏଣୁ ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button