‘ଦାନା’ ଦେଲା ବନ୍ୟା: ଫୁଲିଲା ବୁଢ଼ାବଳଙ୍ଗ; ଉଛୁଳିଲା ରେବ, କପାଳି ଓ ନାଳିଆ
ବାଲେଶ୍ବର/ଭଦ୍ରକ: ବାତ୍ୟା ‘ଦାନା’ର ପ୍ରଭାବରେ ଉତ୍ତର ଓଡ଼ିଶାର ଯେଉଁ ଦୁଇଟି ଜିଲ୍ଲା ବିପର୍ଯ୍ୟସ୍ତ ହୋଇପଡ଼ିଛି, ସେଠି ଏବେ ଆରମ୍ଭ ହୋଇଛି ବନ୍ୟାର ତାଣ୍ଡବ। ବାଲେଶ୍ବରରେ ବୁଢ଼ାବଳଙ୍ଗ ବନ୍ୟାପାଣି ପ୍ରବେଶ କରିବାରୁ ସଦର ବ୍ଲକ୍ ଅନ୍ତର୍ଗତ ୧୧ଟି ପଞ୍ଚାୟତ ଜଳବନ୍ଦି ଅବସ୍ଥାରେ ରହିଛି। ଭଦ୍ରକରେ ରେବ, କପାଳି ଓ ନାଳିଆ ନଦୀ ଫୁଲିବାରେ ଲାଗିଛି।
ଫଳରେ, ୩ ବ୍ଲକ୍ ଅନ୍ତର୍ଗତ ୧୨ ପଞ୍ଚାୟତର ସ୍ଥିତି ଗମ୍ଭୀର ହୋଇଯାଇଛି। ବୁଢ଼ାବଳଙ୍ଗ ନଦୀର ଉପରମୁଣ୍ଡ ଚନ୍ଦନପୁର, ବାଲିମୁଣ୍ଡଳୀ,ବାରିପଦା, ଜୟପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାରୁ ଗତକାଲି ରାତିରୁ ବାଲେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ବର ସହରର ଚୂନଭାଟି, ମାଣିଖମ୍ବ, ତଳସାହି, ବାରବାଟୀ, ବାଲିଘାଟ, ଦର୍ଜିପୋଖରୀ, ଅରଡ଼ବଜାର ଭଳି କିଛି ତଳି ଅଞ୍ଚଳ ଜଳମଗ୍ନ ହୋଇଛି। ଚୂନଭାଟିରୁ କସିମିଳା, ମାଣିଖମ୍ବରୁ ବଡ଼ନୂଆପୁର ଓ ଗଳାପୋଲରୁ ମିର୍ଜାପୋଖରୀ ମୁଖ୍ୟ ରାସ୍ତାରେ ୩ ଫୁଟ ଉଚ୍ଚର ବନ୍ୟାପାଣି ଛୁଟିଛି। ଏଥିଯୋଗୁ ବଇଁଚା, ସିନ୍ଧିଆ, ନଗ୍ରମ, ଓଲନ୍ଦାସାରଗାଁ, ଗୋପୀନାଥପୁର, ବୁଆଁଳ, ଦୁବଲାଗଡ଼ି, ବାହାବଳପୁର ଓ ପରିଖି ପଞ୍ଚାୟତର ପାଖାପାଖି ୫୦ ଗ୍ରାମ ଜଳବନ୍ଦି ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।
ସେହିପରି ବୁଢ଼ାବଳଙ୍ଗ ନଦୀର ବାଲିଘାଟ ପୋଲହୋଇ ଗୋପୀନାଥପୁର ଯାଇଥିବା ରାସ୍ତାର ଗୁଜୁରୀବଜାର ଛକଠାରୁ ପ୍ରାୟ ୪୦୦ ମିଟର ଦୂର ପର୍ଯ୍ୟନ୍ତ ରାସ୍ତା ଉପରେ ୪ଫୁଟ ଉଚ୍ଚର ପାଣି ଚାଲିଛି। ଏଥିସହ ଗୁଜୁରୀବଜାରଠାରୁ ପାଳବଇଁଚା, ଘୋଡ଼ାପଦା ଏବଂ ବେଲବାରିଆ ଗାଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ରହିଛି। ଅନେକ ଗ୍ରାମବାସୀ ବନ୍ୟାପାଣି ଭିତରେ ଫସି ରହିଛନ୍ତି। ଅନ୍ୟପକ୍ଷରେ ସହରକୁ ବିଭିନ୍ନ କାମରେ ଆସିଥିବା ସଂପୃକ୍ତ ଗାଁର ଲୋକମାନେ ମଧ୍ୟ ଅଧା ବାଟରେ ଫସି ରହିଛନ୍ତି। ଏହି ଅଞ୍ଚଳରେ ଶହଶହ ହେକ୍ଟର ଚାଷଜମିର ଧାନଫସଲ କ୍ଷତିଗ୍ରସ୍ତ ହେବା ସହ ଅନେକ ଚିଙ୍ଗୁଡ଼ି ଓ ମାଛ ପୋଖରୀରେ ମଧ୍ୟ ବନ୍ୟା ପାଣି ପ୍ରବେଶ କରିଛି।
ଭଦ୍ରକରେ ୩ ବ୍ଲକ୍ର ୧୨ପଞ୍ଚାୟତ ସ୍ଥିତି ଗମ୍ଭୀର
ବାଲେଶ୍ବର ସଦର ବ୍ଲକ୍ର ୧୧ ପଞ୍ଚାୟତ ଜଳବନ୍ଦି
ପ୍ରଭାବିତ ଲୋକଙ୍କୁ ସ୍ଥାନୀୟ ଅଞ୍ଚଳରେ ରହିଥିବା ସୁରକ୍ଷିତ ସ୍ଥାନ ତଥା ଆଶ୍ରୟସ୍ଥଳୀଗୁଡ଼ିକୁ କିପରି ଅଣାଯିବା ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଓଡ୍ରାଫ୍ ଟିମ୍ ଓ ପୁଲିସବାହିନୀ ମୁତୟନ କରାଯାଇଛି। ସଦର ବିଧାୟକ ମାନସ କୁମାର ଦତ୍ତ, ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ସଦର ବିଡିଓ ସମରଜିତ୍ କର, ତହସିଲଦାର ଅଶ୍ୱିନୀ ନାୟକ ଗସ୍ତ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲା ଜରୁରିକାଳୀନ ଅଧିକାରୀ ସାଇକୃଷ୍ଣ ଜେନା ଲୋକଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ମୁତାବକ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଥିବା କହିଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରବାହିତ ରେବ, କପାଳି ସମେତ ସାଳନ୍ଦୀର ଶାଖା ନାଳିଆ ନଦୀରେ ବଡ଼ ବନ୍ୟା ଆସିଛି। ବନ୍ୟା ଯୋଗୁଁ ଭଦ୍ରକ, ଧାମନଗର ଓ ବନ୍ତ ବ୍ଳକ୍ର ୧୫ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ବନ୍ୟା ପାଣି ଅନେକ ଗାଁରେ ପଶି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ରେବ ଓ କପାଳି ନଦୀରେ ବନ୍ୟା ଆସି ଧାମନଗର ବ୍ଲକର ଅସୁରାଳି, ଗଢ଼ିଆଳି, କଟସାହି, ଫତେପୁର, କାସିମପୁର, ଖପରପଦା, ବମକୁରା, କୋଠାର, ରଇପୁର ଆଦି ପଞ୍ଚାୟତର ପଚାଶରୁ ଅଧିକ ଗାଁରେ ପାଣି ପଶିଛି।
ସେହିପରି, ନାଳିଆରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି। ଏହାର ପ୍ରଭାବରେ ଭଦ୍ରକ ବ୍ଳକ୍ର ହରିପୁର, ଅର୍ଣ୍ଣପାଳ, ବିଷ୍ଣୁପୁରବିନ୍ଧା ପଞ୍ଚାୟତର ୧୩ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ବନ୍ୟା ଜଳ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଅସୁରାଳି ଠାରେ ୩ ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଚ୍ଚପଦା-କାକୁଡିଗଡ଼ିଆ, ପତ୍ରିସାହି-ଖୋପସାହି, ଅସୁରାଳି-ଶ୍ରୀନାଥ ନଗର, ଅସୁରାଳି-କାସିମପୁର, ବେଲମା ଛକ-ଗୁହାଳିପାଳ, ବେତାଳିଗାଁ-ରଇପୁର ଆଦି ରାସ୍ତାରେ ପାଣି ଯୋଗୁଁ ଗମନାଗମନ ଠପ୍ ହୋଇଛି। ରାଜମୁକୁନ୍ଦପୁରଠାରେ ନାଳିଆନଦୀ ପୋଲ ଉପରେ ଚାରି ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ବାହାରକୁ ଆସିବା ସମ୍ଭବ ହେଉନାହିଁ। ବନ୍ୟା ପାଣିରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ବନ୍ତ ବ୍ଲକ୍ ଗଭରପୁର ଗାଁ ରାସ୍ତାରେ ପାଣି ଯୋଗୁଁ ଆଗରପଡ଼ା-ବନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଡ଼ାପାଟଣା ଗାଁ ରାସ୍ତା ଉପରେ ପ୍ରାୟ ୩ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଗାଁର ସେଠୀସାହି, ଆଦିବାସୀସାହି, ଜେନାସାହିରେ ଘରଗୁଡ଼ିକରେ ପାଣି ପଶିଯାଇଛି।