IBN ଓଡ଼ିଶା ବ୍ୟୁରୋ

ଗୁପ୍ତଚର କାହାଣୀ: ଶତାବ୍ଦୀର ସମ୍ମୋହିନୀ ଗୁପ୍ତଚର ମାତା ହାରି

ନିଜକୁ ହିନ୍ଦୁ ମନ୍ଦିରରେ ଜନ୍ମିତା ବୋଲି ଦାବି କରୁଥିବା ମାର୍ଗରିଟା ଜେଲ୍ ଓରଫ୍ ‘ମାତା ହାରି’ ଜଣେ ସୁନ୍ଦରୀ ନର୍ତ୍ତକୀ ଭାବେ ୟୁରୋପ୍ରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ। କେବଳ ସେତିକି ନୁହେଁ, ସେ ଉକ୍ତ ମନ୍ଦିରର ପୂଜାରିଣୀଙ୍କ ଠାରୁ ପ୍ରାଚୀନ ନୃତ୍ୟ ଶିଖିଥିବା କଥା ବି ପ୍ରଚାର କରୁଥିଲେ। କିନ୍ତୁ ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଜର୍ମାନି ତରଫରୁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଧରାପଡ଼ି ଫ୍ରାନ୍ସ୍ ସେନା ଦ୍ବାରା ମୃତ୍ୟୁଦଣ୍ଡ ପାଇଥିଲେ।

 

୧୮୭୬ ଅଗଷ୍ଟ ୭ରେ ନେଦର୍ଲାଣ୍ଡ୍ସ୍ର ଲିୟୁୱାର୍ଡେନ୍ରେ ଜଣେ ଧନୀ ଶିଳ୍ପପତିଙ୍କ ଘରେ ଜନ୍ମିତା ମାତା ହାରିଙ୍କ ପ୍ରକୃତ ନାମ ମାର୍ଗରିଟା ଜେଲ୍। ତରୁଣୀ ବୟସରେ ଉପନୀତ ହେବା ବେଳକୁ ମାର୍ଗରିଟାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଲା। ୧୮୯୧ରେ ମାଆଙ୍କର ମୃତ୍ୟୁ ହେବାରୁ ମାର୍ଗରିଟା ସମ୍ପର୍କୀୟମାନଙ୍କ ଘରେ ରହି ପାଠ ପଢ଼ିଲେ।

ବୟସ୍କଙ୍କୁ ବିବାହ
୧୮୯୫ରେ ଏକ ସମ୍ବାଦପତ୍ରରେ ‘ପାତ୍ରୀ ଆବଶ୍ୟକ’ ବିଜ୍ଞାପନରୁ ସୂଚନା ପାଇ ୧୮ ବର୍ଷୀୟା ମାର୍ଗରିଟା ତାଙ୍କଠାରୁ ବୟସରେ ଯଥେଷ୍ଟ ବଡ଼ ଓଲନ୍ଦାଜ୍ ଉପନିବେଶୀୟ ସେନା ଅଧିକାରୀ କ୍ୟାପ୍ଟେନ୍ ରୁଡ୍ଲଫ୍ ମ୍ୟାକ୍ଡଲ୍ଫ୍ଙ୍କୁ ବିବାହ କଲେ। ଚାକିରିରେ ବଦଳି ହେତୁ ୧୮୯୭ରେ ରୁଡ୍ଲଫ୍ ଓ ମାର୍ଗରିଟା ଜାଭା ଓ ସୁମାତ୍ରା ଦ୍ବୀପକୁ ଚାଲିଗଲେ। ସେଠାରେ ସେମାନେ ଗୋଟିଏ ପୁଅ ଓ ଗୋଟିଏ ଝିଅର ଜନକଜନନୀ ହେଲେ। କିନ୍ତୁ, ଅବିଶ୍ବସ୍ତତା ଓ ପାରିବାରିକ ହିଂସା ଯୋଗୁଁ ସେମାନଙ୍କର ଜୀବନ ଦୁର୍ବିଷହ ହୋଇ ଉଠୁଥିଲା। ପୁଅର ଅକାଳମୃତ୍ୟୁ ଘଟିଲାରୁ ଦୁହେଁ ୟୁରୋପ ଚାଲିଆସି ପରିଶେଷରେ ୧୯୦୬ରେ ପରସ୍ପରକୁ ଛାଡ଼ପତ୍ର ଦେଲେ।

ବିବସନା ନୃତ୍ୟାଙ୍ଗନା
ଦାରିଦ୍ର୍ୟରୁ ମୁକ୍ତି ଓ ଅର୍ଥ ଉପାର୍ଜନ ନିମନ୍ତେ ଏଥର ମାର୍ଗରିଟା ପ୍ୟାରିସ୍ରେ ପେସାଦାର ନର୍ତ୍ତକୀ ସାଜିଲେ। ନର୍ତ୍ତକୀ ଭାବେ ପ୍ରଥମେ ସେ ତାଙ୍କ ନାମ ରଖିଥିଲେ ଲେଡି ଗ୍ରେସା ମ୍ୟାକ୍ଲିଓଡ୍, ପରେ ସେ ନାମ ପରିବର୍ତ୍ତନ କରି ରଖିଲେ ମାତା ହାରି। ପୂର୍ବ ଭାରତୀୟ ନୃତ୍ୟ ଏବଂ ଜାଭାଦ୍ବୀପର ଲୋକନୃତ୍ୟ ଶିଖିଥିବା ୨୭ ବର୍ଷୀୟ ମାତା ହାରିଙ୍କର ଲୋକପ୍ରିୟତା ବଢ଼ିଲା। ଅଚିରେ ସେ ପ୍ୟାରିସ୍ ଓ ଅନ୍ୟାନ୍ୟ ବଡ଼ ନଗରୀରେ ପ୍ରସିଦ୍ଧି ଅର୍ଜନ କଲେ। ପାରଦର୍ଶିତା ଥାଉ କି ନ ଥାଉ, ତାଙ୍କ ନୃତ୍ୟ ଦେଖିବାକୁ ରୁଷ୍ରୁ ଆରମ୍ଭ କରି ଫ୍ରାନ୍ସ୍ ପର୍ଯ୍ୟନ୍ତ ସବୁ ଅପେରା ହାଉସ୍ ପରିପୂର୍ଣ୍ଣ ହୋଇ ଯାଉଥିଲା। ୟୁରୋପ୍ ଭ୍ରମଣ ବେଳେ ସେ କହୁଥିଲେ କି, ତାଙ୍କର ଜନ୍ମ ଏକ ପବିତ୍ର ହିନ୍ଦୁ ମନ୍ଦିରରେ ହୋଇଥିଲା ଏବଂ ଜଣେ ପୂଜାରିଣୀ ତାଙ୍କୁ ପ୍ରାଚୀନ ନୃତ୍ୟ ଶିଖାଇବା ସହିତ ‘ମାତା ହାରି’ ବୋଲି ନାମିତ କରିଛନ୍ତି। ତାଙ୍କ ଲୋକପ୍ରିୟତାର କାରଣ ଥିଲା, ସର୍ବ ସମ୍ମୁଖରେ ନୃତ୍ୟ ପରିବେଷଣ କରିବା ବେଳେ ସେ ପରିଧାନ କରିଥିବା ଗୋଟିଏ ପରେ ଗୋଟିଏ ପୋଷାକ ଖୋଲି ଉଲଗ୍ନପ୍ରାୟ ଅବସ୍ଥାକୁ ଚାଲିଆସୁଥିଲେ। ଏ ସବୁ ନୃତ୍ୟ ପ୍ରାଚ୍ୟର ପ୍ରାଚୀନ ମନ୍ଦିର ରୀତିନୀତି ବୋଲି ସେ କହୁଥିଲେ।
କାଳକ୍ରମେ ମାର୍ଗରିଟାଙ୍କର ପ୍ରେମିକସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବିତ୍ତଶାଳୀ ସମ୍ଭ୍ରାନ୍ତ ଓ ସେନା ଅଧିକାରୀ। ୧୯୧୪ରେ ଆରମ୍ଭ ହେଲା ପ୍ରଥମ ବିଶ୍ବଯୁଦ୍ଧ। ସେ ବର୍ଲିନ୍ରୁ ଫ୍ରାନ୍ସ୍ ପଳାଇ ଆସିବା ବେଳେ ଜର୍ମାନ୍ମାନେ ତାଙ୍କ ଜିନିଷପତ୍ର ଜବତ କରିବା ସହ ବ୍ୟାଙ୍କ୍ ଆକାଉଣ୍ଟ୍ ବ୍ୟାଜାପ୍ତ କଲେ। ଅଗତ୍ୟା ବାଧ୍ୟ ହୋଇ ସେ ମାତୃଭୂମି ହଲାଣ୍ଡ୍ ଫେରିଆସିଲେ। ସେଠାରେ ଜଣେ ପୁରୁଣା ବିତ୍ତଶାଳୀ ଓଲନ୍ଦାଜ୍ ମଦ ବ୍ୟବସାୟୀଙ୍କ ସହିତ ସେ ପୁନଶ୍ଚ ପ୍ରେମ ସଂପର୍କ ଆରମ୍ଭ କଲେ।

ଅର୍ଥ କଲା ଗୁପ୍ତଚର
୧୯୧୫ରେ ଆମ୍ଷ୍ଟର୍ଡମ୍ରେ ଅବସ୍ଥାପିତ ଅବୈତନିକ ଜର୍ମାନ୍ କନ୍ସୁଲ୍ କାର୍ଲ କ୍ରୋଏମର୍ଙ୍କ ସହ ତାଙ୍କର ସାକ୍ଷାତ୍ ହେଲା। ସମାଜର ଉଚ୍ଚବର୍ଗଙ୍କ ସହିତ ମାର୍ଗରିଟାଙ୍କର ସୁସମ୍ପର୍କ ଏବଂ ସେ ନିରପେକ୍ଷ ରାଷ୍ଟ୍ର ଡଚ୍ (ସମ୍ପ୍ରତି ନେଦର୍ଲାଣ୍ଡ୍ସ୍) ନାଗରିକ ହୋଇଥିବାରୁ କାର୍ଲ ତାଙ୍କୁ ଉପକାରୀ ବୋଲି ମନେକଲେ। ତେଣୁ, ଜର୍ମାନ୍ ସମ୍ରାଟ୍ କାଇଜର୍ଙ୍କ ଗୁପ୍ତଚର ହେବାକୁ ସେ ମାତା ହାରିଙ୍କୁ ୨୦,୦୦୦ ଫ୍ରାଙ୍କ୍ ପ୍ରଦାନ କଲେ। ଆର୍ଥିକ ଅନଟନରେ ଥିବା ମାତା ହାରି ପ୍ରସ୍ତାବ ଗ୍ରହଣ କଲେ। ତା’ସହିତ ଗୁପ୍ତଚରଗିରି ପାଇଁ ତାଙ୍କୁ ଜର୍ମାନ୍ କୋଡ୍ନେମ୍ ‘ଏଚ୍ ୨୧’ ମଧ୍ୟ ଦିଆଗଲା।

ଡବଲ୍ ଏଜେଣ୍ଟ୍ ହାରି
ଏହାପରେ ମାସ ମାସ ଧରି ମାତା ହାରି ୟୁରୋପ୍ ଭ୍ରମଣ କଲେ। ଭ୍ରମଣ ସମୟରେ ତାଙ୍କ ସାଥିରେ ଦେଖାଯାଉଥିଲେ ସେନା ଅଧିକାରୀ ଓ ରାଜନେତାଗଣ। ଏ କଥା ସହସା ବ୍ରିଟିସ୍ ଗୁଇନ୍ଦାଙ୍କ ନଜରରେ ପଡ଼ିଲା। ସେମାନେ ତାଙ୍କୁ ଶତ୍ରୁପକ୍ଷର ଗୁପ୍ତଚର ବୋଲି ସନ୍ଦେହ କଲେ। ଥରେ ହାରି ଇଂଲଣ୍ଡ୍ ଦେଇ ଯାଉଥିବା ବେଳେ ସେମାନେ ତାଙ୍କୁ ପଚରାଉଚରା କରି ଛାଡ଼ିଦେଲେ। କିନ୍ତୁ, ତାଙ୍କ ଉପରେ ନଜର ରଖିବାକୁ ମିତ୍ର ରାଷ୍ଟ୍ର ଫ୍ରାନ୍ସ୍କୁ ଚେତାଇ ଦେଲେ।
୧୯୧୬ରେ ପ୍ୟାରିସ୍ରେ ଫରାସୀ ଗୁଇନ୍ଦାଙ୍କ ସହଯୋଗୀ ଜର୍ଜେସ୍ ଲାଡସ୍ ତାଙ୍କ ନିକଟରେ ପହଞ୍ଚି ଫ୍ରାନ୍ସ ତରଫରୁ ଗୁପ୍ତଚରଗିରି କରିବା ଲାଗି ମୋଟା ଅଙ୍କର ଅର୍ଥ ଯାଚିଲେ। ସେତେବେଳେ ମାତା ହାରି ୨୧ ବର୍ଷୀୟ ରୁଷ୍ ସେନା କ୍ୟାପ୍ଟେନ୍ ଭ୍ଲାଦିମିର୍ ଡି ମାସ୍ଲଫ୍ଙ୍କ ସହିତ ପ୍ରେମରେ ଉବୁଟୁବୁ ହେଉଥାଆନ୍ତି। ଲୋଭରେ ପଡ଼ି ସେ ପ୍ରସ୍ତାବରେ ସମ୍ମତ ହେଲେ ଏବଂ ଲାଡସ୍ଙ୍କଠାରୁ ଅର୍ଥ ଗ୍ରହଣ କଲେ।

ଧରିଲା ଫ୍ରାନ୍ସ୍
ମାର୍ଗରିଟା ହଠାତ୍ ଜର୍ମାନ୍ ଅଧିକୃତ ବେଲ୍ଜିୟମ୍ ଯିବାକୁ ଉଦ୍ୟମ କରି ସ୍ପେନ୍ରେ ଅଟକିଗଲେ। ସେଠାରେ ସେ ଜର୍ମାନ୍ର ମେଜର୍ ଆର୍ଣ୍ଣନଲ୍ଡ୍ କାଲେଙ୍କ ସହିତ ରାତ୍ରୀଯାପନ କଲେ। ତାଙ୍କଠାରୁ କିଛି ସୂଚନା ବି ସଂଗ୍ରହ କଲେ। ପୁନଶ୍ଚ ସେ ପ୍ୟାରିସ୍ ଫେରିବା ବେଳେ ଇେଫଲ୍ ଟାୱାର୍ରେ ଅବସ୍ଥାପିତ ଜଣେ ଫରାସୀ ୱାୟାର୍ଲେସ୍ ଅଫିସର୍ କାଲେ ବର୍ଲିନ୍କୁ ପଠାଇଥିବା ଗୁପ୍ତ ବାର୍ତ୍ତା ବୁଝିପକାଇଲେ। ସେଥିରେ ଏଜେଣ୍ଟ୍ ‘ଏଚ୍ ୨୧’ ବୋଲି ସୂଚାଯାଇଥିଲା। ସେ ଏଜେଣ୍ଟ୍ ମାତା ହାରି ବୋଲି ଅଚିରେ ଫରାସୀ ଗୁପ୍ତଚରମାନେ ଚିହ୍ନଟ କରିପକାଇଲେ।

ବିଚାର ଓ ମୃତ୍ୟୁଦଣ୍ଡ
ଶେଷରେ ୧୯୧୭ ଫେବ୍ରୁଆରି ୧୩ ତାରିଖ ଦିନ ଗୁପ୍ତଚରଗିରି କରିଥିବା ଅଭିଯୋଗରେ ମାର୍ଗରିଟାଙ୍କୁ ଗିରଫ କରାଯାଇ ପ୍ୟାରିସ୍ର କୁଖ୍ୟାତ ସେଣ୍ଟ୍ ଲାଜାର୍ ଜେଲ୍ରେ ରଖାଗଲା। ପରେ ସେନା ଅଦାଲତରେ ତାଙ୍କର ବିଚାର ହେଲା। ଜର୍ମାନ୍କୁ କ’ଣ ଗୁପ୍ତ ତଥ୍ୟ ଦେଇଛନ୍ତି ତା’ର ପ୍ରମାଣ ନ ମିଳିଲେ ବି ୫୦ ହଜାର ମିତ୍ରଶକ୍ତି ସୈନ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରାଯାଇ ମୃତ୍ୟୁଦଣ୍ଡ ବିଧାନ କରାଗଲା। ଅକ୍ଟୋବର ୧୫ ତାରିଖରେ ତାଙ୍କୁ ପ୍ୟାରିସ୍ ଉପକଣ୍ଠରେ ଗୁଳି ଚଳାଇ ହତ୍ୟା କରାଗଲା।

Related Articles

Leave a Reply

Your email address will not be published. Required fields are marked *

Back to top button