ଇତିହାସ ରଚିଲେ ଗୁକେଶ: ସର୍ବକନିଷ୍ଠ ବିଶ୍ବ ଚେସ୍ ବିଜେତା
ସିଙ୍ଗାପୁର: ଭାରତୀୟ ଯୁବ ଗ୍ରାଣ୍ଡମାଷ୍ଟର୍ ଡି ଗୁକେଶ ଗୁରୁବାର ଭାରତୀୟ ଚେସ୍ ଇତିହାସରେ ନୂଆ ଫର୍ଦ ଯୋଡ଼ିଛନ୍ତି। ସିଙ୍ଗାପୁରରେ ଖେଳାଯାଇଥିବା ବିଶ୍ବ ଚେସ୍ ପ୍ରତିଯୋଗିତା ଟ୍ରଫି ହାସଲ କରି ସର୍ବକନିଷ୍ଠ ବିଶ୍ବବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ସମସ୍ତଙ୍କୁ ବିସ୍ମିତ କରି ଏହି ୧୮ ବର୍ଷୀୟ ବାଳକ ଗତ ଥର ବିଜେତା ଚୀନ୍ର ଡିଙ୍ଗ୍ ଲିରେନ୍ଙ୍କୁ ମାତ୍ ଦେଇଛନ୍ତି। ୧୩ ରାଉଣ୍ଡ ସୁଦ୍ଧା ଉଭୟ ସମାନ ୬.୫ ପଏଣ୍ଟ୍ରେ ବରାବର ସ୍ଥିତିରେ ଥିଲେ। ଫଳରେ ଗୁରୁବାର ଖେଳାଯାଇଥିବା ଚତୁର୍ଦଶ ତଥା ଶେଷ ରାଉଣ୍ଡର ଗୁରୁତ୍ବ ବଢ଼ିଯାଇଥିଲା।
୫୭ ମୁଭ୍ ପର୍ଯ୍ୟନ୍ତ ଉଭୟ ଉଭୟଙ୍କୁ କଡ଼ା ଟକ୍କର ଦେଇଥିଲେ। ତେବେ ୫୮ ମୁଭ୍ରେ ବିଜୟ ଆଶା ହରାଇ ଲିରେନ୍ ଓହରି ଯାଇଥିଲେ। ଫଳରେ ୭.୫-୬.୫ରେ ଜିତି ଗୁକେଶ ବିଶ୍ବ ମୁକୁଟ ନିଶ୍ଚିତ କରିଥିଲେ। ୧୮ ବର୍ଷ ବୟସରେ ବିଶ୍ବ ବିଜେତା ହେବାରେ ଗୁକେଶ ରୁଷୀୟ କିଂବଦନ୍ତି ଗ୍ୟାରି କାସ୍ପାରୋଭଙ୍କୁ ପଛରେ ପକାଇଛନ୍ତି। କାସ୍ପାରୋଭ ୧୯୮୫ରେ ଆନାତୋଲି କାର୍ପୋଭଙ୍କୁ ହରାଇ ୨୨ ବର୍ଷ ବୟସରେ ବିଶ୍ବ ବିଜେତା ହୋଇଥିଲେ। ଚଳିତ ବର୍ଷ କ୍ୟାଣ୍ଡିଡେଟ୍ସ ପ୍ରତିଯୋଗିତାରେ ଗୁକେଶ ବିଜୟୀ ହୋଇ ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ବ ମୁକୁଟ ଲଢ଼େଇ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ବିଶ୍ବନାଥନ ଆନନ୍ଦଙ୍କ ପରେ ଗୁକେଶ ବିଶ୍ବ ମୁକୁଟ ଜିତିବାରେ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ୫ ଥରର ବିଶ୍ବ ବିଜେତା ଆନନ୍ଦ ଶେଷ ଥର ଲାଗି ୨୦୧୩ରେ ବିଶ୍ବ ମୁକୁଟ ଜିତିଥିଲେ। ପାଇଲେ ୧୪.୮୨ କୋଟି ଟଙ୍କା ବିଶ୍ବ ଚେସ୍ ପ୍ରତିଯୋଗିତାରେ ମୋଟ ପୁରସ୍କାର ରାଶି ୨.୫ ମିଲିୟନ ଡଲାର (ପ୍ରାୟ ୨୧.୨୨ କୋଟି) ଟଙ୍କା ରହିଛି। ଏଥିରୁ ପ୍ରତି କ୍ଲାସିକାଲ୍ ବିଜୟ ଲାଗି ୨ ଲକ୍ଷ ଡଲାର (୧.୬୯ କୋଟି ଟଙ୍କା) ପ୍ରଦାନ କରାଯିବ। ଗୁକେଶ ୩ ବିଜୟରୁ ୬ଲକ୍ଷ ଡଲାର (୫.୦୭ କୋଟି ଟଙ୍କା) ଏବଂ ୨ ବିଜୟରୁ ଲିରେନ୍ ୪ଲକ୍ଷ ଡଲାର (୩.୩୮ କୋଟି ଟଙ୍କା) ପାଇଛନ୍ତି। ଫଳରେ ୨.୫ ମିଲିୟନ ଡଲାରରୁ ଆଉ ୧.୫ ମିଲିୟନ ଡଲାର ବଳକା ରହିଥିଲା। ଏହି ବଳକା ରାଶିକୁ ବିଜେତା ଗୁକେଶ (୧.୩୫ ମିଲିୟନ ଡଲାର ତଥା ପ୍ରାୟ ୧୧.୪୫ କୋଟି ଟଙ୍କା) ଏବଂ ଉପବିଜେତା ଲିରେନ୍ (୧.୧୫ ମିଲିୟନ ଡଲାର ତଥା ୯.୭୫ କୋଟି ଟଙ୍କା) ମଧ୍ୟରେ ବାଣ୍ଟି ଦିଆଯାଇଛି। ଗୁକେଶ ମୋଟ ପ୍ରାୟ ୧୪.୮୨ କୋଟି ଟଙ୍କା କରାୟତ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଅଭିନନ୍ଦନ
ବିଶ୍ବ ମୁକୁଟ କରାୟତ୍ତ କରିବା ପରେ ଗୁକେଶଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ରାଜନେତା, କ୍ରୀଡ଼ାବିତ୍, ସେଲିବ୍ରିଟି ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ନିଜ ‘ଏକ୍ସ’ ପୃଷ୍ଠାରେ ଲେଖିଛନ୍ତି, ‘‘ସର୍ବକନିଷ୍ଠ ବିଶ୍ବବିଜେତା ଗୁକେଶଙ୍କୁ ଅଭିନନ୍ଦନ। ତାଙ୍କ ପାଇଁ ଭାରତ ଆଜି ଗର୍ବିତ। ତୁମ ବିଜୟ ଚେସ୍ରେ ଭାରତ ମହାଶକ୍ତି ବୋଲି ପ୍ରମାଣିତ କରୁଛି। ଭଲ କରିଛ ଗୁକେଶ! ସମସ୍ତ ଭାରତୀୟଙ୍କ ପକ୍ଷରୁ ମୁଁ ତୁମ ଭବିଷ୍ୟତ ଲାଗି ଶୁଭକାମନା ଜଣାଉଛି।’’ ସେହିପରି ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି ‘‘ଐତିହାସକ, ଉଲ୍ଲେଖନୀୟ ଅବଦାନ ଲାଗି ଡି ଗୁକେଶଙ୍କୁ ଅଭିନନ୍ଦନ। ଏହା ତୁମ ଅପୂର୍ବ ପ୍ରତିଭା, କଠିନ ପରିଶ୍ରମ ଓ ନିଷ୍ଠାର ଫଳ। ଏ ବିଜୟ ଖାଲି ଚେସ୍ରେ ଇତିହାସ ରଚିନି, ବରଂ ଅନେକ ଯୁବକଙ୍କୁ ବଡ଼ ସ୍ବପ୍ନ ଦେଖିବାର ପ୍ରେରଣା ଦେଇଛି। ଆଗାମୀ ଭବିଷ୍ୟତର ପ୍ରୟାସ ଲାଗି ଶୁଭେଚ୍ଛା’’।