ପୁଣି ଦୁବାଇ ଭଡ଼ା ବଢ଼ାଇଦେଲେ: ରାଜ୍ୟ ପରିବହନ ବିଭାଗ ଚୁପ୍ କାହିଁକି? – Ibnodisha

[ad_1]
ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ପୂର୍ବ ଘୋଷଣା ଅନୁଯାୟୀ ଟିକେଟ୍ ବିକ୍ରି ହେଉଛି

ଭୁବନେଶ୍ବର: ରାଜ୍ୟ ସରକାର ଘୋଷଣା କଲେ ଯେ ଭୁବନେଶ୍ବରରୁ ଦୁବାଇକୁ ଯିବା ଆସିବା ବିମାନ ଭଡ଼ା ୨୦ହଜାର ଟଙ୍କା ରହିବ। ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ୧୫ହଜାର ଟଙ୍କା ଲେଖାଏଁ ପଡ଼ିବ। ହେଲେ ଏବେ ଦୁବାଇକୁ କେବଳ ଯିବା ଭଡ଼ା ୨୩ହଜାର ଟଙ୍କା ପଡ଼ୁଛି। ଫେରିବା ଭଡ଼ା ୧୦ହଜାରରୁ ଆରମ୍ଭ। ଯିବାଆସିବା ଭଡ଼ା ଓ ଟିକସ ମିଶାଇଲେ ଦୁବାଇ ଯିବା ଆସିବା ଖର୍ଚ୍ଚ ୩୫ହଜାର ପାର୍। ରାଜ୍ୟ ସରକାର ଦୁବାଇକୁ ଯିବା ଆସିବା ଭଡ଼ା ୨୦ହଜାର ଟଙ୍କା ସ୍ଥିର କରିଥିବା ବେଳେ ଇଣ୍ଡିଗୋ କର୍ତ୍ତୃପକ୍ଷ କିପରି ୩୫ ହଜାର ଟଙ୍କାରେ ଟିକେଟ୍ ବିକ୍ରି କରୁଛନ୍ତି? ଏହି ଟିକେଟ୍ କେଳେଙ୍କାରୀ ପଛରେ ପରିବହନ ବିଭାଗର ସଂପୃକ୍ତି ନେଇ ଏବେ ପ୍ରଶ୍ନ ଉଠିଲାଣି।
ଗତ ମେ’ ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସପ୍ତାହକୁ ତିନି ଦିନ ବିମାନ ଉଡ଼ାଣ କରୁଥିବା ବେଳେ ଜୁନ୍ ୨ରୁ ବ୍ୟାଙ୍କକ୍ ଓ ଜୁନ୍ ୩ରୁ ସିଙ୍ଗାପୁରକୁ ସପ୍ତାହକୁ ଦୁଇ ଦିନ ବିମାନ ଉଡ଼ାଣ କରୁଛି। ହେଲେ ଦୁବାଇ ବିମାନରେ ପ୍ରାୟ ସବୁଦିନ ଅଧିକାଂଶ ଟିକେଟ୍ ବିକ୍ରି ହୋଇଯାଉଛି। ବ୍ୟାଙ୍କକ୍ ଯାଉଥିବା ବିମାନରେ ସବୁ ଟିକେଟ୍ ବିକ୍ରି ନହେଲେ ମଧ୍ୟ ଅଧାରୁ ଅଧିକ ଟିକେଟ୍ ବିକ୍ରି ହେଉଛି। ଅନ୍ୟପକ୍ଷରେ ସିଙ୍ଗାପୁର ବିମାନରେ ଅଧାରୁ ଅଧିକ ସିଟ୍ ଖାଲି ପଡ଼ୁଛି। କିନ୍ତୁ ଅଧିକ ଯାତ୍ରୀ ଯାତାୟତ କରୁଥିବା ଭୁବନେଶ୍ବର ଦୁବାଇ ରୁଟ୍ରେ ଟିକେଟ୍ ଦାମ୍ ହଠାତ୍ ବଢ଼ିଯାଇଛି। ପୂର୍ବରୁ ଦୁବାଇକୁ ଯିବା ଆସିବା ଟିକେଟ୍ ଦାମ୍ ଯେତିକି ଥିଲା ତା’ଠାରୁ ବି ଅଧିକ ମୂଲ୍ୟରେ ଭୁବନେଶ୍ବରରୁ ଦୁବାଇ ଟିକେଟ୍ ବିକ୍ରି କରାଯାଉଛି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି।
ହେଲେ ପରିବହନ ବିଭାଗର ଅଧିକାରୀମାନେ ଚୁପ୍ ବସିଯାଇଛନ୍ତି। ସରକାରଙ୍କ ଘୋଷଣାଠାରୁ ଅଧିକ ଅର୍ଥ ଇଣ୍ଡିଗୋ କର୍ତ୍ତୃପକ୍ଷ ଆଦାୟ କରୁଥିବା ନେଇ ପରିବହନ ବିଭାଗର ଅଧିକାରୀମାନେ ଜାଣିକି ବି ଚୁପ୍ ରହିବା ପଛରେ ରହସ୍ୟ କ’ଣ ତାହା ଏବେ ଚର୍ଚ୍ଚାରେ।
ଇଣ୍ଡିଗୋ କର୍ତ୍ତୃପକ୍ଷ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ଟିକେଟ୍ ବିକ୍ରି ନୂଆ ନୁହେଁ। ଯେତେବେଳେ ତିନିଟି ଯାକ ରୁଟ୍ରେ ପ୍ରଥମେ ବିମାନ ସେବା ଆରମ୍ଭ ହେଲା ସେତେବେଳେ ଇଣ୍ଡିଗୋ କର୍ତ୍ତୃପକ୍ଷ ଚଢ଼ା ଦାମ୍ରେ ଟିକେଟ୍ ବିକ୍ରି କରୁଥିଲେ। ସରକାରଙ୍କ ଘୋଷଣା କେବଳ ନାଁକୁ ଥିଲା। ଏନେଇ ପ୍ରତିବାଦ ହେବାରୁ ପରିବହନ ବିଭାଗର ଅଧିକାରୀମାନେ ହସ୍ତକ୍ଷେପ କଲେ। ଆଉ ତିନିଟି ଯାକ ରୁଟ୍ରେ ଟିକେଟ୍ ଦାମ୍ ସରକାରଙ୍କ ଘୋଷଣା ଅନୁଯାୟୀ ଆଦାୟ କରିବାକୁ ଇଣ୍ଡିଗୋକୁ କୁହାଗଲା। ଏହାପରେ ଟିକେଟ୍ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ବିକ୍ରି ହୋଇଥିଲା। କେବଳ ଏତିକି ନୁହେଁ ରାଜ୍ୟ ସରକାର ଏହି ତିନଟି ରୁଟ୍ରେ ସବ୍ସିଡି ଦାମ୍ରେ ଟିକେଟ୍ ବିକ୍ରି କରିବାକୁ କହିଥିବା ବେଳେ ଇଣ୍ଡିଗୋକୁ ଯାତାୟତ ଭଡ଼ା ବାବଦକୁ ୫୦ଲକ୍ଷ ଟଙ୍କା ଲେଖାଏଁ ଦେଉଛନ୍ତି। ବଦଳରେ ଯେତିକି ଟିକେଟ୍ ବିକ୍ରି ହେଉଛି ସେତିକି ଟଙ୍କା ରାଜ୍ୟ ସରକାରଙ୍କୁ ଇଣ୍ଡିଗୋ ଦେବାକୁ ଚୁକ୍ତି ହୋଇଛି। ଏହାବାଦ୍ ସବ୍ସିଡି ବାବଦକୁ ରାଜ୍ୟ ସରକାର ୧୦୦କୋଟି ଦେବାକୁ ଅର୍ଥ ବରାଦ ବି କରିଛନ୍ତି। ହେଲେ ଏବେ କ’ଣ ଦରକାର ପଡ଼ିଲା ଯେ ଟିକେଟ୍ ମୂଲ୍ୟ ବଢ଼ିଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି।
ଏହି ଟିକେଟ୍ କେଳେଙ୍କାରୀ ପଛରେ ପରିବହନ ବିଭାଗର ସମ୍ପୃକ୍ତି ଥିବା ନେଇ ପ୍ରଶ୍ନ ଉଠିବାର କାରଣ ହେଉଛି ଇଣ୍ଡିଗୋ କର୍ତ୍ତୃପକ୍ଷ ଏବେ ରାଜ୍ୟ ସରକାରଙ୍କୁ ଦୁବାଇ ରୁଟ୍ରେ ଯିବା ଆସିବା ଟିକେଟ୍ ବିକ୍ରି ବାବଦକୁ ୨୦ହଜାର ଟଙ୍କା ଲେଖାଏଁର ହିସାବ ଦେଉଥିବା ବେଳେ ଏବେ ଯେଉଁ ଅଧିକ ଟଙ୍କା ଆଦାୟ ହେଉଛି ତା’ର ହିସାବ କିଏ ରଖୁଛି? ପରିବହନ ବିଭାଗର ଅଧିକାରୀମାନେ କ’ଣ କେତେ ଟଙ୍କାରେ ଟିକେଟ୍ ବିକ୍ରି ହେଉଛି ତାହା ଜାଣୁନାହାନ୍ତି? ରାଜ୍ୟ ସରକାର ଦୁବାଇ ରୁଟ୍ରେ ସବ୍ସିଡିରେ ଟିକେଟ୍ ବିକ୍ରି ହେବନି ବୋଲି ଘୋଷଣା କରିନଥିବା ବେଳେ ଇଣ୍ଡିଗୋ କର୍ତ୍ତୃପକ୍ଷ କିପରି ଟିକେଟ୍ ଦାମ୍ ବଢ଼ାଇଲେ?
ଏନେଇ ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଇଣ୍ଡିଗୋ କର୍ତ୍ତୃପକ୍ଷ ଭୁବନେଶ୍ବର-ଦୁବାଇ ରୁଟ୍ରେ ଯିବା ଆସିବା ଟିକେଟ୍ ଦାମ୍ ୨୦ହଜାର ଟଙ୍କା, ଭୁବନେଶ୍ବର-ବ୍ୟାଙ୍କକ୍ ଓ ଭୁବନେଶ୍ବର-ସିଙ୍ଗାପୁର ରୁଟ୍ରେ ଯିବା ଆସିବା ଟିକେଟ୍ ଦାମ୍ ୧୫ହଜାର ଟଙ୍କା ରଖାଯାଇଛି। ବିଭାଗ ତରଫରୁ ଆନ୍ତଃବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏହି ଦାମ୍ ରହିବ। ଏହାପରେ ଯାତ୍ରୀ ଯାତାୟତ ସଂଖ୍ୟା ଦେଖି ସବ୍ସିଡି ଦାମ୍ ଉପରେ ସମୀକ୍ଷା କରାଯିବ। ହେଲେ ବର୍ତ୍ତମାନ ସୁଦ୍ଧା ଏନେଇ କିଛି ଆଲୋଚନା ହୋଇନି। ତେଣୁ ଇଣ୍ଡିଗୋ କର୍ତ୍ତୃପକ୍ଷ ପୂର୍ବ ଘୋଷଣା ଅନୁଯାୟୀ ସବ୍ସିଡି ଦାମ୍ରେ ଟିକେଟ୍ ବିକ୍ରି କରିବା କଥା। କାହିଁକି ଇଣ୍ଡିଗୋ କର୍ତ୍ତୃପକ୍ଷ ଦୁବାଇ ରୁଟ୍ରେ ଟିକେଟ୍ ଦାମ୍ ବଢ଼ାଇଛନ୍ତି ସେନେଇ ବୁଝିବୁ।
ସୂଚନାଯୋଗ୍ୟ ଯେ ମେ’ ୧୫ରୁ ଦୁବାଇକୁ ସପ୍ତାହକୁ ତିନି ଦିନ (ସୋମ, ବୁଧ ଓ ଶୁକ୍ରବାର) ବିମାନ ଯାତାୟତ କରୁଛି। ମେ’ ମାସରେ ୧୪୬୫ଜଣ, ଜୁନ୍ରେ ୨୧୪୫ ଏବଂ ଜୁଲାଇରେ ୨୨୫୭ଜଣ ଯାତ୍ରୀ ଭୁବନେଶ୍ବରରୁ ଦୁବାଇ ଯାଇଥିବାବେଳେ ସେଠାରୁ ଯଥାକ୍ରମେ ୧୩୮୭, ୨୪୧୭, ୨୧୨୬ଜଣ ଭୁବନେଶ୍ବର ଫେରିଛନ୍ତି। ଏହି ରୁଟ୍ରେ ମେ’ ମାସରେ ୧୨୪ଟି, ଜୁନ୍ରେ ୨୭୪ଟି ଏବଂ ଜୁଲାଇରେ ୪୫୩ଟି ସିଟ୍ ଖାଲି ପଡ଼ିଥିଲା। ବ୍ୟାଙ୍କକ୍ ଓ ସିଙ୍ଗାପୁର ରୁଟ୍ ତୁଳନାରେ ଦୁବାଇକୁ ଅଧିକ ଯାତ୍ରୀ ଯାଉଥିବାବେଳେ ଏହି ରୁଟ୍ରେ ଏବେ ଟିକେଟ୍ ଦାମ୍ ପ୍ରାୟ ଦୁଇଗୁଣା ହୋଇଯାଇଛି।
[ad_2]