ଶବଦାହ ହେବାର କେଇ ଦିନ ପରେ ଝିଅ ଭିଡିଓ କଲ୍ରେ କହିଲା: ବାପା, ମୁଁ ବଞ୍ଚିଛି – Ibnodisha
[ad_1]
ପାଟନା: ଝିଅର ମୃତ୍ୟୁ ଯୋଗୁଁ ଶୋକାତୁର ହୋଇପଡ଼ିଥିବା ବିହାରର ଜଣେ ବ୍ୟକ୍ତି ଶନିବାର ଦିନ ‘ବାପା, ମୁଁ ବଞ୍ଚିଛି’ ବୋଲି ଝିଅର ଭିଡିଓ କଲ୍ ପାଇ ଚମତ୍କୃତ ହୋଇଯାଇଥିବା ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ମୃତ ଝିଅ ଅଂଶୁ କୁମାରୀଙ୍କ ଶବଦାହ କରିବା ପରେ ଝିଅ ବଞ୍ଚିଥିବା ଜାଣି ବାପା ବିନୋଦ ମଣ୍ଡଳ ବିସ୍ମିତ ହେବା ସ୍ବାଭାବିକ। କାରଣ ପୁର୍ଣ୍ଣିଆବାସିନୀ ଅଂଶୁ କୁମାରୀ ପ୍ରାୟ ମାସେ ହେବ ପୁର୍ଣ୍ଣିଆର ଆକବରପୁର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବ୍ୟାପକ ଖୋଜାଖୋଜି କରି ବି ତା’ର ସନ୍ଧାନ ପାଇ ନ ଥିଲେ।
ଗତ ସପ୍ତାହରେ ପୁଲିସ ସ୍ଥାନୀୟ କେନାଲ୍ରୁ ଜଣେ ଝିଅର ଶବ ଉଦ୍ଧାର କରିଥିଲା। ଶବ ଚିହ୍ନଟ କରିବା ଲାଗି ସେମାନେ ମଣ୍ଡଳଙ୍କ ପରିବାରକୁ ଡକାଇଥିଲେ। ଶବର ମୁହଁ ଅତ୍ୟନ୍ତ ଫୁଲି ଯାଇ ଚିହ୍ନିବା କଷ୍ଟସାଧ୍ୟ ହେବାରୁ ପୋଷାକପତ୍ରକୁ ଆଧାର କରି ପରିବାର ଲୋକେ ତାହା ଅଂଶୁର ଶବ ବୋଲି ଚିହ୍ନଟ କରିଥିଲେ।
ଝିଅ ମରିଥିବା ଜାଣି ବାପା ବିନୋଦ ମଣ୍ଡଳ ଏମିତି ମ୍ରିୟମାଣ ହୋଇପଡ଼ିଲେ ଯେ, ତା’ର ଶେଷକୃତ୍ୟ ବି ଠିକ୍ ଭାବେ କରିପାରିଲେ ନାହିଁ। ଶେଷର ଝିଅର ଜେଜେ ହିଁ ତା’ର ଅନ୍ତିମ ସଂସ୍କାର କଲେ। ଏ ଖବର ସେ ଅଞ୍ଚଳରେ ପ୍ରଘଟ ହୋଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଲା।
ହଠାତ୍ ଶନିବାର ଦିନ ଅଂଶୁ ବାପା ବିନୋଦ ମଣ୍ଡଳଙ୍କ ଫୋନ୍କୁ ଭିଡିଓ କଲ୍ କରି ସୂଚନା ଦେଲା ଯେ, ସେ ବଞ୍ଚିଛି। ସବିଶେଷ ସୂଚନା ଦେଇ ସେ କହିଲା, ଅସଲ କଥା ହେଲା ବାହା ହେବା ଲାଗି ସେ ତା’ ପ୍ରେମିକ ସହିତ ଘରୁ ପଳାଇଯାଇଥିଲା। ଏବେ ସେ ବାହା ହୋଇ ପୂର୍ଣ୍ଣିଆ ଜିଲ୍ଲା ଅନ୍ତର୍ଗତ ବନମାଙ୍ଖି ବ୍ଲକ୍ର ଜାନକୀ ନଗର ଅଞ୍ଚଳରେ ଥିବା ଶାଶୂଘରେ ରହୁଛି।
ଆକବରପୁର ‘ଏସ୍ଏଚ୍ଓ’ ସୁରଜ ପ୍ରସାଦ ମଧ୍ୟ କହିଛନ୍ତି, ପ୍ରକୃତ ଘଟଣା ଜାଣିବା ପାଇଁ ମୁଁ ମଧ୍ୟ ଅଂଶୁଙ୍କ ପାଖକୁ ଫୋନ୍ କରିଥିଲି। ଶାଶୂଘରେ ସେ ଭଲରେ ଅଛନ୍ତି ବୋଲି ମତେ କହିଛନ୍ତି।
କିନ୍ତୁ, ସେଦିନ ମଣ୍ଡଳ ପରିବାର ଭୁଲ୍କ୍ରମେ ଆଉ କାହାର ଶବକୁ ଅଂଶୁଙ୍କ ଶବ ବୋଲି ଚିହ୍ନଟ କରିଥିଲେ ବୋଲି ପୁଲିସ କହିଛି।
[ad_2]