IBN ଓଡ଼ିଶା ବ୍ୟୁରୋ

ମହଙ୍ଗା ହୋଇପାରେ ଏଫ୍‌ଏମ୍‌ସି ସାମଗ୍ରୀ: ସହରାଞ୍ଚଳରେ ବିକ୍ରି ପ୍ରଭାବିତ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଏଫ୍ଏମ୍ସିଜି (ଫାଷ୍ଟ୍ ମୁଭିଂ କଞ୍ଜ୍ୟୁମର ଗୁଡ୍ସ) କମ୍ପାନିର ଜୁଲାଇ-ସେପ୍ଟେମ୍ବର ତ୍ରୟମାସର ଲାଭ ହ୍ରାସ ପାଇଛି। ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପାଦାନର ମୂଲ୍ୟବୃଦ୍ଧି ସହିତ ଖାଦ୍ୟ ମୁଦ୍ରାସ୍ଫୀତି ବଢ଼ିବା କାରଣରୁ ଏହା ହୋଇଛି। ଏଥିଯୋଗୁ ସହରାଞ୍ଚଳରେ ଗ୍ରାହକଙ୍କ ଏଫ୍ଏମ୍ସି ସାମଗ୍ରୀ ବ୍ୟବହାର ହ୍ରାସ ପାଇଛି।

ପାମ୍ ତେଲ, କଫି ଏବଂ କୋକୋଆ ଆଦିର ଦାମ୍ ବୃଦ୍ଧି ପାଇଥିବାରୁ କେତେକ ଏଫ୍ଏମ୍ସିଜି କମ୍ପାନି ସେମାନଙ୍କ ଉତ୍ପାଦର ମୂଲ୍ୟବୃଦ୍ଧି ନେଇ ସଂକେତ ଦେଇଛନ୍ତି।

ସହରାଞ୍ଚଳରେ ବିକ୍ରି ମନ୍ଥର ହୋଇଥିବାରୁ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ, ଗୋଦ୍ରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଜିସିପିଏଲ୍), ମ୍ୟାରିକୋ, ଆଇଟିସି, ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଟିସିପିଏଲ୍) ଆଦି କମ୍ପାନି ଚିନ୍ତାବ୍ୟକ୍ତ କରିଛନ୍ତି। ବଜାର ବିଶ୍ଳେଷକଙ୍କ କହିବାନୁଯାୟୀ ଦେଶର ମୋଟ୍ ଏଫ୍ଏମ୍ସିଜି ବଜାରରେ ସହରାଞ୍ଚଳର ଅଂଶ ହେଉଛି ୬୫ରୁ ୬୮ ପ୍ରତିଶତ। ସାମୟିକ ଭାବେ ଏଫ୍ଏମ୍ସିଜି କମ୍ପାନି ପ୍ରଭାବିତ ହୋଇଛନ୍ତି। ଦରରେ ଯୁକ୍ତିଯୁକ୍ତ ବୃଦ୍ଧି କରି ଲାଭରେ ହେଉଥିବା ହ୍ରାସରେ ସୁଧାର ଅଣାଯିବ ବୋଲି ଜିସିପିଏଲ୍ର ଏମ୍ଡି ତଥା ସିଇଓ ସୁଧୀର ସୀତାପତି କମ୍ପାନିର ଦ୍ବିତୀୟ ତ୍ରୟମାସ ଆର୍ଥିକ ଫଳାଫଳ ରିପୋର୍ଟରେ କହିଛନ୍ତି। ଡାବର ଇଣ୍ଡିଆର ପକ୍ଷରୁ କୁହାଯାଇଛି ସେପ୍ଟେମ୍ବର ତ୍ରୟମାସ ଆହ୍ବାନପୂର୍ଣ୍ଣ ଥିଲା। ଉଚ୍ଚ ମୁଦ୍ରାସ୍ଫୀତି ସହିତ ସହରାଞ୍ଚଳରେ ଚାହିଦା ସଂକୁଚିତ ହେବା ଫଳରେ ଏହି ସମସ୍ୟା ଦେଖାଦେଇଥିଲା।

ନିକଟରେ ନେସ୍ଲେ ଇଣ୍ଡିଆର ସିଏମ୍ଡି ସୁରେଶ ନାରାୟଣ ମଧ୍ୟ ବିକ୍ରି ହ୍ରାସ ପାଇଁ ଚିନ୍ତା ପ୍ରକଟ କରିଥିଲେ। ଉଚ୍ଚ ମୁଦ୍ରାସ୍ଫୀତି କାରଣରୁ ପରିବାରଗୁଡ଼ିକର ବଜେଟ୍ ବିଗିଡ଼ି ଯାଇଛି। କିଛି ମାସ ପୂର୍ବେ ଖାଦ୍ୟ ଏବଂ ପାନୀୟ ବର୍ଗର ସାମଗ୍ରୀ ଚାହିଦା ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ରହିଥିଲା। କିନ୍ତୁ ସଂପ୍ରତି ଏହାର ଅଭିବୃଦ୍ଧି ୧.୫ରୁ ୨ ପ୍ରତିଶତ ସ୍ତରକୁ ହ୍ରାସ ପାଇଛି ବୋଲି ନାରାୟଣ କହିଛନ୍ତି। ଟିୟର ୧ ଏବଂ ତା ଠାରୁ ଛୋଟ ସହରଗୁଡ଼ିକରେ ଚାହିଦା ଅପେକ୍ଷାକୃତ ଭାବେ ସ୍ଥିର ରହିଥିଲେ ମଧ୍ୟ ବଡ଼ ସହର ଏବଂ ମେଟ୍ରୋଗୁଡ଼ିକରେ ଚାପ ଅଧିକ ରହିଛି। ସେହିଭଳି ଟିସିପିଏଲ୍ର ଏମ୍ଡି ତଥା ସିଇଓ ସୁନୀଲ ଡିସୌଜା କହିଛନ୍ତି ଯେ ସହରାଞ୍ଚଳରେ ଗ୍ରାହକଙ୍କ ଖର୍ଚ୍ଚ ପ୍ରଭାବିତ ହୋଇଛି।
କେତେକ ବିଶେଷଜ୍ଞଙ୍କ କହିବାନୁଯାୟୀ, ଲାଭରେ ହେଉଥିବା ହ୍ରାସକୁ ରୋକିବା ପାଇଁ ଏଫ୍ଏମ୍ସିଜି କମ୍ପାନିଗୁଡ଼ିକ ଏକାଧିକ ରଣନୀତି ଆପଣାଇ ପାରନ୍ତି। ସେମାନଙ୍କ ନିକଟରେ ଗୋଟିଏ ବିକଳ୍ପ ହେଲା ସାମଗ୍ରୀର ଦରବୃଦ୍ଧି। ଅନ୍ୟଟି ହେଲା ଦର ସମାନ ରଖି ପ୍ୟାକେଟ୍ରେ କମ୍ ସାମଗ୍ରୀ ପ୍ରଦାନ କରିବା। ତେଣୁ କେଉଁ କମ୍ପାନି କି ରଣନୀତି ଗ୍ରହଣ କରିବ ତାହା ସେମାନଙ୍କ ଉପରେ ନିର୍ଭରଶୀଳ ବୋଲି କୁହାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button