ବେସରକାରୀ ଆମ୍ବୁଲାନ୍ସ ସଂଘର ଦାଦାଗିରି: ପୁଲିସ ଧମକ ପରେ ଛାଡ଼ିଲେ
ଭୁବନେଶ୍ବର: ଆଜି କ୍ୟାପିଟାଲ୍ ହସ୍ପିଟାଲ୍ରେ ବେସରକାରୀ ଆମ୍ବୁଲାନ୍ସ ସଂଘର ଦାଦାଗିରି ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରିଥିଲା। ଶବ ନେବାକୁ ଆସିଥିବା ବାହାରର ଏକ ଆମ୍ବୁଲାନ୍ସକୁ ବିରୋଧ କରି ସଂଘ ଗଣ୍ଡଗୋଳ କରିବାରୁ ଉତ୍ତରପ୍ରଦେଶ ଯିବାକୁ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ୩ ଘଣ୍ଟା କାଳ ଅଟକି ରହିଥିଲା। ପରିବାର ଲୋକେ କାକୁତିମିନତି ହୋଇଥିଲେ ବି ସଂଘ ନିଜ ଜିଦ୍ରେ ଅଟଳ ରହିଥିଲା।
ଶେଷରେ କ୍ୟାପିଟାଲ୍ ଥାନା ପୁଲିସ ଧମକ ଦେବାରୁ ଆମ୍ବୁଲାନ୍ସ ସଂଘ ପଛଘୁଞ୍ଚା ଦେଇଥିଲା ଏବଂ ମୃତଦେହ ନେଇ ପରିବାର ଲୋକେ ଉତ୍ତରପ୍ରଦେଶ ଅଭିମୁଖେ ବାହାରିଥିଲେ। ବାହାର ରାଜ୍ୟର ମୃତଦେହକୁ ଏଭଳି ଅସମ୍ମାନ ପ୍ରଦର୍ଶନ କରାଯାଇଥିବାରୁ ଆମ୍ବୁଲାନ୍ସ ସଂଘ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
୩ ଘଣ୍ଟା ଅଟକାଇଦେଲେ ମୃତଦେହ
ପୁଲିସ ଧମକ ପରେ ଛାଡ଼ିଲେ
ଉତ୍ତରପ୍ରଦେଶର କମଳେଶ ପାଣ୍ଡେ ନାମକ ଏହି ବ୍ୟକ୍ତିଜଣକ ଓଡ଼ିଶାରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଅସୁସ୍ଥତା ହେତୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେଣୁ କମ୍ପାନି କର୍ତ୍ତୃପକ୍ଷ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ। ଶବ ବ୍ୟବଚ୍ଛେଦ ପରେ କମଳେଶ କାମ କରୁଥିବା କମ୍ପାନି ସହ ଅନୁବନ୍ଧିତ ସଂସ୍ଥାର ଆମ୍ବୁଲାନ୍ସ ମୃତଦେହ ନେବାକୁ ଆସିଥିଲା। କିନ୍ତୁ ବାହାର ଆମ୍ବୁଲାନ୍ସ ଏଠାରୁ ମୃତଦେହ ନେଇପାରିବ ନାହିଁ ବୋଲି କହି ବେସରକାରୀ ଆମ୍ବୁଲାନ୍ସ ସଂସ୍ଥା ପାଟିତୁଣ୍ଡ କରିଥିଲେ। ସେମାନେ କମ୍ପାନି ଡାକିଥିବା ଆମ୍ବୁଲାନ୍ସକୁ ଧମକ ଦେଇ ପଳାଇବାକୁ କହିଥିଲେ। କମଳେଶଙ୍କ ପରିବାର ଲୋକେ ଓ କମ୍ପାନି କର୍ତ୍ତୃପକ୍ଷ ଯେତେ ବୁଝାସୁଝା କଲେ ବି ଘରୋଇ ଆମ୍ବୁଲାନ୍ସ ସଂଘର ସଦସ୍ୟମାନେ ଜିଦ୍ରେ ଅଟଳ ରହିଥିଲେ। ଏମିତିରେ ୩ ଘଣ୍ଟା ବିତିବା ପରେ କମ୍ପାନି କର୍ତ୍ତୃପକ୍ଷ ବାଧ୍ୟ ହୋଇ କ୍ୟାପିଟାଲ୍ ଥାନାକୁ ଫୋନ୍ କରି ଜଣାଇଥିଲେ। କ୍ୟାପିଟାଲ୍ ଥାନା ପୁଲିସ ଘଟଣାସ୍ଥଳକୁ ଆସିବା ପୂର୍ବରୁ ଫୋନ୍ କରି ବେସରକାରୀ ଆମ୍ବୁଲାନ୍ସ ସଂଘର ସଦସ୍ୟମାନଙ୍କୁ ଚେତାବନୀ ଦେଇଥିଲା। ୧୦ ମିନିଟ୍ ଭିତରେ ଉତ୍ତରପ୍ରଦେଶ ଯିବାକୁ ଥିବା ଆମ୍ବୁଲାନ୍ସକୁ ନ ଛାଡ଼ିଲେ, ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଧମକ ମିଳିଥିଲା। ଏହାପରେ ଗଣ୍ଡଗୋଳକାରୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।
ଘରୋଇ ଆମ୍ବୁଲାନ୍ସ ସଂଘର ଏଭଳି ଅମାନୁଷିକ କାଣ୍ଡ ବାବଦରେ କ୍ୟାପିଟାଲ୍ ହସ୍ପିଟାଲ୍ର ଭାରପ୍ରାପ୍ତ ନିର୍ଦ୍ଦେଶକ ଡା. ଦିଲୀପ ପଣ୍ଡା କହିଛନ୍ତି ଯେ କ୍ୟାପିଟାଲ୍ ହସ୍ପିଟାଲ୍ରେ ବେସରକାରୀ ଆମ୍ବୁଲାନ୍ସ ସଂଘ ଭଳି ସଂସ୍ଥା କିଛି ନାହିଁ। ବହୁ ପୂର୍ବରୁ ଆମ୍ବୁଲାନ୍ସ ସଂଘକୁ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରୁ ହଟାଇ ଦିଆଯାଇଛି। ସେମାନଙ୍କ ଫ୍ଲେକ୍ସକୁ ମଧ୍ୟ ହଟାଇ ଦିଆଯାଇଛି। ଯଦି ଏବେ ସେମାନେ ଏଭଳି କାଣ୍ଡ ଭିଆଇବା ଆରମ୍ଭ କଲେଣି, ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।