ଖେଳ

ନିଜ ଘରେ ଚିତ୍‌ପଟାଙ୍ଗ: ପ୍ରଥମ ଥର ସ୍ବଦେଶରେ ଭାରତ ମୂଳପୋଛ ହେଲା

ମୁମ୍ବାଇ: ତିନିମାସ ତଳେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ଏବେ ଏକ ଅପ୍ରତ୍ୟାଶିତ ଘରୋଇ ଲଜ୍ଜା ବରଣ କରିଛି। ପ୍ରଥମ ଥର ଏକ ୩ ମ୍ୟାଚ୍ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ମୂଳପୋଛ ହୋଇ ହାରିଛି। ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ଦଳ ଏହି ଅପଯଶ ଲଦିଛି ରୋହିତ ଶର୍ମାଙ୍କ ଦଳ ଉପରେ। ରବିବାର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଭାରତ ସାନ୍ତ୍ବନାମୂଳକ ବିଜୟ ସହ ସମ୍ମାନ ବଞ୍ଚାଇବାକୁ ସବୁ ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ବାସ୍ତବରେ ରୂପାନ୍ତର କରିପାରିନାହିଁ।

୧୪୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୨୧ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଯୁବ ଖେଳାଳିଙ୍କ ସହିତ ଦୁଇ ଅଭିଜ୍ଞ ବ୍ୟାଟର୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଫଳତା ପୁଣି ଥରେ ଭାରତକୁ ପଛକୁ ଠେଲି ଦେଇଥିଲା। କେବଳ ଋଷଭ ପନ୍ତ୍ ଏକା ଏକା ଲଢ଼ି ଘରୋଇ ଦଳକୁ ୨୯/୫ରୁ ୧୦୬/୬ ସ୍ଥିତିରେ ପହଞ୍ଚାଇବା ପରେ ଆଶା ବଢ଼ିଥିଲା। ଏକ ବିବାଦୀୟ ଆଉଟ୍ କାରଣରୁ ପନ୍ତ୍ଙ୍କ ବିଦାୟ ପରେ ପୁଣି ଭାରତୀୟ ପାଳି ତାସ ଘର ଭଳି ଭୁଶୁଡ଼ି ପଡ଼ିଥିଲା। ଏଜାଜ ପଟେଲ୍ ଓ ଗ୍ଲେନ୍ ଫିଲିପ୍ସ ମିଳିତ ଭାବେ ୯ ୱିକେଟ୍ ଦଖଲ କରି ଭାରତ ପାଳିକୁ ଶେଷ କରି ଦେଇଥିଲେ।

ମୁମ୍ବାଇ ଜନ୍ମିତ ଏଜାଜ୍ ଗତ ଭାରତ ଗସ୍ତରେ ୱାଙ୍ଖ୍ଡେରେ ଗୋଟିଏ ପାଳିରେ ୧୦ ୱିକେଟ୍ ନେଇ ଚର୍ଚ୍ଚିତ ହୋଇଥିଲେ। ଏଥର ସେ ପ୍ରଥମ ଦୁଇ ଟେଷ୍ଟ୍ରେ ସଂଘର୍ଷ କରିଥିଲେ ମଧ୍ୟ ୧୧ ୱିକେଟ୍ ନେଇ ନୂଆ କୃତିତ୍ବ ଅର୍ଜନ କରିଛନ୍ତି। କୌଣସି ଭ୍ରମଣକାରୀ ବୋଲର୍ ଏକ ନିର୍ଦ୍ଦିଷ୍ଟ ଭାରତୀୟ ପିଚ୍ରେ ଶ୍ରେଷ୍ଠ ସଫଳତା ଅର୍ଜନ କରିବା ସହ ଭାରତକୁ ଏକ ଅଲୋଡ଼ା ରେକର୍ଡ ମୁହଁକୁ ଠେଲି ଦେଇଛନ୍ତି। ପ୍ରଥମ ପାଳିରେ ୫/୧୦୩ ଓ ଦ୍ବିତୀୟ ପାଳିରେ ୬/୫୭ ଚିତ୍ର ସହ ସେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଛନ୍ତି। କଷ୍ଟକର ପିଚ୍ରେ ମୋଟ ୨୪୪ ରନ୍ ସଂଗ୍ରହ କରି ୱିଲ୍ ୟଙ୍ଗ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି। ଭାରତ ପାଇଁ ରବୀନ୍ଦ୍ର ଜାଡ଼େଜା ଉଭୟ ପାଳିରୁ ୧୦ ୱିକେଟ୍ (୫/୬୫ ଓ ୫/୫୫) ଏବଂ ଋଷଭ ପନ୍ତ୍ ଉଭୟ ପାଳିରେ ଅର୍ଦ୍ଧଶତକ (୬୦ ଓ ୬୪) ସଫଳତା ପାଇବା କିନ୍ତୁ ଭାରତକୁ ସମ୍ମାନ ବଞ୍ଚାଇବା ପାଇଁ ଯଥେଷ୍ଟ ହୋଇପାରିନାହିଁ।

ପଟେଲ୍ଙ୍କୁ ୧୧ ୱିକେଟ୍, ନ୍ୟୁଜିଲାଣ୍ଡ୍ ୩-୦ରେ ଜିତିଲା

ଭାରତର ଏହି ପରାଜୟ କାରଣରୁ ରୋହିତ ଶର୍ମାଙ୍କ ଦଳର ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ପ୍ରବେଶ ଆଶାକୁ ଅଧିକ ବିପଦରେ ପକାଇଦେଇଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳାରେ ଭାରତକୁ ଏବେ ୪-୦ ବିଜୟ ଆବଶ୍ୟକ ହେଉଛି। ଏଭଳି ହେଲେ ଭାରତ ନିଶ୍ଚିତ ଫାଇନାଲ୍ ଯାଇପାରିବ। ନଚେତ ଅନ୍ୟ ଦଳଗୁଡ଼ିକ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ନିର୍ଭର କରିବ। ନ୍ୟୁଜିଲାଣ୍ଡ୍ ପଏଣ୍ଟ ଟେବୁଲ୍ର ହାରାହାରି ପ୍ରତିଶତରେ ପ୍ରଥମରୁ ଦ୍ବିତୀୟକୁ ଖସି ଆସିଥିବା ବେଳେ ନ୍ୟୁଜିଲାଣ୍ଡ୍ ଚତୁର୍ଥକୁ ଉଠିଛି। ଅଷ୍ଟ୍ରେଲିଆ ଶୀର୍ଷକୁ ଉନ୍ନୀତ ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button