IBN ଓଡ଼ିଶା ବ୍ୟୁରୋ

ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ପଦ୍ମ ଭୂଷଣ ଡକ୍ଟର ଶାରଦା ସିହ୍ନା

ଉ ନାହାନ୍ତି ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ପଦ୍ମ ଭୂଷଣ ଡକ୍ଟର ଶାରଦା ସିହ୍ନା। ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।

କିଛି ଦିନ ହେଲା ଡକ୍ଟର ଶାରଦା ସିହ୍ନା ଅସୁସ୍ଥ ଥିଲେ। ସୋମବାର ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ତେବେ ମଙ୍ଗଳବାର ରାତିରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

ଶାରଦା ସିହ୍ନା ହେଉଛନ୍ତି ବିହାରର ଖ୍ୟାତନାମା ସଙ୍ଗୀତଜ୍ଞ। ବିହାରର କୋକିଳା କଣ୍ଠୀ ଭାବେ ସେ ବେଶ୍ ପରିଚିତ ଥିଲେ। ସେ ମୈଥିଳି, ଭୋଜପୁରୀ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇଛନ୍ତି।

ପଦ୍ମ ଭୂଷଣ ଡକ୍ଟର ଶାରଦା ସିହ୍ନା ୧୯୫୨ ମସିହା ଅକ୍ଟୋବର ୧ ତାରିଖରେ ବିହାରର ସୁପାଉଲ ଜିଲ୍ଲାର ହୁଲାସ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପିଲାବେଳୁ ତାଙ୍କର ସଙ୍ଗୀତ ପ୍ରତି ରୁଚି ରହିଥିଲା। ମୈଥିଳି ଲୋକ ଗୀତରୁ ସେ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏକ କଲେଜରେ ସଙ୍ଗୀତ ଅଧ୍ୟାପିକା ମଧ୍ୟ ଥିଲେ।

୮୦ ଦଶକରେ ସଙ୍ଗୀତ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଶାରଦା ସିହ୍ନା। ସେ ଅନେକ ବଲିଉଡ ସିନେମାରେ କଣ୍ଠଦାନ କରିଛନ୍ତି। କେବେଳ ସେତିକି ନୁହେଁ ୧୯୮୯ରେ ଏକ ବଲିଉଡ ସିନେମାରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମଧ୍ୟ ମିଳିଥିଲା।

ବିହାରରେ ଛଟ୍ ମାତାଙ୍କ ପୂଜା ଶାରଦାଙ୍କ ଗୀତ ବିନା ସମ୍ପନ୍ନ ହୁଏନି ବୋଲି କୁହାଯାଏ। ଛଟ ପୂଜା ଗୀତ ପାଇଁ ଶାରଦା ସିହ୍ନା ଘରେ ଘରେ ପରିଚିତ ଥିଲେ।

ସଂଗୀତ ପ୍ରତି ସମର୍ପଣ ପାଇଁ ତାଙ୍କୁ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଛି। ୧୯୯୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୦ ମସିହାରେ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ। ସଙ୍ଗୀତ ଜଗତକୁ ବିଶେଷ ଅବଦାନ ପାଇଁ ୨୦୧୮ ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର।

୨୦୦୫-୦୬ରେ ମଧ୍ୟପ୍ରଦେଶ ସରକାର ତାଙ୍କୁ ‘ଦେବୀ ଅହଲ୍ୟା ସମ୍ମାନ’ରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ତାଙ୍କୁ ଭିକାରୀ ଠାକୁର ସମ୍ମାନ, ବିହାର ଗୌରବ ସମ୍ମାନ, ବିହାର ରତ୍ନ ସମ୍ମାନ ଏବଂ ମିଥିଳା ବିଭୂତି ପରି ଅନେକ ସମ୍ମାନ ଓ ପୁରସ୍କାର ମିଳିଛି।

ପଦ୍ମ ଭୂଷଣ ଡକ୍ଟର ଶାରଦା ସିହ୍ନାଙ୍କ ବିୟୋଗ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button