ରାଜନୀତି

ମନମୋହନଙ୍କ କଥା ଗୋଟେ, କାମ ଆଉ ଗୋଟେ: ଆଗୁଆ ନିର୍ବାଚନ ହେବ କହୁଛନ୍ତି, ବିଜେପିର ପ୍ରସ୍ତୁତି ନାହିଁ – Ibnodisha

[ad_1]

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହୁଛନ୍ତି ସେପ୍ଟେମ୍ବରରେ ସରକାର ଭାଙ୍ଗିବା ସହ ଆଗୁଆ ନିର୍ବାଚନକୁ ଓହ୍ଲାଇବେ ରାଜ୍ୟ ସରକାର। ମନମୋହନଙ୍କ ସ୍ବରରୁ ଜଣାପଡ଼ୁଛି ଯେ ସେ ଆଗୁଆ ନିର୍ବାଚନ ନେଇ ନିଶ୍ଚିତ ଅଛନ୍ତି। ସମ୍ଭବତଃ ରାଜ୍ୟ ସରକାର ତାଙ୍କୁ ଜଣାଇ ସାରିଛନ୍ତି କିମ୍ବା କେନ୍ଦ୍ର ସରକାରଙ୍କ ସୂତ୍ରରୁ ସେ ଜାଣିଥିବେ। ହେଲେ ରାଜ୍ୟ ବିଜେପି କର୍ମୀମାନେ ଏବେ ନିଜ ଦଳର ସଭାପତିଙ୍କୁ ନେଇ ବେଶି ଅଡ଼ୁଆରେ ପଡ଼ିଛନ୍ତି। ଏହି ମହଲରେ ପ୍ରଶ୍ନ ଉଠିଛି ଯେ ଆଗୁଆ ନିର୍ବାଚନ ହେବ ବୋଲି ଜାଣି ନିଜେ ମନମୋହନ ବିଜେପି ପାଇଁ କି ପ୍ରସ୍ତୁତି ଚଳାଇଛନ୍ତି? କ୍ଷମତାସୀନ ବିଜେଡିକୁ ଶାସନ ଗାଦିରୁ ହଟାଇବା ପାଇଁ ଯେଉଁ ରଣନୀତି ଦରକାର,ସେସବୁ ବିଜେପି କେବେ ଆରମ୍ଭ କରିବ? ତୃଣମୂଳସ୍ତରରେ କିଛି କାର୍ଯ୍ୟକ୍ରମ ହେଉନି କି ରାଜ୍ୟସ୍ତରରେ। କେବଳ କେନ୍ଦ୍ରୀୟ ନେତା ଆସିଲେ ରାଜ୍ୟ ପଦାଧିକାରୀଙ୍କ ସହିତ ବୈଠକ କରୁଛନ୍ତି। ଗଣମାଧ୍ୟମରେ କୁହାଯାଉଛି, ଦଳକୁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରୀୟ ନେତା। ହେଲେ ଏସବୁ ମନ୍ତ୍ର ରାଜ୍ୟ ପଦାଧିକାରୀମାନେ କେବେ କର୍ମୀଙ୍କ କାନରେ ଫୁଙ୍କିବେ, ତାହା କେହି ଜାଣିପାରୁନାହାନ୍ତି। ବିଜେପି ଆଭ୍ୟନ୍ତରୀଣ ମହଲରେ ଚର୍ଚ୍ଚା ହେଉଛି ଯେ ନିକଟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସିଥିବାବେଳେ ରାଜ୍ୟ ପଦାଧିକାରୀ, କୋର୍‌ କମିଟି ସଦସ୍ୟ, ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ କହିଥିଲେ ଯେ ଆଗାମୀ ଦିନରେ ଓଡ଼ିଶାରେ କିପରି ସରକାର ଗଢ଼ାଯିବ ସେଥିପାଇଁ ଶାହ ଗୁରୁ ମନ୍ତ୍ର ଦେଇଛନ୍ତି। ଶାହ କହିଛନ୍ତି, ବୁଥ୍‌ ସ୍ତରରେ ସଂଗଠନକୁ ସଶକ୍ତ କରିବା ସହ ଲୋକଙ୍କର ଅସୁବିଧା, ଅବ୍ୟବସ୍ଥା, ଦୁର୍ଗତି ଏବଂ ଭ୍ରଷ୍ଟାଚାର ବିରୋଧରେ ଜନଆନ୍ଦୋଳନ କର। ଆଗାମୀ ଦିନରେ କିଭଳି ପଞ୍ଚାୟତ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତର ପର୍ଯ୍ୟନ୍ତ ଜନଆନ୍ଦୋଳନ କରାଯିବ ସେନେଇ କାର୍ଯ୍ୟ ଖସଡ଼ା ଦେଇଥିଲେ।

ଏହାର ଦୁଇ ଦିନ ପରେ ଦଳ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ କୁହାଗଲା ଅଗଷ୍ଟ ୯ (କ୍ରାନ୍ତି ଦିବସ)ରୁ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମପଞ୍ଚାୟତ ସମେତ ପୌରାଞ୍ଚଳ, ମହାନଗର ନିଗମର ସମସ୍ତ ୱାର୍ଡର ପ୍ରମୁଖ ସ୍ଥାନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ। ଦୁର୍ନୀତି ଓ ଭ୍ରଷ୍ଟଚାରୀ ବିଜେଡ଼ି ସରକାରକୁ ଗାଦିଚ୍ୟୁତ କରିବାକୁ ତୃଣମୂଳସ୍ତରରୁ ଆନ୍ଦୋଳନ କରାଯିବ। ହେଲେ କେଉଁଠି ବି ଆନ୍ଦୋଳନ ହେଉଥିବା ଦେଖିବାକୁ ମିଳିଲାନି କି ଦଳ ପକ୍ଷରୁ ଜଣାଗଲାନି। ଅର୍ଥାତ୍ ଶାହଙ୍କ ନିଷ୍ପତ୍ତି ଦଳୀୟ ନେତାଙ୍କ ଭିତରେ ଅଟକିଗଲା।

ଅସଲରେ ଗ୍ରାମପଞ୍ଚାୟତରୁ ପୌରାଞ୍ଚଳ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ଦୋଳନର କିଏ ମଙ୍ଗ ଧରିବ? ନେତା ଅଛନ୍ତି। ହେଲେ ଏଯାଏ ଦଳ ସେମାନଙ୍କୁ ଆଗକୁ ବଢ଼ିବା ଲାଗି ସବୁଜ ସଙ୍କେତ ଦେଇନି। ଏଣୁ କିଏ କାହିଁକି ଏବେଠାରୁ ଖର୍ଚ୍ଚାନ୍ତ ହେବ? ସେପଟେ ବିଜେପି ଗତ ୪ତାରିଖରେ ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ନାଁ ‌ଘୋଷଣା କରିଥିଲେ ବି ଜିଲ୍ଲା ସଭାପତି, ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା, ମଣ୍ଡଳ ସଭାପତି ଆଦିଙ୍କ ତାଲିକା ଆଜି ପର୍ଯ୍ୟନ୍ତ ଘୋଷଣା କରିପାରୁନି। ପୁରୁଣା ଜିଲ୍ଲା ଓ ମଣ୍ଡଳ ସଭାପତିମାନେ କାମ ଜାରି ରଖିବେ କି ନାହିଁ, ତାହା ବି ସ୍ପଷ୍ଟ କରାଯାଉ ନାହିଁ। ଜିଲ୍ଲା ଓ କ୍ଷେତ୍ରୀୟସ୍ତରୀୟ ସଂଗଠନ ସମ୍ପର୍କରେ କିଛି ସ୍ପଷ୍ଟତା ନଥିବାରୁ ଦଳ ଯେତେ ଆନ୍ଦୋଳନ କରିବ ବୋଲି କହିଲେ ବି ତାହା କାର୍ଯ୍ୟକାରୀ ହୋଇପାରୁନି। ଏବେ ଯେଉଁ ନେତା ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାରର ପ୍ରଚାର କରୁନାହାନ୍ତି ସେମାନେ କେତେବେଳେ କେନ୍ଦ୍ର ସରକାରଙ୍କ ସଫଳ ଯୋଜନାର ପ୍ରଚାର କରିବେ ସେନେଇ ମଧ୍ୟ ଦଳ ପକ୍ଷରୁ କିଛି ରଣନୀତି ପ୍ରସ୍ତୁତ ହୋଇନି। ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକ୍ରମ ବି କେବଳ କିଛି ନିର୍ବାଚନ ମଣ୍ଡଳୀସ୍ତରରେ ସୀମିତ ରହିଛି।

ବିଜେପିର ଗୋଟିଏ ଗୋଷ୍ଠୀର କହିବାନୁଯାୟୀ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତ କରି ଫେରିବା ପରେ ଦଳ ଆହୁରି ଅକଳରେ ପଡ଼ିଯାଇଛି। ବିରୋଧ କରିବେ ନା ନାହିଁ, ଯଦି ବିରୋଧ କରିବେ କେତେ ମାତ୍ରାରେ କରିବେ ସେନେଇ କର୍ମୀ ପଚାରୁଛନ୍ତି। ଯିଏ ଯେତେ ବିରୋଧ କଲେ ହେଁ ଦଳର ଜାତୀୟ ନେତୃତ୍ବ ଯେତେବେଳ ପର୍ଯ୍ୟନ୍ତ ଆକ୍ରମଣାତ୍ମକ ହୋଇନାହାନ୍ତି ସେତେବେଳ ପର୍ଯ୍ୟନ୍ତ ରାଜ୍ୟରେ ‌ବିଜେପି ଭୋଟ୍ ବଢ଼ିବନି। ଏହା ଜାତୀୟ ନେତୃତ୍ବ ଜାଣିକି ବି ବିଜେଡି ନେତାଙ୍କ ସହ ହାତକୁ ହାତ ମିଳାଇ ନିର୍ବାଚନ ବର୍ଷରେ ପ୍ରଶଂସା କରୁଛନ୍ତି। ଏସବୁ କର୍ମୀଙ୍କୁ ହତାଶ କରିଦେଉଛି। ଏହାବାଦ୍ ନିକଟରେ ବିଭିନ୍ନ ମୋର୍ଚ୍ଚା ସଭାପତି ଓ ପଦାଧିକାରୀ ବଦଳିଥିବାରୁ ସେମାନେ ବି ଏପର୍ଯ୍ୟନ୍ତ ନୂଆ ନେତୃତ୍ବକୁ ଅାପଣାଇ ପାରିନାହାନ୍ତି। ଏଥିପାଇଁ କିଛି ସମୟ ଲାଗିବ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଦଳ ଯେତେବେଳେ ଗାଁରୁ ସହର ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ଘୋଷଣା କଲା, ସେତେବେଳେ ମୁଖ୍ୟାଳୟରୁ ନିର୍ଦ୍ଦେଶ ଆସିଲା ‌ଯେ ତ୍ରିରଙ୍ଗା ଯାତ୍ରା କର। ତେଣୁ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ହେଲା। ଆଉ ଆନ୍ଦୋଳନ କରିବାକୁ ସମୟ ହେଲାନି। ଆମେ ତ ବର୍ଷତମାମ୍ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଛୁ। ଜିଲ୍ଲାସ୍ତରୀୟ ସଂଗଠନ ନେଇ ରାଜ୍ୟ ସଭାପତି କାହିଁକି ‌ଘୋଷଣା କରୁନାହାନ୍ତି ତାହା ସେ ହିଁ କହିପାରିବେ। ବାକି ସବୁ କଥା ସମସ୍ତଙ୍କୁ ଜଣା। ଅସଲରେ ବିଜେପି-ବିଜେଡି ଏକାଠି ଯିବେ କି ଅଲଗା ଯିବେ, ସେ ସଂକ୍ରାନ୍ତରେ କର୍ମୀଙ୍କ ମନରେ ଯେଉଁ ଦ୍ବନ୍ଦ୍ବ ବୁଣି ଦିଆଗଲା, ତାର ସମାଧାନ ଲାଗି କେହି ଉଦ୍ୟମ କରୁନାହାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button