କୋଚିଂ ସେଣ୍ଟର୍ରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ଏନ୍ଏଚ୍ଆର୍ସିକୁ ଗଲା ମାମଲା
ଭୁବନେଶ୍ୱର,୦୯/୧୧: ପଟିଆସ୍ଥିତ ଏକ କୋଚିଂ ସେଣ୍ଟରରେ ଛାତ୍ରୀ କଲ୍ୟାଣୀ ସାହୁଙ୍କ ଆତ୍ମହତ୍ୟା ଘଟଣା ଜାତୀୟ ମାନବାଧିକାର ଆୟୋଗ(ଏନ୍ଏଚ୍ଆର୍ସି)ଙ୍କ ଠାରେ ପହଞ୍ଚିଛି । ଏନେଇ ମାନବାଧିକାର କର୍ମୀ ଜୟନ୍ତ ଦାସ ଏକ ପିଟିସନ ଦାଖଲ କରିଛନ୍ତି । ଯଥାଶୀଘ୍ର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ।
ପିଟିସନରେ ଉଲ୍ଲେଖ ରହିଛି, ତଦନ୍ତ ବେଳେ କୋଚିଂ ସେଣ୍ଟରରେ ପଢ଼ୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ମାନସିକସ୍ଥିତି ପରଖା ଯାଉ । କୋଚିଂ ସେଣ୍ଟର ପରିଚାଳନା ପାଇଁ ଗାଇଡ୍ଲାଇନ୍ ପାଳନ ହେଉଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉ । ମୃତକଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ନିୟମିତ ଅନ୍ତରାଳରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ଓ କୋଚିଂ ସେଣ୍ଟର ସହ ହଷ୍ଟେଲର ବାତାବରଣକୁ ପରଖାଯାଉ ।
ସୂଚନାଯୋଗ୍ୟ, କଲ୍ୟାଣୀ ଉକ୍ତ କୋଚିଂ ସେଣ୍ଟରରେ ନିଟ୍ କୋଚିଂ ନେଉଥିଲେ। ଗତ ଫିଜିକ୍ସ ପରୀକ୍ଷାରେ ସେ ଭଲ ପ୍ରଦର୍ଶନ କରିନଥିଲେ। ସେଥିପାଇଁ ମାନସିକସ୍ତରରେ ଭାଙ୍ଗି ପଡିଥିଲେ । ଗତକାଲି ସକାଳେ ଫିଜିକ୍ସର ଆଉ ଏକ ପରୀକ୍ଷା ଥିଲା । ପରୀକ୍ଷା ଦେବା ପୂର୍ବରୁ କଲ୍ୟାଣୀ ନିଜ ରୁମ୍ରେ ଚୁନି ଲଗାଇ ଝୁଲି ପଡିଥିଲେ।