ରାଜଧାନୀର ଦୁଇଟି ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା, ଏକାଧିକ ଆହତ
ଭୁବନେଶ୍ୱର,୧୦/୧୧: ରାଜଧାନୀର ରାଜରାସ୍ତାରେ ଗୋଟିଏ ଦିନରେ ହେଲା ଏକାଧିକ ଦୁର୍ଘଟଣା। ଡ଼ମଣା ଛକରେ ଏକ କାର୍ ସୂଚକ ଖୁଣ୍ଟି ଭାଙ୍ଗିବା ସହ ବୟସ୍କ ଦମ୍ପତ୍ତିଙ୍କ ଉପରେ ଚଢ଼ି ଯାଇଥିବା ବେଳେ ନୟାପଲ୍ଲୀ ଓଭର ବ୍ରିଜ ଉପରେ ଦ୍ରୁତ ଗତିରେ ଯାଉଥିବା ଦୁଇଟି ଏସୟୁଭି କାର୍ ଗୋଟିଏ ଟ୍ରକ ପଛରେ ପଛକୁ ପଛ ଧକ୍କା ହୋଇଛି ।
ସୂଚନା ମୁତାବକ, ରାଜଧାନୀର ଡମଣା ଛକ ଏବଂ ନୟାପଲ୍ଲୀ ଓଭର୍ ବ୍ରିଜରେ ହୋଇଛି ସଡ଼କ ଦୁର୍ଘଟଣା ।
ତେବେ ଡମଣା ଛକରେ ଏକ କାର୍ଟି ଦ୍ରୁତ ଗତିରେ ଆସି ସୂଚକ ଖୁଣ୍ଟିକୁ ଧକ୍କା ଦେଇଥିଲା । ଫଳରେ ସୂଚକ ଖୁଣ୍ଟି ଭାଙ୍ଗି ଯାଇଥିଲା । ଏହି ସମୟରେ ରାସ୍ତା ପାରି ହେବାକୁ ଠିଆ ହୋଇଥିବା ବୟସ୍କ ଦମ୍ପତ୍ତିଙ୍କ ଉପରେ ମଧ୍ୟ କାର୍ଟି ଚଢ଼ି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ଡ଼ମଣା ଛକରେ ନିଶାସକ୍ତ କାର୍ ଚାଳକଙ୍କୁ କାବୁ କରି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି କାର୍ ଓ ସ୍କୁଟର ଜବତ କରି ସ୍ଥିତି ନିୟନ୍ତ୍ରଣ କରିଥିଲେ ।
ସେହି ପରି ଆଉ ଏକ ଦୁର୍ଘଟଣା ନୟାପଲ୍ଲୀ ଓଭର ବ୍ରିଜ୍ ଉପରେ ହୋଇଛି । ନୟାପଲ୍ଲୀ ଓଭର ବ୍ରିଜ୍ ଉପରେ ଦ୍ରୁତ ଗତିରେ ଦୁଇଟି ଏସୟୁଭି କାର୍ ଯାଉଥିଲା । ଏହି ସମୟରେ ହଠାତ ଉଭୟ କାର୍ ଗୋଟିଏ ଟ୍ରକ ପଛରେ ପଛକୁ ପଛ ଧକ୍କା ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ଆହତ ଲୋକଙ୍କୁ ମେଡିକାଲ ପଠାଇଲେ ।
ତେବେ ୫ଦିନ ତଳେ ଡମଣା ଛକରେ କାର୍ ଧକ୍କାରେ ଟ୍ରାଫିକ ପୋଷ୍ଟ ଉଡ଼ିଥିବା ବେଳେ ଆଜି ରାଜଧାନୀର ବିଭିନ୍ନ ଜାଗାରେ ଏପରି ଦୁର୍ଘଟଣା ଘଟିଛି । ସେପଟେ କମିଶନରେଟ ପୋଲିସ ପକ୍ଷରୁ ପ୍ରତ୍ୟେକ ଶନିବାର ହେଉଥିବା ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବନ୍ଦ ଥିବା ବେଳେ ଗତ ୧୫ଦିନରେ ନିଶାସକ୍ତ ଚାଳକଙ୍କ ଲାଗି କେବଳ ଚନ୍ଦ୍ରଶେଖରପୁର ଏବଂ ନୟାପଲ୍ଲୀ ଅଞ୍ଚଳରେ ୧୦ରୁ ଅଧିକ ଦୁର୍ଘଟଣା ଘଟି ପଥଚାରୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ।