ବର୍ଡର ଗାଭାସ୍କର ଟ୍ରଫି: ରୋହିତ ନ ଖେଳିଲେ କିଏ ହେବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଅଧିନାୟକ ?
ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଅନୁପସ୍ଥିତ ରହିପାରନ୍ତି । ଯଦି ରୋହିତ ପର୍ଥ ଟେଷ୍ଟରେ ଉପଲବ୍ଧ ନ ହେବେ, ତେବେ ଯଶପ୍ରୀତ ବୁମ୍ରା ଭାରତୀୟ ଟିମର ନେତୃତ୍ୱ ନେବେ । ଭାରତୀୟ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏକଥାକୁ ନିଶ୍ଚିତ କରିଛନ୍ତି ।
ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର କହିଛନ୍ତି, “ବୁମ୍ରା ହେଉଛନ୍ତି ଭାରତୀୟ ଟେଷ୍ଟ ଟିମର ଉପ ଅଧିନାୟକ।
ଯଦି ରୋହିତ ଉପଲବ୍ଧ ନ ହେବେ, ତା’ହେଲେ ବୁମ୍ରା ପର୍ଥରେ ଭାରତୀୟ ଟିମର ନେତୃତ୍ୱ ନେବେ।
ବର୍ଡର ଗାଭାସ୍କର ଟ୍ରଫି ପାଇଁ ପ୍ରଥମ ଦଫାରେ କିଛି ଖେଳାଳି ରବିବାର ଠାରୁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି । ଦ୍ୱିତୀୟ ଦଫାରେ ଗମ୍ଭୀରଙ୍କ ସହ ଅନ୍ୟମାନେ ଆଜି ଠାରୁ ଅଷ୍ଟ୍ରେଲିଆ ଗସ୍ତ କରିବେ। ତେବେ ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆ ଗସ୍ତ କରିବେ ନାହିଁ ।
ତେବେ ବ୍ୟକ୍ତିଗତ କାରଣ ପାଇଁ ସେ ପ୍ରଥମ ଟେଷ୍ଟ ଖେଳି ନ ପାରନ୍ତି । କିନ୍ତୁ ମୁଖ୍ୟ କୋଚ ଗମ୍ଭୀର ଏଯାଏ ତାଙ୍କ ଅନୁପସ୍ଥିତିକୁ ନିଶ୍ଚିତ କରି ନାହାନ୍ତି। ସେ କହିଛନ୍ତି, “ରୋହିତଙ୍କୁ ନେଇ ଏବେ କି କିଛି ନିଶ୍ଚିତ ହୋଇନି । ଆମା ଆଶା ସେ ଖେଳିବେ। ସିରିଜର ଠିକ ପୂର୍ବରୁ ଆମେ ଏକଥା ଆପଣମାନଙ୍କୁ ଜଣାଇ ଦେବୁ ।”
ରୋହିତଙ୍କ ବିକଳ୍ପ ପାଇଁ ମ୍ୟାନେଜମେଣ୍ଟ ବ୍ୟାକଅପ ପ୍ଲାନ ପ୍ରସ୍ତୁତ କରି ରଖିଛି। ଗମ୍ଭୀର ମଧ୍ୟ ଏକଥାକୁ ଦୋହରାଇଛନ୍ତି । ରୋହିତ ଉପଲବ୍ଧ ନ ହେଲେ ଅଭିମନ୍ୟୁ ଈଶ୍ୱରନ କିମ୍ବା କେଏଲ ରାହୁଲ ଅଷ୍ଟ୍ରେଲିଆରେ ଭାରତ ପାଇଁ ଯଶସ୍ୱୀ ଜୈସୱାଲଙ୍କ ସହ ଇନିଂସ ଆରମ୍ଭ କରିବେ ।
ଗମ୍ଭୀର କହିଛନ୍ତି, “ଆମ ପାଖରେ ଅଭିମନ୍ୟୁ ଈଶ୍ୱରନ ଓ କେଏଲ ରାହୁଲଙ୍କ ଭଳି ଖେଳାଳି ସ୍କ୍ୱାଡରେ ରହିଛନ୍ତି । ତେଣୁ ଆମେ ଶ୍ରେଷ୍ଠ ଏକାଦଶ ଚୟନ କରିବୁ । ପ୍ରଥମ ଟେଷ୍ଟ ପୂର୍ବରୁ ଏହା ଉପରେ ନିଷ୍ପତ୍ତି ହେବ ।