ପଞ୍ଚୁକରେ ପରିବା ଦର ଆକାଶ ଛୁଆଁ

ଭୁବନେଶ୍ବର: କାର୍ତ୍ତିକ ମାସ ଓ ପଞ୍ଚୁକ ପାଇଁ ଏବେ ଆକାଶ ଛୁଆଁ ହୋଇଛି ପରିବା ଦର । ବଜାରକୁ ୧୦୦୦ ଟଙ୍କା ନେଇକି ଗଲେ ବି ବ୍ୟାଗ୍ ଟିଏ ପରିବା ହେଉନି । ଯେଉଁ ପରିବାକୁ ଛୁଇଁଲେ ନିଆଁ ପରି ଦର କରୁଛନ୍ତି ଦୋକାନୀ ଫଳରେ ଇଚ୍ଛା ଥିଲେ ବି ମୁହଁ ଫେରେଇ ଆଣୁଛନ୍ତି ଗ୍ରାହକ ।
ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଯାଇଥିବାବେଳେ ଏବେ ନାନା ରକମର ପରିବା ମିଳୁଛି ।
ହେଲେ ସବୁ ପରିବାର ଦର ପାଖାପାଖି ୧୦୦ ଟଙ୍କା ଏବଂ କିଛି ପରିବାର ଦର ୧୦୦ଟଙ୍କା ଉପରେ ମଧ୍ୟ ରହିଛି । ଲୋକେ ପରିବା ଦର ଶୁଣି ୧ କେଜି ବଦଳରେ କେବଳ ନିହାତି ଆବଶ୍ୟକ ହେଉଥିବାରୁ ୨୫୦ଗ୍ରାମ କିମ୍ବା ଅଧା କେଜି ପରିବା ନେଇକି ଘରକୁ ଯାଉଛନ୍ତି ।
ସୂଚନା ଅନୁସାରେ, ଭୁବନେଶ୍ୱରର ଏକ ନମ୍ବର ମାର୍କେଟ୍ ରେ ବର୍ତ୍ତମାନ କାଙ୍କଡ ଦର ୧୦୦ରୁ ଉର୍ଦ୍ଧ୍ବ ଟଙ୍କା ଥିବାବେଳେ, ବାଇଗଣ ୬୦ ଟଙ୍କା ରହିଛି, ସେହିପରି ପୋଟଳ ୬୦ ରୁ୮୦, ବିନ୍ ଛୁଇଁ ୮୦, ଫୁଲ କୋବି ଗୋଟା ୬୦, ଟମାଟୁ ୪୦, ସାରୁ ୬୦ରୁ ଟଙ୍କା ଉପରେ । କଦଳୀ ଗୋଟା ୧୦ ରୁ ୧୫ ଟଙ୍କା ଉପରେ ରହିଛି ।
ଏହି ସାଧାରଣ ଘରୋଇ ପନିପରିବା ଗୁଡିକର ଆକାଶଛୁଆଁ ମୂଲ୍ୟରେ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯେଉଁମାନଙ୍କର ଆୟ କମ୍ ଏବଂ ମଧ୍ୟବିତ୍ତ ପରିବାର ପନିପରିବା ଦର ବୃଦ୍ଧି ଯୋଗୁ ଅଧିକ ପ୍ରଭାବିତ ହେଉଛନ୍ତି ।



