ବାୟୁସେନା ଅଧିକାରୀଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ
ରାଇରଙ୍ଗପୁର: ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭାରତୀୟ ବାୟୁ ସେନାପକ୍ଷରୁ ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ମହାବିଦ୍ୟାଳୟ,ବିଜାତଳାର କେସିଡିକେ ମହାବିଦ୍ୟାଳୟ ଓ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭାରତୀୟ ବାୟୁ ସେନାର ବିଭିନ୍ନ ବୈଷୟିକ ତଥା ଅଣ ବୈଷୟିକ ଚାକିରିରେ ଭର୍ତ୍ତି ପାଇଁ ବାୟୁସେନାର ଅଧିକାରୀ ମାନଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ(ବୃତ୍ତି ପରାମର୍ଶ) କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ୯- ଏୟାରମେନ ସିଲେକ୍ସନ ସେଣ୍ଟରର ବାୟୁସେନା ସରଜେଣ୍ଟ ରବି ସିଂ, ସରଜେଣ୍ଟ ବିପିନ ସାହୁ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ ବସନ୍ତିଆ ଛାତ୍ରଛାତ୍ରୀଙ୍କ କାଉଁସିଲିଂ କରିଥିଲେ।
ବିଶେଷ କରି +୨ ଉତ୍ତୀର୍ଣ୍ଣ ହେବା ପରେ ଯୁବକ-ଯୁବତୀମାନେ ଭାରତୀୟ ବାୟୁସେନାର ଅଗ୍ନିବୀର ପାଇଁ କିପରି ଆବେଦନ କରିବେ ଏବଂ ସେଥିପାଇଁ ଅନ୍ୟାନ୍ୟ ଯୋଗ୍ୟତା ସୂଚକ ମାପକାଠି ସମ୍ଭନ୍ଧରେ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ତତସହିତ ବାୟୁସେନାରେ ରହିଥିବା ବିଭିନ୍ନ ପଦ ପଦବିର ଚାକିରିରେ ପ୍ରବେଶ କରିବା ନିମନ୍ତେ ଶିକ୍ଷାଗତ ଯୋଗ୍ୟତା, ଶାରୀରିକ ଗଠନ ଯୋଗ୍ୟତା, ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଉପରେ ଆଲୋକପାତ କରିବା ସହିତ ଚାକିରିର ସର୍ତ୍ତାବଳି ଓ ଭବିଷ୍ୟତର ପଦନ୍ନତି ସମ୍ଭନ୍ଧରେ ଆଲୋଚନା କରିଥିଲେ। ପିଲାମାନଙ୍କ ସହିତ ଭାବ ବିନିମୟ ଜରିଆରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସନ୍ଦେହ ଦୂରୀଭୂତ କରିଥିଲେ ଏବଂ ଆଗାମୀ ସମୟରେ ବହୁ ସଂଖ୍ୟାରେ ଆବେଦନ ପାଇଁ ଉତ୍ସାହିତ କରିଥିଲେ।
+୨ ଉତ୍ତୀର୍ଣ୍ଣ ହେବା ପରେ ଯୁବକ-ଯୁବତୀମାନେ ଭାରତୀୟ ବାୟୁସେନାର ଅଗ୍ନିବୀର ପାଇଁ କିପରି ଆବେଦନ କରିବେ ଏବଂ ସେଥିପାଇଁ ଅନ୍ୟାନ୍ୟ ଯୋଗ୍ୟତା ସୂଚକ ମାପକାଠି ସମ୍ଭନ୍ଧରେ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଉକ୍ତ କ୍ୟାରିଅର ପରାମର୍ଶ କାର୍ଯ୍ୟକ୍ରମରେ କେସିଡିକେ କଲେଜର ୨ ଶହ ଜଣ, ରାଇରଙ୍ଗପୁର କଲେଜର ୧୬୦ ଜଣ ଓ ରାଇରଙ୍ଗପୁର ମହିଳା କଲେଜର ୧୮୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନଙ୍କ ପରାମର୍ଶ କ୍ରମେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କୁ ମଧ୍ୟ ସେନା ଅଧିକାରୀମାନେ ବାୟୁ ସେନାରେ ବିଭିନ୍ନ ଚାକିରିରେ ଭର୍ତ୍ତି ପାଇଁ ବର୍ତମାନରୁ କିପରି ନିଜକୁ ପ୍ରସ୍ତୁତ କରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ।