ରାଜନୀତି

ଓଡ଼ିଶାରେ ହେବ ଏନ୍ଆର୍‌ଆଇ ଦିବସ: ଜାନୁଆରି ୮ରୁ ତିନି ଦିନ

ନୂଆଦିଲ୍ଲୀ: ୧୮ତମ ପ୍ରବାସୀ ଭାରତୀୟ (ଏନ୍ଆର୍ଆଇ) ଦିବସରେ ୭ ହଜାର ପ୍ରତିନିଧି ଓ ଅତିଥିଙ୍କୁ ସ୍ବାଗତ କରାଯିବ। ଆଜି ଏନ୍ଆର୍ଆଇ ଦିବସ ୱେବ୍ସାଇଟ୍ ଲୋକାର୍ପଣ ଅବସରରେ ଏହା କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା ବର୍ଷ ଜାନୁଆରି ୮ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ବରରେ ଏହାର ଆୟୋଜନ କରାଯିବ। ଏଥି ପାଇଁ ଉଦ୍ଦିଷ୍ଟ ୱେବ୍ସାଇଟ୍କୁ ଆଜି ଲୋକାର୍ପଣ କରାଯାଇଛି।

ସ୍ଥାନୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟସ୍ଥିତ ଜବାହରଲାଲ ନେହରୁ ଭବନର ସିବି ମୁଥାମା ହଲରେ ଆୟୋଜିତ ଉତ୍ସବରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଉପସ୍ଥିତିରେ ହୋଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ଓଡ଼ିଶାକୁ ଚୟନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୱେବ୍ସାଇଟ୍ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଏଭଳି ଏକ ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହେବା ଗୌରବର କଥା। ପ୍ରବାସୀ ଭାରତୀୟ ଦିବସକୁ ସ୍ମରଣୀୟ ତଥା ସଫଳତାପୂର୍ବକ ଆୟୋଜନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଏଥି ପାଇଁ ସ୍ଥାନ, ରହଣି, ପରିବହନ, ସୁରକ୍ଷା, ପ୍ରୋଟୋକଲ୍, ପ୍ରର୍ଦଶନୀ, ମିଡିଆ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସଂପର୍କିତ କମିଟିଗୁଡ଼ିକୁ ଗଠନ କରାଯାଇଛି। ଏହି ଦିବସ ଅବସରରେ ସମାନ୍ତରଳ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ଏବଂ ଓଡ଼ିଶାର ବୃହତ୍ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯିବ। ଏଥି ସହିତ ରାଜାରାଣୀ ମ୍ୟୁଜିକ୍ ଫେଷ୍ଟିଭାଲ୍, ମୁକ୍ତେଶ୍ବର ଡ୍ୟାନ୍ସ ଫେଷ୍ଟିଭାଲ୍, ଓଡ଼ିଶୀ ନୃତ୍ୟ ଫେଷ୍ଟିଭାଲ୍ ଓ ପୁଷ୍ପ ପ୍ରଦର୍ଶନୀ ଆଦିର ଆୟୋଜନ କରାଯିବା ସହ ଓଡ଼ିଶାର ଉତ୍ପାଦଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯିବ। ଆଜି ଲୋକାର୍ପିତ ୱେବ୍ସାଇଟ୍ ଜରିଆରେ ପ୍ରତିନିଧିମାନେ ପ୍ରବାସୀ ଭାରତୀୟ ଦିବସ ସମ୍ବନ୍ଧରେ ସମସ୍ତ ସୂଚନା ହାସଲ କରିପାରିବେ ବୋଲି ଶ୍ରୀ ମାଝୀ ଆଶା ପ୍ରକାଶ କରିଥିଲେ।

ଜାନୁଆରି ୮ରୁ ତିନି ଦିନ
ଜୟଶଙ୍କରଙ୍କ ଉପସ୍ଥିତିରେ ୱେବ୍ସାଇଟ୍ ଲୋକାର୍ପିତ
୭ ହଜାର ପ୍ରତିନିଧି ଓ ଅତିଥିଙ୍କୁ ସ୍ବାଗତ କରାଯିବ: ମୁଖ୍ୟମନ୍ତ୍ରୀ

ଏହି ଅବସରରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୟଶଙ୍କର ଭାରତୀୟ ପ୍ରବାସୀଙ୍କ ଅବଦାନକୁ ଉଲ୍ଲେଖ କରିଥିଲେ। ୨୦୪୭ ସୁଦ୍ଧା ବିକଶିତ ଭାରତର ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଭାରତୀୟ ପ୍ରବାସୀଙ୍କ ଭୂମିକା ଯଥେଷ୍ଟ ରହିବ। ପ୍ରବାସୀ ଭାରତୀୟ ଦିବସ ପଞ୍ଜୀକରଣ ପାଇଁ ୱେବ୍ସାଇଟ୍ରେ ପ୍ରଦତ୍ତ ତଥ୍ୟ ବିଶେଷ ସହାୟକ ହେବ। ୱେବ୍ସାଇଟ୍ ଲୋକାର୍ପଣ ସହ ପ୍ରବାସୀ ଭାରତୀୟ ଦିବସ ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଦିବସ ପାଇଁ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ପଞ୍ଜୀକରଣ ପାଇଁ ଶ୍ରୀ ଜୟଶଙ୍କର ନିବେଦନ କରିଥିଲେ। ସମୃଦ୍ଧ କଳା ପରମ୍ପରାକୁ ଜାଣିବା ପାଇଁ ଭୁବନେଶ୍ବର ଏକ ଉତ୍କୃଷ୍ଟ ସ୍ଥାନ। ମନ୍ଦିରମାଳିନୀ ଭୁବନେଶ୍ବର ସହର ପ୍ରବାସୀ ଭାରତୀୟ ଦିବସର ପ୍ରତିନିଧିମାନଙ୍କ ପାଇଁ ଅନନ୍ୟ ଅନୁଭୂତି ହେବ ବୋଲି ଶ୍ରୀ ଜୟଶଙ୍କର କହିଥିଲେ। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଦିବସ ପାଳନ ଜରିଆରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବା ନେଇ ଭାରତ ସରକାରଙ୍କ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ପ୍ରବାସୀ ଭାରତୀୟଙ୍କ ଯୋଗଦାନକୁ ଉପରୋକ୍ତ ଦିବସ ପାଳନ ଜରିଆରେ ପ୍ରୋତ୍ସାହିତ କରିବା ନେଇ ଭାରତ ସରକାରଙ୍କ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ପୂର୍ବ ପ୍ରବାସୀ ଭାରତୀୟ ଦିବସ ପାଳନର ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଭାସି ଜରିଆରେ ବିଭିନ୍ନ ଦେଶର ଇଣ୍ଡିଆନ୍ ମିସନ୍ ଯୋଡ଼ି ହୋଇଥିଲେ। ଏଥିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଓଡ଼ିଶା ସରକାରଙ୍କ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button