ରାଜନୀତି

ରାଜ୍ୟସଭା ନିର୍ବାଚନ: ବାଜିମାରିନେଲା ବିଜେପି – Ibnodisha

[ad_1]

ୟୁପି, ହିମାଚଳ, କର୍ଣ୍ଣାଟକରେ କ୍ରସଭୋଟିଂ
ହିମାଚଳରେ କଂଗ୍ରେସକୁ ଜୋରଦାର ଝଟ୍‌କା

ନୂଆଦିଲ୍ଲୀ: ମଙ୍ଗଳବାର ୩ ରାଜ୍ୟ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକର ୧୫ ରାଜ୍ୟସଭା ଆସନ ପାଇଁ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଶେଷ ହେବା ସହ ଫଳାଫଳ ମଧ୍ୟ ଘୋଷଣା ହୋଇଯାଇଛି । ରିପୋର୍ଟ ଅନୁସାରେ ବିଜେପି ବେଶ୍ ସହଜରେ ଅଧିକାଂଶ ଆସନକୁ ହାତେଇବାରେ ସଫଳ ହୋଇଛି । ଯେଉଁସବୁ ଆସନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପୂର୍ବରୁ ସୁନିଶ୍ଚିତ ଥିଲା, ସେସବୁ ଆସନରେ ତ ବିଜେପି ବିଜୟ ହାସଲ କରିଛି, କିନ୍ତୁ ଯେଉଁ କେତେକ ଆସନରେ କଂଗ୍ରେସ ତଥା ଅନ୍ୟ ଦଳଙ୍କ ପ୍ରାଧାନ୍ୟ ରହିଥିବା ଆଧାରରେ ସେମାନଙ୍କ ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି କୁହାଯାଉଥିଲା, ବିଜେପି ସେଠାରେ ମଧ୍ୟ ବିଜୟୀ ହୋଇଛି । ଅର୍ଥାତ୍ ରାଜ୍ୟସଭା ନିର୍ବାଚନରେ ବଡ଼ ଧରଣର କ୍ରସଭୋଟିଂ ହୋଇଥିବାର ପ୍ରମାଣ ମିଳିଛି ।

ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶରେ ୧୦ଟି ରାଜ୍ୟସଭା ଆସନ ପାଇଁ ଆଜି ଭୋଟିଂ କରାଯାଇଥିଲା । ତେବେ ସଂଖ୍ୟା ଗଣିତ ଅନୁସାରେ ବିଜେପି ୭ଟି ଆସନକୁ ପୂର୍ବରୁ ସୁରକ୍ଷିତ କରିନେଇଥିବା ବେଳେ ୮ମ ଆସନ ପାଇଁ ପ୍ରାର୍ଥୀ ଦେଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଅଖିଳେଶ ଯାଦବଙ୍କ ଦଳ ସମାଜବାଦୀ ପାର୍ଟିର ବିଧାୟକ ମନୋଜ ପାଣ୍ଡେ ଆଜି ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେବା ସହ ଖୁଲମଖୁଲ୍ଲା ବିଜେପିର ଏହି ୮ମ ପ୍ରାର୍ଥୀଙ୍କୁ ସମର୍ଥନ ବ୍ୟକ୍ତ କରିଥିଲେ । ତେବେ କେବଳ ମନୋଜ ପାଣ୍ଡେ ନୁହଁନ୍ତି ବରଂ ଦଳର ଅନ୍ୟ ୫ଜଣ ବିଧାୟକ ମଧ୍ୟ ଦଳଗତ ହ୍ୱିପ୍‌କୁ ଅବମାନନା କରି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ଏଠାରେ ବିଜେପିର ୮ମ ପ୍ରାର୍ଥୀ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି । ସମାଜବାଦୀ ପାର୍ଟିର ଏହି ୫ ବିଦ୍ରୋହୀ ବିଧାୟକ ବିଜେପିରେ ଯୋଗଦେବେ ବୋଲି ଏମାନଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ସମାଜବାଦୀ ପାର୍ଟି ୨ଟି ରାଜ୍ୟସଭା ଆସନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି । ଭୋଟିଂ ପୂର୍ବରୁ ସମାଜବାଦୀ ପାର୍ଟି ଏଠାରେ ୩ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବା ପାଇଁ ଦୃଢ଼ ଦାବିଦାର ଥିଲା ।

ସେହିପରି କର୍ଣ୍ଣାଟକରେ ୪ଟି ରାଜ୍ୟସଭା ଆସନ ପାଇଁ ଭୋଟିଂ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଠାରେ ମଧ୍ୟ କ୍ରସଭୋଟିଂ ହୋଇଥିବା ଜଣାପଡିଛି । ରାଜ୍ୟରେ ଜେଡିଏସ୍‌ର ୧୨ରୁ ୧୩ ବିଧାୟକ ଆଜି କଂଗ୍ରେସ ସମର୍ଥନରେ ଭୋଟ୍ ଦେଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷେ କଂଗ୍ରେସ ୪ ରାଜ୍ୟସଭା ଆସନ ପାଇଁ କ୍ରସଭୋଟିଂ ହୋଇଥିବା କହିଛି । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା କଂଗ୍ରେସ ଏଠାରେ ୩ଟି ଆସନ ଜିତିଥିବା ବେଳେ ବିଜେପି ଗୋଟିଏ ଆସନ ହାତେଇବାରେ ସଫଳ ହୋଇଛି । ଏହି ୩ ରାଜ୍ୟସଭା ଆସନରେ ନିର୍ବାଚିତ ହୋଇଥିବା କଂଗ୍ରେସର ସାଂସଦମାନେ ହେଲେ ଅଜୟ ମାକେନ୍‌, ଜିସି ଚନ୍ଦ୍ରଶେଖର ଏବଂ ସୟଦ୍ ନାସିର ହୁସୈନ୍ । କିନ୍ତୁ ସଂଖ୍ୟାଗଣିତ ଅନୁସାରେ ଏଠାରେ ମଧ୍ୟ କଂଗ୍ରେସ ୪ଟି ଯାକ ରାଜ୍ୟସଭା ଆସନରେ ବିଜୟୀ ହେବା ନେଇ ଦୃଢ଼ ଦାବିଦାର ଥିଲା । କିନ୍ତୁ ବିଜେପି ଏଠାରେ ନାରାୟନସା କେ ଭାନ୍‌ଦାଗେ ନାମକ ଜଣେ ନେତାଙ୍କୁ ପ୍ରାର୍ଥୀ କରିଥିଲା । ନାରାୟନସା ବିଜୟୀ ହୋଇଛନ୍ତି ।

ଅନ୍ୟପକ୍ଷେ ହିମାଚଳରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଆଜି ଭୋଟିଂ ହୋଇଥିଲା । କଂଗ୍ରେସ ପାଖରେ ଯଥେଷ୍ଟ ବିଧାୟକ ସଂଖ୍ୟା ଥିଲେ ମଧ୍ୟ ସବୁ କଳ୍ପନାଜଳ୍ପନା ତଥା ସଂଖ୍ୟା ଗଣିତକୁ ଭୁଲ୍ ପ୍ରମାଣିତ କରି ବିଜେପି ପ୍ରାର୍ଥୀ ହର୍ଷ ମହାଜନ୍ ବିଜୟଲାଭ କରିଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭୀଙ୍କୁ ପରାସ୍ତ କରିଛନ୍ତି । ଉଭୟଙ୍କୁ ୩୪-୩୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସ୍ଲିପ୍ (ଲକି ଡ୍ର) ଜରିଆରେ ଚୂଡାନ୍ତ ଭୋଟିଂ କରାଯାଇଥିଲା । ଏଥିରେ ହର୍ଷ ମହାଜନ ବିଜୟୀ ହୋଇଥିଲେ । ୬୮ ବିଧାନସଭା ବିଶିଷ୍ଟ ହିମାଚଳରେ ୯ ସ୍ୱାଧୀନ ବିଧାୟକଙ୍କ ସହ କଂଗ୍ରେସର ୪୦ ବିଧାୟକ ଏବଂ ବିଜେପିର ୨୫ ବିଧାୟକ ରହିଛନ୍ତି । କିନ୍ତୁ କଂଗ୍ରେସ ଖାତାରେ ମାତ୍ର ୩୪ ଭୋଟ୍ ହିଁ ପଡିଥିଲା । ଅର୍ଥାତ୍ ଏଠାରେ ମଧ୍ୟ କ୍ରସଭୋଟିଂ ହୋଇଛି । କଂଗ୍ରେସର ୬ ବିଧାୟକ କ୍ରସଭୋଟିଂ କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସମୟରେ ଏମାନଙ୍କ ସହ ସମ୍ପର୍କ କରାଯାଇପାରୁନଥିବା ବେଳେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବିଜେପି ପକ୍ଷରୁ ତାଙ୍କ ନେତାଙ୍କୁ ଅପହରଣ କରାଯାଇଥିବା ଏବଂ ହରିଆଣାର ପଞ୍ଚକୁଲାରେ ଥିବା ଏକ ସରକାରୀ ସର୍କିଟ୍ ହାଉସ୍‌ରେ ରଖାଯାଇଥିବା ଅଭିଯୋଗ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button