ଖେଳ

ଭାରତ-ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଦ୍ବିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ଆରମ୍ଭ: ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ହାରିଲା

ଭୁବନେଶ୍ୱର: କିଟ୍‍ କ୍ରିକେଟ୍‍ ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଦଳ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍‍ ଶୃଙ୍ଖଳା ସୋମବାର ଆରମ୍ଭ ହୋଇଛି। ସ୍ଥାନୀୟ କିଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ୫ ରନ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆଠୁ ହାରି ଯାଇଛି। ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭ୍ରମଣକାରୀ ଦଳ ୧୯.୪ ଓଭରରେ ୧୪୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଭାରତ ୭ ୱିକେଟ୍‌ ବିନିମୟରେ ୧୪୪ ରନ୍‍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ଅଧିନାୟକ କାଭି ସାଇନି ମ୍ୟାଚ୍‍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମଙ୍ଗଳବାର ଉଭୟ ଦଳ ୨ଟି ଟ୍ବେଣ୍ଟି-୨୦ ମ୍ୟାଚ୍‍ ଖେଳିବେ। ପ୍ରଥମ ମ୍ୟାଚ୍‌ ସକାଳ ୯.୩୦ ଏବଂ ଦ୍ବିତୀୟ ସନ୍ଧ୍ୟା ୫ଟା ୩୦ରେ ଖେଳାଯିବ। ଗୁରୁବାର ଉଭୟ ଦଳ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ।

ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ, କିଟ୍‍ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା କ୍ରିକେଟ୍‌ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କ୍ରିକେଟ୍‍ ଶୃଙ୍ଖଳାକୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‍ଘାଟନ କରିଥିଲେ। ଉଦ୍‍ଘାଟନୀ ଉତ୍ସବରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କ୍ରୀଡ଼ା ଯୁଗ୍ମସମ୍ପାଦକ ବଲଜିତ୍‍ ସିଂହ ଶେଖାଓଁ, ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂଘର କାର୍ଯ୍ୟକାରିଣୀ ସଦସ୍ୟ ତଥା ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଚେୟାର ଡେଭିଡ୍‍ ଆଣ୍ଟନ ସମୁଡ୍‍ ଓ କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଥର ଲାଗି କିଟ୍‍ ବିଶ୍ୱବିଦ୍ୟାଳୟରେ ଏଭଳି ଦ୍ବିପାକ୍ଷିକ କ୍ରିକେଟ୍‍ ଶୃଙ୍ଖଳାରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବଛାବଛା ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। କିଟ୍‍ ପକ୍ଷରୁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀଙ୍କ ରହଣି ଓ ଆତିଥ୍ୟ ପ୍ରଦାନ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button