ରାଜ୍ୟ

ବିତର୍କରେ ବିଧାୟକ ପାଣ୍ଠି: ମିଳିଥିବା ଟଙ୍କା ଖର୍ଚ୍ଚ ହେଉନି, ଆଉ ବଢ଼ିବ?

ଭୁବନେଶ୍ବର: ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ୩କୋଟିର ୫କୋଟିକୁ ବୃଦ୍ଧି କରାଯାଉ। ମଙ୍ଗଳବାର ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଏଭଳି ଦାବି କରିଥିଲେ। ହେଲେ ଏହି ପାଣ୍ଠି ଖର୍ଚ୍ଚ ହିସାବକୁ ନଜର ପକାଇ ଦେଖିଲେ, ଯେ କେହି ପ୍ରଶ୍ନ କରିବ, ସତରେ କ’ଣ ଏହି ପାଣ୍ଠି ବଢ଼ିବା ଦରକାର? ଆହୁରି ସରଳ ଭାବେ କହିଲେ, ପ୍ରତି ବିଧାୟକଙ୍କୁ ବର୍ଷକୁ ଯେଉଁ ୩କୋଟି ଟଙ୍କାର ପାଣ୍ଠି ମିଳୁଛି, ତାହାକୁ କେହି ବି ସଂପୂର୍ଣ୍ଣ ଖର୍ଚ୍ଚ କରିପାରୁନାହାନ୍ତି। ଏହି ପାଣ୍ଠି ଫେରସ୍ତ ଆସିବାର ନିୟମ ନଥିବାରୁ  ପରିଷଦ ଆକାଉଣ୍ଟରେ ଏହା ଗଡ଼ି ଗଡ଼ି ଚାଲିଛି। ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ୯ବର୍ଷରେ ବିଧାୟକଙ୍କ ପାଣ୍ଠି ବାବଦକୁ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ୪୪୧କୋଟି ମଞ୍ଜୁର ହୋଇଥିଲା। ହେଲେ ଏହି ୯ବର୍ଷରେ ଖର୍ଚ୍ଚ ହୋଇଛି ମାତ୍ର ୧୫୩କୋଟି ୫୪ଲକ୍ଷ ୩୬ହଜାର ଟଙ୍କା। ବିଡ଼ମ୍ବନାର ବିଷୟ, ୨୮୭କୋଟି ୪୫ଲକ୍ଷ ୬୪ହଜାର ଟଙ୍କା ଖର୍ଚ୍ଚ ହୋଇପାରିଲାନି।

ବିଧାୟକମାନେ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତା ବଢ଼ିଲାଣି। ପ୍ରତି ଗାଁ, ସାହିରେ ଲେକମାନେ କୋଠଘର, କ୍ଲବ, ରାସ୍ତା, ସ୍କୁଲ କଲେଜ କାମ, ଆଲୋକୀକରଣ ଭଳି ବିଭିନ୍ନ କାମ ପାଇଁ ଅନୁଦାନ ମାଗୁଛନ୍ତି। ‌ସମସ୍ତଙ୍କୁ ଅନୁଦାନ ଦେବାବେଳକୁ ଟଙ୍କା ପାଉନି। ତେଣୁ ବିଧାୟକ ପାଣ୍ଠି ବଢ଼ାଯାଉ। ବାଚସ୍ପତି ବି ଏହି ଦାବିକୁ ବିଚାର କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଯୋଜନା ଓ ସଂଯୋଜନ ବିଭାଗର କହିବା କଥା ହେଉଛି, ବିଧାୟକମାନେ ବିଳମ୍ବରେ ବହୁ ପ୍ରକଳ୍ପ ତାଲିକା ଦେଉଛନ୍ତି। କେବଳ ଏତିକି ନୁହେଁ, ବାରମ୍ବାର ପ୍ରକଳ୍ପ ବଦଳାଉଛନ୍ତି। ସେମାନେ ଯେଉଁ ପ୍ରକଳ୍ପ ତାଲିକା ଦେଉଛନ୍ତି ସେଥି‌ରୁ ଅଧିକାଂଶ ପାଇଁ ଜମି ମିଳୁନି। ଜମି ମିଳିଲେ ବି ତାହା ବିବାଦୀୟ ବୋଲି ଜଣାପଡ଼ୁଛି। ଆଉ କେତେକ ଜାଗାରେ ବିଧାୟକ ଯେଉଁ ପ୍ରକଳ୍ପ କରୁଛନ୍ତି ସେଥିରୁ କେତେକ ପ୍ରକଳ୍ପକୁ ସ୍ଥାନୀୟ ଲୋକ ବିରୋଧ କରୁଥିବାରୁ କାମ ହୋଇପାରୁନି। ତେଣୁ ପ୍ରକଳ୍ପ ଅନୁମୋଦନ ଓ ଅର୍ଥ ମଞ୍ଜୁରୀ ବିଳମ୍ବିତ ହେବା ସ୍ବାଭାବିକ। ଏହାବାଦ୍ ଯଦି ବିଧାୟକମାନେ ବଦଳି ଯାଉଛନ୍ତି ତେବେ ନୂଆ ବିଧାୟକ ସେହି ପ୍ରକଳ୍ପ ପାଇଁ ଅଧିକ ଅର୍ଥ ବରାଦ କରୁନାହାନ୍ତି କି ତାହାକୁ ଶେଷ କରିବାକୁ ଚାହୁଁନାହାନ୍ତି। ଅାମର ନିୟମ ଅନୁଯାୟୀ ବିଧାୟକ କାମ କରନ୍ତୁ କି ନକରନ୍ତୁ ପ୍ରତିବର୍ଷ ୩କୋଟି ଲେଖାଏ ପାଣ୍ଠି ବାବଦକୁ ପ୍ରଦାନ କରାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବନ୍ଦ କରି ଦିଆଯିବା ଦରକାର। କାରଣ ଆମେ ବିଧାନସଭାରେ ସାରା ରାଜ୍ୟ ପାଇଁ ବଜେଟ୍ ଅନୁମୋଦନ କ‌ଲୁ। ଆମେ ବଜେଟ୍‌ର ମାଲିକ। ବିଧାୟକ ପାଣ୍ଠି ନାଁରେ କାହିଁକି ଆମକୁ ମାତ୍ର ୩କୋଟିରେ ସୀମିତ ରଖାଯାଉଛି। ନିର୍ବାଚନମଣ୍ଡଳୀରେ ଯେତେ କାମ କଲେ ବି ଲୋକ ଭାବୁଛନ୍ତି ବିଧାୟକ ହାତରେ କେବଳ ୩କୋଟି ଟଙ୍କା। ଯେଉଁ ସାହିକୁ ଗଲେ ଲୋକ କୋଠଘର, କ୍ଲବ୍‌ଘର କରିବାକୁ କହୁଛନ୍ତି। ଏତିକି ଟଙ୍କାରେ ସବୁ ଗାଁ କି ସହରାଞ୍ଚଳର ପ୍ରତି ୱାର୍ଡରେ ପ୍ରକଳ୍ପ କରିବା ସମ୍ଭବ ନୁହେଁ। ଯେଉଁଠି କାମ ନହେଉଛି ଲୋକ ଆମକୁ ଖରାପ ଭାବୁଛନ୍ତି। ବିଧାୟକମାନେ ପାଣ୍ଠିକୁ ନେଇ ଅକଳରେ ପଡ଼ୁଛନ୍ତି। ତେଣୁ ରାଜ୍ୟ ସରକାର ନିୟମ କରନ୍ତୁ ଯେ ବିଧାୟକମାନେ ସେମାନଙ୍କ ଅଞ୍ଚଳ ପାଇଁ ଯେଉଁ ପ୍ରକଳ୍ପର ତାଲିକା ଦେବେ ତାହାକୁ ସବୁ ବିଭାଗ ତୁରନ୍ତ କାର୍ଯ୍ୟକାରୀ କରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button