ରାଜ୍ୟ

ବାୟୁ ପ୍ରଦୂଷଣ କେଉଁଠି, କେମିତି: ଦିଲ୍ଲୀକୁ ଟପିଗଲା‌ ଭୁବନେଶ୍ବର

ଭୁବନେଶ୍ବର: ଦେଶର ୨୫ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଖରାପ(ପୋର୍‌) ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ବର, ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତା‌ଳଚେର ରହିଛି। ଏହି ସହରଗୁଡ଼ିକର ବାୟୁ ପୁଣିଥରେ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି। ଯାହାଦ୍ବାରା ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍‌ଫୁସ୍‌, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।

ଚିନ୍ତାର କାରଣ ହେଉଛି ଯେ ଭୁବନେଶ୍ବରର ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଦିଲ୍ଲୀ ସ୍ଥିତିକୁ ବଳି ଯାଇଛି। ଆଜି ଅପରାହ୍ଣ‌ରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ‌ବୋର୍ଡ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦିଲ୍ଲୀର ଏକ୍ୟୁଆଇ ପିଏମ୍‌-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୧୭୮ ରହିଥିଲା। ଯେତେବେଳେ କି ଭୁବନେଶ୍ବରର ପିଏମ୍‌-୨.୫ ମାତ୍ରା ୨୬୬ରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଏହା ଆହୁରି ବଢ଼ିଥିବା ଜଣାପଡ଼ିଛି। ଅପରାହ୍ଣ ସୁଦ୍ଧା ବାଲେଶ୍ବରରେ ୨୮୫ ଥିବା ବେଳେ ଅନୁଗୁଳରେ ୨୫୫ ଓ ବ୍ୟାସନଗରରେ ୨୪୯ ଥିଲା। ଗତକାଲି ତଥା ମଙ୍ଗଳବାର ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଦିଲ୍ଲୀକୁ ପଛରେ ପକାଇ ଏହି ସହରଗୁଡ଼ିକର ବାୟୁ ଅଧିକ ପ୍ରଦୂଷିତ ହୋଇଯାଇଛି। ତେବେ ଆଜି ରାତି ୯ଟା ବେଳକୁ ବ୍ୟାସନଗରର ଏକ୍ୟୁଆଇ ୨୯୦, ଭୁବନେଶ୍ବରରେ ୨୬୭, ତାଳଚେରରେ ୨୫୩ରେ ପହଞ୍ଚିଯାଇଛି।

ବାଲେଶ୍ବର, ଅନୁଗୁଳ, ତା‌ଳଚେର, ବ୍ୟାସନଗର ପ୍ରଦୂଷଣ ଉପରମୁହଁା

ବାରିପଦାରେ ୧୮୯, କଟକରେ ୧୭୩, ରାଉରକେଲାରେ ୧୮୧ ରହିଥିଲା। ବର୍ତ୍ତମାନ ପ୍ରଦୂଷିତ ହୋଇଥିବା ଓଡ଼ିଶାର ସହରଗୁଡ଼ିକର ସ୍ଥିତି ଦେଖିଲେ ତାହା ଦୀପାବଳି ପରବର୍ତ୍ତୀ ଅବସ୍ଥାକୁ ବଳି ଯାଇଛି। ବାୟୁମଣ୍ଡଳର ଛୋଟ ଧୂଳିକଣାର ମାତ୍ରା ସବୁଠାରୁ ଅଧିକ ରହିଛି। ଦୀପାବଳିରେ ବାଣ ଫୁଟିବା ଯୋଗୁଁ ବାୟୁ ପ୍ରଦୂଷଣ ହୋଇଥିଲା। ମାତ୍ର ଏବେକାର ସ୍ଥିତିକୁ ନେଇ ବିଶେଷଜ୍ଞମାନେ ଭିନ୍ନ ମତପୋଷଣ କରିଛନ୍ତି।

ସେମାନଙ୍କ କହିବା କଥା ହେଉଛି ଯେ ଯେଉଁ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ସେଠାକାର ବାୟୁ ଅଧିକ ପ୍ରଦୂଷିତ ହେଉଥିବା ନଜରକୁ ଆସିଛି। ନିର୍ମାଣାଧୀନ କୋଠା, ରାସ୍ତା ଖୋଳାଯିବା, ରାସ୍ତାପାର୍ଶ୍ବରେ ଅଳିଆ ଆବର୍ଜନା ଓ ବାଲି ଜମା ହେବା ଦ୍ବାରା ସେଥିରୁ ନିର୍ଗତ ହେଉଥିବା ଧୂଳିକଣା ସହରକୁ ଅଧିକ ପ୍ରଦୂଷିତ କରୁଛି। ଅଧିକାଂଶ ସ୍ଥାନରେ ରାସ୍ତା କାମ ହେଉଥିଲେ ମଧ୍ୟ ପାଣି ପକାଯାଉ ନ ଥିବାରୁ ଗାଡ଼ି ଚାଲିବା ଦ୍ବାରା ସେଥିରୁ ଉଡ଼ୁଥିବା ଧୂଳିକଣା ପ୍ରଦୂଷଣର ଅନ୍ୟତମ କାରଣ। ଓଡ଼ିଶାର ଯେଉଁ ସହରଗୁଡ଼ିକ ଖରାପ ସ୍ଥିତିରେ ରହିଛି ତାହା ମୁଖ୍ୟତଃ ଶିଳ୍ପାଞ୍ଚଳ ଓ ଜାତୀୟ ରାଜପଥ ପାର୍ଶ୍ବରେ ରହିଛି। ଭୁବନେଶ୍ବର ଓ ବାଲେଶ୍ବରର ପ୍ରଦୂଷଣ ବଢ଼ିବାର ପ୍ରମୁଖ କାରଣ ହେଉଛି ଜାତୀୟ ରାଜପଥରେ ପ୍ରତିଦିନ ଯାଉଥିବା ହଜାର ହଜାର ସଂଖ୍ୟାରେ ଗାଡ଼ି ଏବଂ ନିର୍ମାଣ କାର୍ଯ୍ୟ। ଯାଜପୁର ଜିଲ୍ଲାର ବ୍ୟାସନଗର, ତାଳଚେର ଓ ଅନୁଗୁଳର ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ହେଉଛି ଶିଳ୍ପାନୁଷ୍ଠାନର ବାହାରୁଥିବା ଧୂଳିକଣା। ସୂଚନଯୋଗ୍ୟ ଯେ ସାଧାରଣ ବାୟୁର ଏକ୍ୟୁଆଇ ୫୦ କିମ୍ବା ତା’ଠାରୁ ତଳକୁ ରହିଲେ, ଭଲ ବୋଲି ବିବେଚନା କରାଯାଏ। ସେହିପରି ସୂଚକାଙ୍କ ୫୦ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର, ୨୦୧ରୁ ୩୦୦ ଭିତରେ ରହିଲେ ଖରାପ ଓ ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତିଖରାପ ବୋଲି ଧରାଯାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button