ରାଜ୍ୟ

ଦୁଇଗୋଡ଼ ହରାଇ ବି ହାରିଲେନି ମୁକେଶ

ସୁନ୍ଦରଗଡ଼: ୧୧ ବର୍ଷ ପୂର୍ବେ ବିଦ୍ୟୁତ୍‌ ଆଘାତରେ ଦୁଇଗୋଡ଼ ହରାଇ ଚଳତ୍‌ଶକ୍ତି ହରାଇଥିଲେ। ଏଥିରେ ସେ ଭାଙ୍ଗିପଡ଼ି ନଥିଲେ। ମନକୁ ଦୃଢ଼ କଲେ, ସଂକଳ୍ପବଦ୍ଧ ହେଲେ। ଆଉ ଗୋଡ଼ ନଥାଇ ବି ଛିଡ଼ାହେଲେ। ବନିଲେ ଓସିଏସ୍‌ ଅଧିକାରୀ। ଶାରୀରିକ ଅକ୍ଷମତା କେଉଁଠି, କେବେ ବି ସଫଳତାର ଗତିରୋଧକ ନୁହେଁ। ନିଷ୍ଠା, ପରିଶ୍ରମ ଓ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ବି ଗିରି ଲଂଘିପାରେ। ତାକୁ ପ୍ରମାଣ କରି ଦେଖାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ କନ୍ତଯୋଡ଼ିର ମୁକେଶ କୁମାର ପୃଥାଳ।

ମୁକେଶଙ୍କ ପିତା, ଜଣେ ସାଇକଲ ଦୋକାନୀ। ମା’ ବାବୁନୂଆଗାଁ ରାଧାନାଥ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଅବସ୍ଥାପିତ। ମୁକେଶ ଗୋଗୁଆ ସରକାରୀ ହାଇସ୍କୁଲରୁ ମାଟ୍ରିକ୍, ବଣାଇ ସରକାରୀ ମହାବିଦ୍ୟାଳୟରୁ ୨୦୧୨ରେ ଯୁକ୍ତ ୩ ଶେଷ କରିବା ପରେ ଅଧିକ ପଢ଼ିବା ପାଇଁ ମନସ୍ଥ କରିଥିଲେ। କିନ୍ତୁ ଏହି ସମୟରେ ତାଙ୍କ ଜୀବନରେ ଘଟିଥିଲା ବଡ଼ ଅଘଟଣ। ୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇଥିଲେ। ଡାକ୍ତରଖାନାରେ ମରଣ ସହ ସଂଘର୍ଷ କରି ବଞ୍ଚିଗଲେ। କିନ୍ତୁ ଦୁଇଗୋଡ଼ ହରାଇବାକୁ ପଡ଼ିଲା। ଶାରୀରିକ ଭାବେ ସକ୍ଷମ ଥିବା ମଣିଷଟେ ହଠାତ୍‌ ଚଳତ୍‌ ଶକ୍ତି ହରାଇଲେ ଜୀବନ ମୂଲ୍ୟହୀନ ହୋଇଗଲା ବୋଲି ଅନେକ ଭାବନ୍ତି।

କିନ୍ତୁ ମୁକେଶ ଶାରୀରିକ ଗତିଶୀଳତା ଅପେକ୍ଷା ବୁଦ୍ଧି ଓ କଠିନ ପରିଶ୍ରମକୁ ଗୁରୁତ୍ୱ ଦେଲେ। କୃତ୍ରିମ ଗୋଡ଼ ଲଗାଇ ଚାଲିଲେ। ଯେତେବେଳେ ଶ୍ରୀ ପୃଥାଳ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ହେବାକୁ ମନ ବଳାଇଲେ, ସେତେବେଳେ ଏହା ଅସମ୍ଭବ ମନେ ହେଉଥିଲା। ହେଲେ ସେ ନିରନ୍ତର ଅଧ୍ୟୟନ କରି ଚାଲିଲେ। ଶାରୀରିକ ଅକ୍ଷମତା ତାଙ୍କ ସାମ୍ନାରେ ଅନେକ ଆହ୍ବାନ ଛିଡ଼ା କରିଥିଲା। ନିଷ୍ଠାର ସହ ଏହାକୁ ପ୍ରତିହତ କରି ଆଗକୁ ବଢ଼ିଥିଲେ। ଶେଷକୁ ନିଷ୍ଠା ଓ ପରିଶ୍ରମର ଫଳ ପାଇଥିଲେ ସେ। ଦ୍ୱିତୀୟ ଚେଷ୍ଟାରେ ଚଳିତ ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ୪୬୦ ରୢାଙ୍କ ରଖି ବନିଲେ ପ୍ରଶାସନିକ ଅଧିକାରୀ। ମୁକେଶଙ୍କ ଏହା କେବଳ ବ୍ୟକ୍ତିଗତ ବିଜୟ ନୁହେଁ, ବରଂ ଏ କାହାଣୀ ତାଙ୍କ ଭଳି ଅନେକଙ୍କୁ ପ୍ରେରଣା ଯୋଗାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button