କଟକ SCB ବଢ଼ିଲା ଚିନ୍ତା କରୋନା ରିପୋର୍ଟ ଆସିବା ପୂର୍ବରୁ ଲୁଚି ପଳାଇଲେ ରୋଗୀ !
IBN ଓଡିଶା(ବ୍ୟୁରୋ)-ଜଣେ ରୋଗୀ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହେବା ପୂର୍ବରୁ ଏସ୍ସିବିରୁ ଫେରାର ହୋଇଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସଂପୃକ୍ତ ରୋଗୀଜଣକ ନ୍ୟୁରୋସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ । ସଂପୃକ୍ତ ରୋଗୀଙ୍କ ରିପୋର୍ଟ ଆସିବା ପୂର୍ବରୁ ସେ ଡାକ୍ତରଖାନାରୁ କାହାରିକୁ କିଛି ନଜଣାଇ ଲୁଚି ପଳାଇଥିବା(ଲେଫ୍ଟ ଏଗନେଷ୍ଟ୍ ମେଡିକାଲ୍ ଆଡଭାଇସ୍ ବା ଲାମା) ଜଣାଯାଇଛି । ରୋଗୀଜଣକ ଲାମା ହୋଇଥିବା ବିଭାଗୀୟ ମୁଖ୍ୟ ସ୍ୱୀକାର କରିଛନ୍ତି। କରୋନା ଆକ୍ରାନ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ବୋଲି ସୂଚନା ମିଳିଛି ।ଏସ୍ସିବିର ବିଭିନ୍ନ ୱାର୍ଡରେ ଏବେ କରୋନା ସଂକ୍ରମଣ ଭୟ ସୃଷ୍ଟି ହୋଇଛି । ବିଭିନ୍ନ ୱାର୍ଡରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଇଁ ଏବେ ଚିନ୍ତା ବଢ଼ିଯାଇଛି । ନ୍ୟୁରୋସର୍ଜରୀ ବିଭାଗରେ ଗୋଟିଏ ଦିନରେ ୪ ଜଣଙ୍କର କରୋନା ପଜିଟିଭ୍ ବାହାରିଥିବା ସୂଚନା ମିଳିଛି । ତେବେ ପଜିଟିଭ୍ ରିପୋର୍ଟ ଆସିଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ନ୍ୟୁରୋସର୍ଜରୀ ବିଭାଗରେ ଚିକିତ୍ସାଧୀନ ଜଣେ ରୋଗୀ ଫେରାର ହୋଇଯିବା ଘଟଣା ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।ସୂଚନାଯୋଗ୍ୟ, ନ୍ୟୁରୋସର୍ଜରୀ ବିଭାଗର ଆଜି ୪ କରୋନା ପଜିଟିଭ୍ ରିପୋର୍ଟକୁ ମିଶାଇ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୪ ଜଣ ଜଣ ଯାକ କରୋନା ଆକ୍ରାନ୍ତ ପ୍ରଥମ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ୱାର୍ଡରେ ଭର୍ତ୍ତି ହୋଇଥିବା ସ୍ନାୟୁଶଲ୍ୟ ରୋଗୀଙ୍କ ପଜିଟିଭ୍ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ସେମାନଙ୍କ ସମ୍ପର୍କୀୟଙ୍କୁ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଅନ୍ୟପକ୍ଷରେ ସମ୍ପୃକ୍ତ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବା ଡାକ୍ତର, ସେବିକା ଓ ୱାର୍ଡ ଆଟେଣ୍ଡାଣ୍ଟ୍ମାନେ ମଧ୍ୟ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ନ୍ୟୁରୋସର୍ଜରୀ ବିଭାଗ ଡାକ୍ତରଙ୍କ ସମେତ ସେବିକା ଏବଂ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ କାର୍ଡିଓଲୋଜି ବିଭାଗ ୱାର୍ଡରେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଏଠାରେ ଚିକିତ୍ସାଧୀନ ଅନ୍ୟ ରୋଗୀଙ୍କର କୋଭିଡ୍ -୧୯ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।