ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ ୭ ମୃତ – Ibnodisha

[ad_1]

କୋଲକାତା: ପଶ୍ଚମବଙ୍ଗ ଜଗନ୍ନାଥପୁରରେ ରବିବାର ସକାଳେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଅତିକମ୍ରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଉତ୍ତର ୨୪ ପ୍ରଗଣା ଜିଲ୍ଲା ଦତ୍ତପୁକୁର ଥାନା ଅଧୀନରେ ନିଲଗୁଞ୍ଜର ମୋସପୋଲ୍ରେ ଥିବା ବାଣ କାରଖାନାରେ ଲୋକମାନେ କାମ କରୁଥିବା ସମୟରେ ସକାଳ ପ୍ରାୟ ୧୦ଟା ବେଳେ ଉକ୍ତ ବିସ୍ଫୋରଣ ହୋଇଛି। କୋଲକାତାର ଉତ୍ତରରେ ପ୍ରାୟ ୩୦ କିମି ଦୂରରେ ଏହି ସ୍ଥାନ ଅବସ୍ଥିତ ବୋଲି ପୁଲିସ କହିଛି। ବିସ୍ଫୋରଣ ପରେ ପୁଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି। ବିସ୍ଫୋରଣ ସ୍ଥଳରୁ ୫ଟି ମୃତଦେହ ଉଦ୍ଧାର କରାଯାଇଛି ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଅଗ୍ନିଶମ ଅଧିକାରୀ ଆଶିଷ ଘୋଷ ସୂଚନା ଦେଇଛନ୍ତି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆବଶ୍ୟକ ଅନୁମତି ନନେଇ ବାଣ ପ୍ରସ୍ତୁତି ପାଇଁ କଞ୍ଚାମାଲ ମହଜୁଦ ରଖାଯାଇଥିଲା। ଆହତମାନଙ୍କୁ ବରାସାତ୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବଡ଼ ଧରଣର ବିସ୍ଫୋରଣ ଯୋଗୁଁ ନିକଟରେ ଅବସ୍ଥିତ ଘରଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚିଛି।
ପୂର୍ବ ମେଦିନପୁର ଜିଲ୍ଲା ଇଗ୍ରାର ଖଦିକୁଲ ଗ୍ରାମରେ ଗତ ମେ ମାସ ୧୬ ତାରିଖରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୯ ଜଣ ପ୍ରାଣ ହରାଇଥିଲେ। ତାହାର ୫ ଦିନ ପରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା। ଆଜିର ବାଣ କାରଖାନା ବିସ୍ଫୋରଣ ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମମତା ସରକାରଙ୍କୁ ଘେରିଛନ୍ତି। ମେ’ ୧୬ ଘଟଣା ପରେ ରାଜ୍ୟରେ ବାଣ ନିର୍ମାଣ କାରଖାନାକୁ ନିୟନ୍ତ୍ରଣ କରାଯିବ ବୋଲି ସରକାର କହିଥିଲେ। କିନ୍ତୁ ଏଦିଗରେ କୌଣସି ଅଗ୍ରଗତି ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
[ad_2]