ସହରରେ ଅଧା ‘ଆବାସ’ ଘର ଖାଲି: ରହିବାକୁ ଲୋକ ଅମଙ୍ଗ, ରାସ୍ତା, ବିଜୁଳି, ସ୍ବେରେଜ୍ ନାହିଁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସହରାଞ୍ଚଳରେ ନିର୍ମାଣ କରାଯାଇଥିବା ପ୍ରାୟ ଅଧା (୪୭%) ଘର ଖାଲିପଡ଼ିଛି। ହିତାଧିକାରୀମାନେ ସେହି ଘରରେ ରହିବାକୁ ରାଜି ହେଉନାହାନ୍ତି। ସହରାଞ୍ଚଳ ଗରିବ ଓ ବସ୍ତି ବାସିନ୍ଦାମାନଙ୍କ ଲାଗି ତିଆରି ହୋଇଥିବା ଅଧିକାଂଶ ଘର ଖାଲି ପଡ଼ିଥିବା ନେଇ ଏକ ସଂସଦୀୟ କମିଟି ଏହାର ରିପୋର୍ଟରେ ଜଣାଇଛି। ତେଣୁ ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ଦେବା ଲାଗି ଯୋଜନାର ରହିଥିବା ମୂଳ ଉଦ୍ଦେଶ୍ୟଟି ସାଧନ ହୋଇ ନଥିବାରୁ କମିଟି ଉଦ୍ବେଗ ପ୍ରକାଶ କରିଛି। ଆବାସ ଯୋଜନାରେ ଘରଗୁଡ଼ିକ ଯେଉଁଠାରେ ନିର୍ମାଣ କରାଯାଇଛି ସେଠାକୁ ଯାତାୟାତ ଲାଗି ସଡ଼କ ସୁବିଧା ନାହିଁ। ଘର ଲାଗି ପାଣି, ବିଜୁଳି ଓ ସ୍ବେରେଜ୍ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ଇନ୍-ସିଟୁ ସ୍ଲମ୍ ରିଡେଭେଲପ୍ମେଣ୍ଟ୍ (ଆଇଏସ୍ଏସ୍ଆର୍) ଅଧୀନରେ ନିର୍ମାଣ କରାଯାଇଥିବା ଘରଗୁଡ଼ିକର ଅବସ୍ଥା ଆହୁରି ଖରାପ। ଏଥିରେ ତିଆରି ହୋଇଥିବା ୭୦% ଘର ଖାଲିପଡ଼ିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଓ ଆଇଏସ୍ଏସ୍ଆର୍ ଅଧୀନରେ ୯.୭ ଲକ୍ଷ ଘର ନିର୍ମାଣ କରାଯାଇଛି। ସେଥିରୁ ୫.୧ ଲକ୍ଷ ଘରେ ହିତାଧିକାରୀମାନେ ରହୁଥିବା ବେଳେ ଅବଶିଷ୍ଟ ଘରଗୁଡ଼ିକ ଖାଲି ପଡ଼ିଛି।
ଘର ଖାଲି ପଡ଼ିବାର କାରଣଗୁଡ଼ିକ ହେଉଛି ଆବଶ୍ୟକ ଭିତ୍ତିଭୂମିର ଅଭାବ ଓ ଘର ଆବଣ୍ଟନରେ ବିଳମ୍ବ। ଆବାସ ଯୋଜନାରେ ୯ ଲକ୍ଷ ଘର ନିର୍ମାଣ ହୋଇଥିବା ବେଳେ ସେଥିରୁ ୪.୧ ଲକ୍ଷ ଘର ଖାଲି ପଡ଼ିଛି। ସେହିପରି ଆଇଏସ୍ଏସ୍ଆର୍ ଅଧୀନରେ ନିର୍ମାଣ କରାଯାଇଥିବା ୬୭୮୦୬ ଘର ଭିତରୁ ୪୭୫୧୦ଟି ଘର ଖାଲିପଡ଼ିଛି। ଗାଇଡ୍ଲାଇନ୍ ଅନୁସାରେ ପିଏମ୍ ଆବାସ -ସହରାଞ୍ଚଳ ଘରଗୁଡ଼ିକ ଲାଗି ସଡ଼କ, ଜଳ ଓ ସ୍ବେରେଜ୍ ବ୍ୟବସ୍ଥା କରିବା ଦାୟିତ୍ବ ରାଜ୍ୟମାନଙ୍କର। କିନ୍ତୁ ସେହି ସୁବିଧା ଦେବାରେ ଅଧିକାଂଶ ରାଜ୍ୟ ବିଫଳ ହୋଇଛନ୍ତି। ନିକଟରେ ସଂସଦରେ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଟି ସାହୁ ସୂଚନା ଦେଇଥିଲେ ଯେ ଚଳିତ ବର୍ଷ ନଭେମ୍ବର ୧୮ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳରେ ୧.୧୮ କୋଟି ଘର ମଞ୍ଜୁର କରାଯାଇଛି। ସେଥିରୁ ୮୮ ଲକ୍ଷରୁ ଅଧିକ ଘର ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଚଳିତ ବର୍ଷ ଅଗଷ୍ଟରେ ପିଏମ୍ ଆବାସ ଯୋଜନା-ସହରାଞ୍ଚଳର ଦ୍ବିତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିଲା। ଏଥିରେ ଏକ କୋଟି ଟଙ୍କା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୫ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ୧୭.୫ ଲକ୍ଷ ଘର ମଞ୍ଜୁର କରାଯାଇଛି। ୨୦୨୨ରେ ଏହି ଯୋଜନାର ଅବଧି ଶେଷ ହେଉଥିଲା। କିନ୍ତୁ ଅବଧିକୁ ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।