ରାଜ୍ୟ

ପଦ୍ମ ଧରିଲେ ୨୪ ସମିତିସଭ୍ୟ, ସରପଞ୍ଚ: ତେଲକୋଇରେ ବିଜେଡିକୁ ଝଟ୍‌କା

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ୨୪ଜଣ ବିଜେଡି ସମର୍ଥିତ ସମିତିସଭ୍ୟ ଓ ସରପଞ୍ଚ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସମସ୍ତେ ଦଳରେ ସାମିଲ ହୋଇଛନ୍ତି। ତେଲକୋଇ ବ୍ଲକ୍‌ ଉପାଧ୍ୟକ୍ଷା ରଞ୍ଜିତା ମହାନ୍ତଙ୍କ ସମେତ କରମଙ୍ଗି ପଞ୍ଚାୟତ ବିଜେଡି ସଭାପତି ତଥା ସରପଞ୍ଚ ବିଜୟାନନ୍ଦ ନାୟକ ମଧ୍ୟ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଛନ୍ତି।

କାଳିଆହତା ସମିତିସଭ୍ୟ ଜାହ୍ନବୀ ଦେହୁରୀ, ପୁରୁଯୋଡ଼ାର ବଳରାମ ଦେହୁରୀ, ରାଇସୁଆଁର ଅଶୋକ କୁମାର ନାଏକ, ବଳଭଦ୍ରପୁରର ଦୀନବନ୍ଧୁ ପିଙ୍ଗୁଆ, ତେଲକୋଇର ରଙ୍ଗାଧର ଓରାମ, ଶିବନାରାୟଣପୁରଗୋଡ଼ାର ମୀନା ମହାନ୍ତ, ଶିରିଗିଡ଼ାର ପଦ୍ମଲୋଚନ ଦାସ, ତାଳପଦାର ରାଣୀ ଜୁଆଙ୍ଗ, କରମଙ୍ଗିର ଦେବକୀ ପାତ୍ର, କରଦାଙ୍ଗିର ତୁଳସୀ ନାଏକ ଏବଂ ଦେଉଳଡିହା ପଞ୍ଚାୟତର ସମିତିସଭ୍ୟ ମମତା ଦେହୁରୀ, ବିଞ୍ଝବାହାଳ ପଞ୍ଚାୟତ ସରପଞ୍ଚ ସୌମେନ୍ଦ୍ର କୁମାର ନାଏକ, ଶିରିଗଡ଼ାର ମୋହନ କୁମାର ନାଏକ, ତେଲକୋଇର ରଶ୍ମିତା ନାଏକ, ପୁରୁଯୋଡ଼ାର କୁମୁଦିନୀ ନାଏକ, ଶିବନାରାୟଣପୁରଗୋଡ଼ାର କ୍ଷୀରମଣି ନାଏକ, ତାଳପଦାର ରଞ୍ଜନ କୁମାର ନାଏକ, ବଳଭଦ୍ରପୁରର ମାଇନ ମାଝୀ, ଖୁଣ୍ଟାପଡ଼ାର ଲକ୍ଷ୍ମୀ ମୁଣ୍ଡା, ଦେଉଳଡିହାର ପ୍ରିୟଙ୍କା ଦଳନାୟକ ଏବଂ ଭୀମକାଣ୍ଡ ସରପଞ୍ଚ ରୀନା ମାଝୀ ବିଜେପିରେ ସାମିଲ ହୋଇଛନ୍ତି। ଅନେକ ସମିତିସଭ୍ୟ ଓ ସରପଞ୍ଚ ମଧ୍ୟ ବିଜେପିରେ ସାମିଲ ହେବା ପାଇଁ ସମ୍ପର୍କରେ ରହିଛନ୍ତି। ସମିତିସଭ୍ୟ ଓ ସରପଞ୍ଚଙ୍କ ସମେତ ତେଲକୋଇ ବ୍ଲକ୍‌ର ପୂର୍ବତନ ଛାତ୍ର ବିଜେଡି ସଭାପତି ବିସ୍ମୟ କୁମାର ବିଷୋୟୀ, ରଶ୍ମିରଞ୍ଜନ ଦାଶ, ସୁଶାନ୍ତ କୁମାର ସାହୁ, ବିନୋଦ ବିହାରୀ ପ୍ରଧାନଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ବିଜେଡି ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଯାହା କି ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।

ସାଧାରଣ ନିର୍ବାଚନରେ ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ଦଖଲକୁ ଯାଇଛି। ବ୍ଲକ୍‌ ଅଧ୍ୟକ୍ଷ ଆସନ ବିଜେଡି ଦଖଲରେ ରହିଛି। ଏହାକୁ କବ୍‌ଜାକୁ ନେବା ପାଇଁ ବିଜେପି ପକ୍ଷରୁ ରଣକୌଶଳ ପ୍ରସ୍ତୁତ କରାଯାଇଛି। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗତକାଲି ବିଜେଡି ସମର୍ଥିତ ସମିତିସଭ୍ୟ ଓ ସରପଞ୍ଚମାନେ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଏହି ଘଟଣା ପରେ ତେଲକୋଇରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଆଗାମୀ ଦିନରେ ବ୍ଲକ୍‌ ଅଧ୍ୟକ୍ଷ ବିକ୍ରମ ନାୟକଙ୍କୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button