ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ – Ibnodisha
[ad_1]
ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ସୋମବାର ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗରେ ଶ୍ୱଶୁରଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନା ଯେ, ଅନୁଗୁଳ ସହର ରାଧାରମଣପଡ଼ାର ବିପିନ ସାହୁ(୬୬)ଙ୍କ ଏକମାତ୍ର ଝିଅ ରୁନି ସାହୁ(୨୩) ମୋଟଙ୍ଗା ଥାନା ହିନ୍ଦୋଳ ରୋଡର ଜମ୍ବେଶ୍ୱର ପୃଷ୍ଟିଙ୍କୁ ବିବାହ କରିଥିଲେ । ଜମ୍ବେଶ୍ୱର ଓ ତାଙ୍କ ପତ୍ନୀ ଅନୁଗୁଳରେ ରହୁଥିଲେ । କିନ୍ତୁ ବିପିନ ଅନେକ ସମୟରେ ପତ୍ନୀଙ୍କୁ ମାରପିଟ୍ କରିବାରୁ ସେ ତାଙ୍କ ଝିଅ ଘରେ ରହୁଥିଲେ । ଏ ନେଇ ଦୁଇ ପରିବାରରେ ଅଶାନ୍ତି ଲାଗି ରହିଥିଲା । ଗତ ୨୦୨୦ ସେପ୍ଟେମ୍ବର ୮ରେ ରୁନି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲା ବେଳେ ପାଖରେ ତାଙ୍କ ମା’ ଥିଲେ । ଏହି ସମୟରେ ଚାଉଳ ଆଣିବା ପାଇଁ ରୁନିଙ୍କ ମା’ ଓ ରୁନିଙ୍କ ସ୍ୱାମୀ ଜମ୍ବେଶ୍ୱର ଅନୁଗୁଳ ରାଧାରମଣପଡ଼ାସ୍ଥିତ ଘରକୁ ଆସିଥିଲେ । ବିପିନ ତାଙ୍କ ପତ୍ନୀ ଓ ଜ୍ୱାଇଁଙ୍କୁ ଦେଖି ରାଗରେ ଗାଳିଗୁଲଜ କରିଥିଲେ ।
ଜମ୍ବେଶ୍ୱର ତାଙ୍କ ଶ୍ୱଶୁରଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲା ବେଳେ ବିପିନ ହଠାତ୍ ଏକ ଛୁରୀ ଆଣି ଜମ୍ବେଶ୍ୱରଙ୍କ ପେଟକୁ ଭୁସି ଦେଇଥିଲେ । ସ୍ଥାନୀୟ ଲୋକେ ଜମ୍ବେଶ୍ୱରଙ୍କୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେ୍ଟମ୍ବର ୧୨ରେ ଜମ୍ବେଶ୍ୱରଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ରୁନି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ପୁଲିସ କେସ୍ ନଂ. ୧୦୭୫/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ବିପିନ ସାହୁଙ୍କୁ ଗିରଫ କରିଥିଲା । ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ୨୨ ଜଣ ସାକ୍ଷୀ ଓ ଦଲିଲକୁ ଭିତ୍ତିକରି ଶ୍ୱଶୁର ବିପିନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ପରିଚାଳନା କରୁଥିଲେ ।
[ad_2]