ରାଜ୍ୟ

ଜାନୁଆରି ୬ରେ ବିଜେଡିର ଗଣବିକ୍ଷୋଭ: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିର ପ୍ରତିବାଦ

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି। ଏହାର ପ୍ରତିବାଦରେ ବିଜେଡି ରାସ୍ତାକୁ ଓହ୍ଲାଇବ। ଆସନ୍ତା ଜାନୁଆରି ୬ ତାରିଖରେ ଲୋକସେବା ଭବନ ସମ୍ମୁଖରେ ଦଳ ପକ୍ଷରୁ ଗଣବିକ୍ଷୋଭ କରାଯିବ। ଆଜି ଶଙ୍ଖଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା, ଦଳର ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନା, ମହିଳା ଶାଖା ସଭାନେତ୍ରୀ ସ୍ନେହାଙ୍ଗିନୀଛୁରିଆ ଓ ଯୁବ ସଭାପତି ବ୍ୟୋମକେଶ ରାୟ ଏହି ସୂଚନା ଦେଇଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିର ପ୍ରତିବାଦ
୨୬ରେ ସବୁ ନିର୍ବାଚନମଣ୍ଡଳୀରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

ସାମ୍ବାଦିକ ସମ୍ମିଳନୀରେ ଏହି ନେତାମାନେ କହିଥିଲେ, ବିଜେପି ସରକାରର ପ୍ରତିଶ୍ରୁତି ପାଳନରେ ବିଫଳତାକୁ କ୍ଷେତ୍ରୀୟ ସ୍ତରରେ ସଭାସମିତି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ। ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୁଦ୍ରାସ୍ଫୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଦେଶର ରାଜ୍ୟମାନଙ୍କ ଭିତର ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡ଼ିଶା ସମେତ ବିଜେପି ଶାସିତ ରାଜ୍ୟ ସରକାରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟମାନଙ୍କ ଭିତରେ ମୁଦ୍ରାସ୍ଫୀତି ବୃଦ୍ଧି ତାଲିକାରେ ପ୍ରଥମ ଆଠଟି ରାଜ୍ୟ ମଧ୍ୟରେ ସାତଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି। ଛତିଶଗଡ଼, ବିହାର, ଓଡ଼ିଶା ଓ ୟୁପି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ପଞ୍ଚମ ସ୍ଥାନରେ ଅଣବିଜେପି ଶାସିତ ରାଜ୍ୟ ଭାବେ କେରଳ ରହିଛି। ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିଆନା ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁ ନାହିଁ। ବରଂ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରାଯାଉଛି। ଏଣୁ ଏହି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ବିଜେଡି ପକ୍ଷରୁ ଗଣବିକ୍ଷୋଭ ଅନୁଷ୍ଠିତହେବ।

ଆସନ୍ତା ୨୬ ତାରିଖରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପାଳନ କରାଯିବ। ଏହି ଦିବସରେ ବିଜେଡିର ଛାମୁଆ ନେତୃତ୍ୱ, ପଦାଧିକାରୀ ତଥା ଶୁଭେଛୁମାନଙ୍କୁ ନେଇ କ୍ଷେତ୍ରୀୟ ସଭା କରି ଆମର ବିଗତ ଦିନର ଲୋକଙ୍କ ପାଇଁ ନିଆଯାଇଥିବା ସଫଳ କାର୍ଯ୍ୟକ୍ରମ ତଥା ସାମ୍ପ୍ରତିକ ସରକାରର ଜନ ବିରୋଧୀ କାର୍ଯ୍ୟକ୍ରମ, ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନିର୍ବାଚନ ସମୟରେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ରକ୍ଷା କରିବାରେ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ସମ୍ମୁଖରେ ରଖାଯିବ। ସେହିଦିନ ଶଙ୍ଖ ଭବନରେ ଆୟୋଜିତ ହେବାକୁ ଥିବା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ।

Related Articles

Leave a Reply

Your email address will not be published. Required fields are marked *

Back to top button