ରାଜ୍ୟ

କେନ୍ଦୁଝର ଦେଇଛି ଅଧିକ, ପାଇଛି କମ୍‌: ସୌମ୍ୟରଂଜନ

ଆନନ୍ଦପୁର: ଖଣିଖାଦାନ ଭରା  ମାଟି ଓଡ଼ିଶାକୁ ଯେତିକି ଦେଇଛି, ତା’ଠାରୁ ଯଥେଷ୍ଟ କମ୍‌ ପାଇଛି ବୋଲି ବୁଧବାର ଆନନ୍ଦପୁର ପ୍ରେସ୍‌ କ୍ଲବ୍‌ର ବାର୍ଷିକୋତ୍ସବ ଓ ବାଣିଜ୍ୟ ମେଳାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ଥିବା ଖଣିଗୁଡ଼ିକୁ ଆପେଆପେ ରେଳପଥ ସଂଯୋଗ ହୋଇଯାଉଛି। ହେ‌ଲେ ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ ବହୁବର୍ଷ ଧରି ଦାବି ହେଉଥିଲେ ମଧ୍ୟ ସରକାର ଶୁଣୁନାହାନ୍ତି। ସେ ଆହୁରି କହିଥିଲେ, ସମସ୍ତେ ଶୋଇଥିବା ବେଳେ ସାମ୍ବାଦିକ ନିଜ ଜୀବନକୁ ବିପନ୍ନ କରି କର୍ତ୍ତବ୍ୟ କରିଚାଲିଥାଏ। ସାମ୍ବାଦିକ ବୃତ୍ତି ଏତେ ସହଜ ନୁହେଁ, ଯାହା ସମସ୍ତଙ୍କ ଦ୍ୱାରା ସମ୍ଭବ ହୋଇପାରିବ। ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବା, ସମସ୍ୟା ଓ ସମାଧାନକୁ ନିକଟତର କରିବା ସାମ୍ବାଦିକଙ୍କ ଦାୟିତ୍ୱ। ସାମ୍ବାଦିକଟିଏ ମାଟିମନସ୍କ ହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ। ମୁଁ ଯେତେବେଳେ ‘ସମ୍ବାଦ’ ଆରମ୍ଭ କରିଥିଲି, ମୋତେ କେହି ପଚାରୁ ନଥିଲେ। ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ସେତେବେଳେ ବିଜୁବାବୁ ‘ସମ୍ବାଦ’କୁ ସମୃଦ୍ଧ କରିବାରେ ସହଯୋଗ କରିଥିଲେ।

ବର୍ତ୍ତମାନ ସ୍ଥିତିରେ ଗଣମାଧ୍ୟମ ସଂସ୍ଥା ନିରପେକ୍ଷ ହେବା ସମ୍ଭବ ନୁହେଁ। ଜଣେ ବ୍ୟକ୍ତି ୧୦ଟଙ୍କା ଦେଇ ଚା’ ପିଇବାକୁ କୁଣ୍ଠାବୋଧ କରୁନଥିବା ବେଳେ ଖବରକାଗଜ ମୂଲ୍ୟ ଏକ ଟଙ୍କା ବୃଦ୍ଧି ହେଲେ ନାକ ଟେକୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସାମ୍ବାଦିକମାନେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ପ୍ରଶଂସା କରିଥିଲେ। ଅତୀତରେ ବିଜେଡି ସରକାର ସମୟରେ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥା ଉପରେ ଆକ୍ରମଣ ହେଉଥିଲା। ସବୁ କ୍ଷେତ୍ରରେ ଅଣଓଡ଼ିଆମାନେ ଓଡ଼ିଆଙ୍କ ଉପରେ ଅତ୍ୟାଚାର କରୁଥିଲେ। ସାଲିସବିହୀନ ସାମ୍ବାଦିକତା କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ। ରାଜ୍ୟ ସାମ୍ବାଦିକ ସଂଘ ସଭାପତି କୈଳାସ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ସରକାର ଅବହେଳା କରିଥିବା ଶ୍ରୀ ନାୟକ କହିଥିଲେ। କୁଶଳେଶ୍ୱର କଲେଜର ଅଧ୍ୟାପକ ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରେସ୍‌ କ୍ଲବ୍‌ ସଭାପତି ନାରାୟଣ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। କ୍ଲବ୍‌ ସମ୍ପାଦକ ସନ୍ତୋଷ କୁମାର ରାଉତ ଧନ୍ୟବାଦ ଦେଇଥିଲେ। ଶେଷରେଲୋଇସିଂହା ସଂଗୀତ ସାଧନା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button