ରାଜ୍ୟ

କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଦୁଇ ଓଡ଼ିଆ: ପ୍ରବନ୍ଧ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ଲାଗି ବୈଷ୍ଣବ ଚରଣ ସାମଲ ପାଇବେ

ଭୁବନେଶ୍ବର: ଆଜି ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର। ଚଳିତ ବର୍ଷ ବେଙ୍ଗଲି, ଡୋଗରି ଓ ଉର୍ଦ୍ଦୁକୁ ଛାଡ଼ି ଦେଶର ୨୧ ଭାଷାରେ ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ଦୁଇ ଜଣ ଓଡ଼ିଆ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଦେମି ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ଓଡ଼ିଆ ପ୍ରବନ୍ଧ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ଲାଗି ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଓ ସାନ୍ତାଳୀ ଭାଷାର ନାଟକ ପୁସ୍ତକ ‘ସେଚେଡ ସାୱନ୍ତାରେନ୍‌ ଅନ୍ଧା ମାନମି’ (ଶିକ୍ଷିତ ସମାଜର ଅନ୍ଧମାନେ) ପାଇଁ ମହେଶ୍ବର ସୋରେନ ଏହି ପୁରସ୍କାର ପାଇବେ। ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବେଶ ଜଣାଶୁଣା ପ୍ରଫେସର ସାମଲ ୧୯୩୯ ମସିହା ଫେବୃଆରି ୨୭ ତାରିଖରେ କେନ୍ଦ୍ରାପଡ଼ାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଓ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ସାହିତ୍ୟ ଯାତ୍ରା ମଧ୍ୟ ଜାରି ରଖିଥିଲେ। ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ଲିଖିତ ପ୍ରଥମ ପ୍ରବନ୍ଧ ହେଉଛି ‘ମରୁତୀର୍ଥ’। ଶ୍ରୀ ସାମଲଙ୍କର ପାଖାପାଖି୧୨୦ ଖଣ୍ଡ ପୁସ୍ତକ ଇତିମଧ୍ୟରେ ପ୍ରକାଶ ପାଇଛି। ‘ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି’ ପାଇଁ ସେ ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

ପ୍ରବନ୍ଧ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ଲାଗି ବୈଷ୍ଣବ ଚରଣ ସାମଲ ପାଇବେ
୨୦୦୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ବୈଷ୍ଣବ
ସ‌ାନ୍ତାଳୀ ଭାଷାର ନାଟକ ପୁସ୍ତକ ପାଇଁ ପୁରସ୍କାର ପାଇବେ ମହେଶ୍ବର ସୋରେନ

ସାନ୍ତାଳୀ ଭାଷାର ୪୪ ବର୍ଷୀୟ ଲେଖକ ଶ୍ରୀ ସ୍ବରେନ ୧୯୮୦ ମସିହାରେ ମୟୁରଭଞ୍ଜ ଉଦଳା ବ୍ଲକ୍‌ ଜାମୁଡିହା ଗାଁରେ ଜନ୍ମ ଲାଭ କରିଥିଲେ। ବର୍ତ୍ତମାନ ସେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଜଗନ୍ନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ପୁରସ୍କାର ଘୋଷଣା ‌ହେବା ପରେ ପ୍ରତିକ୍ରିୟା ଦେଇ ସାନ୍ତାଳୀ ଭାଷାକୁ ଆଗକୁ ନେବା ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି। ଓଡ଼ିଆ ପାଇଁ ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟ, ଶାନ୍ତନୁ ଆଚାର୍ଯ୍ୟ ଓ ପାରମିତା ଶତପଥୀ ଏବଂ ସାନ୍ତାଳୀ ଭାଷା ପାଇଁ ବାଦଲ ହେମ୍ରମ୍‌, ଦୁଖିଃନୀ ମୁର୍ମୁ ଓ ଶ୍ୟାମ ବେସରା ପ୍ରମୁଖ ବିଚାରକ ଥିଲେ। ଆଜିର ସାହିତ୍ୟ ଲୋକଙ୍କଠାରୁ ଦୂରେଇ ଯାଇଛି: ବୈଷ୍ଣବ ଚରଣ ସାମଲ ଆଜି ସାଢ଼େ ୧୨ଟା ବେଳେ ଖବର ପାଇଲି। ପ୍ରଥମେ ବିଶ୍ବାସ ହେଲା ନାହିଁ। ପରେ ପରେ ବିଭିନ୍ନ ଶୁଭେଚ୍ଛୁମାନେ ଫୋନ୍‌ କରି ଅଭିନନ୍ଦନ ଜଣାଇଥିଲେ। ମୁଁ ଜଣେ ଅନାସକ୍ତ ମଣିଷ। ଯାହା ହେଉ ମୋତେ ୮୭ ବର୍ଷ ବୟସରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ମିଳିଲା। ସାହିତ୍ୟ ଯଦି ମଣିଷର ଚେତନାରେ ଭାବାନ୍ତର ସୃଷ୍ଟି ନକଲା ତା’ର ମୂଲ୍ୟ ନାହିଁ। ସାହିତ୍ୟ କେବଳ ଏକ ସମ୍ପର୍କ ସେତୁ ବନ୍ଧ। ସାହିତ୍ୟ ସମାଜ ସହ ମଣିଷର, ମାଟି ସହ ଆକାଶର, ରାଜ୍ୟ ସହ ଦେଶର ଏବଂ ହୃଦୟ ସହ ହୃଦୟର ସମ୍ପର୍କ ଯୋଡ଼େ କେବଳ ସାହିତ୍ୟ। ଆଜି କିନ୍ତୁ ସାହିତ୍ୟ ଲୋକଙ୍କଠାରୁ ଦୂରେଇ ଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button