ଦୁର୍ଦ୍ଦାନ୍ତ ମାଓବାଦୀ ହିଡ଼ମାର ଘର ମାଟିରେ ମିଶାଇଲେ ଗ୍ରାମବାସୀ: ନକ୍ସଲ ନେତା ଦେବା ଘରକୁ ବି ଭାଙ୍ଗିଦେଲେ

: ନକ୍ସଲ ସଂଗଠନର ଦୁର୍ଦ୍ଦାନ୍ତ ନେତା ହିଡ଼ମାର ପୈତୃକ ଘରକୁ ଧ୍ବଂସ କରିଦେଇଛନ୍ତି ଗ୍ରାମବାସୀ। ଖାଲି ସେତିକି ନୁହେଁ, ମାଓବାଦୀ ସଙ୍ଗଠନର ଅନ୍ୟତମ ହାର୍ଡକୋର୍ ନେତା ଦେବାର ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ସହଯୋଗରେ ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ନକ୍ସଲ ନେତା ହିଡ଼ମାକୁ ଛତିଶଗଡ଼ ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପୁଲିସ ଖୋଜୁଛି। ଛତିଶଗଡ଼ ପୁଲିସ ଲଗାତାର ନକ୍ସଲ ଦମନରେ ସଫଳତା ହାସଲ କରିଥିଲେ ସୁଦ୍ଧା ହିଡ଼ମାକୁ ଧରିବାରେ ସଫଳ ହୋଇପାରୁ ନାହିଁ। ତେଣୁ ପୁଲିସ ହିଡ଼ମାର ପୈତୃକ ଗ୍ରାମ ପୂବର୍ତ୍ତୀକୁ ନିଜ ଅକ୍ତିଆରକୁ ନେଇଛି। ପୂବର୍ତ୍ତୀ ଗାଁରେ ନୂତନ କ୍ୟାମ୍ପ ଖୋଲିବା ସହ ଏହି ଅଞ୍ଚଳରୁ ନକ୍ସଲଙ୍କୁ ତଡ଼ିବାରେ ସଫଳ ହୋଇଛି। ୪ଦଶନ୍ଧି ଧରି ହିଡ଼ମା ଏବଂ ଦେବା ଏହି ଅଞ୍ଚଳକୁ ନିଜ କବ୍ଜାରେ ରଖିବା ସହ ଆତଙ୍କ ଖେଳାଇଥିଲେ। ତେଣୁ ଲୋକେ ଗାଁ ଛାଡ଼ି ପଳାୟନ କରିଥିଲେ।
ବର୍ତ୍ତମାନ ସୁରକ୍ଷାକର୍ମୀ ଏହି ଗାଁ ସହ ଆଖପାଖ ଗାଁରେ ସୁରକ୍ଷା ଦେବା ପରେ ଲୋକେ ଗାଁକୁ ଫେରିଛନ୍ତି। ତେବେ ପୂବର୍ତ୍ତୀ ଗାଁରେ କ୍ୟାମ୍ପ କରିବା ପରେ ହିଡ଼ମାର ମା’ କୁଆଡ଼େ ଫେରାର୍ ହୋଇଯାଇଛନ୍ତି। ବର୍ତ୍ତମାନ ଗାଁରେ କେବଳ ମାଟି ଘରଟିଏ ରହିଛି। ତେଣୁ ଗ୍ରାମବାସୀ ସୁରକ୍ଷାକର୍ମୀଙ୍କ ସହଯୋଗରେ ସେହି ଘରକୁ ଧ୍ବଂସ କରିଦେଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର ଆଉ ଜଣେ କମାଣ୍ଡର ହେଲା ଦେବା। ପୂବର୍ତ୍ତୀରେ ତା’ ଘରକୁ ମଧ୍ୟ ଗ୍ରାମବାସୀ ଭାଙ୍ଗି ଦେଇଛନ୍ତି। ପୂର୍ବରୁ ପୂବର୍ତ୍ତୀ ଓ ଆଖପାଖ ଅଞ୍ଚଳକୁ ନକ୍ସଲ ସଂପୂର୍ଣ୍ଣ ନିଜ କବ୍ଜାରେ ରଖିଥିଲେ। ତେଣୁ ଗ୍ରାମବାସୀ ଶିକ୍ଷା, ସ୍ବାସ୍ଥ୍ୟ ସହ ଅନ୍ୟାନ୍ୟ ସେବାରୁ ବଞ୍ଚିତ ହୋଇ ରହିଥିଲେ। ଏବେ ଏହି ଅଞ୍ଚଳରୁ ନକ୍ସଲ ଏକପ୍ରକାର ବିତାଡ଼ିତ ହେବା ପରେ ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମବାସୀ ଟିଭି ଦେଖିବାର ସୁଯୋଗ ପାଇଛନ୍ତି। ରାସନ୍ କାର୍ଡ ପାଇବା ପରେ ଗାଁ ଲୋକେ ଖୁସିରେ ନାଚିଥିଲେ। ହିଡ଼ମା ନାଁରେ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁରସ୍କାର ରାଶି ରହିଛି। ତେଣୁ ପୁଲିସ ଏବେ ହିଡ଼ମାକୁ ଟାର୍ଗେଟ୍ କରି ଖୋଜିବା ଆରମ୍ଭ କରିଛି।