ବିଜେଡି ନେତାଙ୍କୁ ଭବିଷ୍ୟତ ଚିନ୍ତା: ନଭେମ୍ବରରୁ ନବୀନ ବାହାରିଲେନି

ଭୁବନେଶ୍ବର: ନଭେମ୍ବରରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ବୁଲିବେ। ଅଗଷ୍ଟ ମାସରୁ ବିଜେଡି ଏମିତି ପ୍ରଚାର କରୁଛି। ନିଜେ ନବୀନ ବି ଦଳୀୟ କାର୍ଯ୍ୟାଳୟ ସଭାରେ ଏହି ସୂଚନା ଦେଇଥିଲେ। ଡିସେମ୍ବର ସରିବାକୁ ଯାଉଛି, ସେ ପଦାକୁ ବାହାରିଲେନି। ନିଜ ନିର୍ବାଚନମଣ୍ଡଳୀରେ ୬ ମାସ ଭିତରେ ପାଦ ପକାଇପାରିଲେନି। ନବୀନ ନ ବୁଲିବା ଦ୍ବାରା ବିଜେଡି ନେତାମାନେ ନିଜ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ୁଛନ୍ତି। ଯେହେତୁ ନବୀନ ହିଁ ବିଜେଡିର ଏକମାତ୍ର ଭରସା, ତେଣୁ ତାଙ୍କର ଅନାଗ୍ରହ ଓ ନିରବତା ସମସ୍ତଙ୍କୁ ଚିନ୍ତିତ କରିଛି। କାହା ଭରସାରେ ଶାସକ ଦଳ ବିରୋଧରେ ସେମାନେ ରଣହୁଙ୍କାର ଦେବେ, ତାହା ଜାଣିପାରୁ ନାହାନ୍ତି। ଏମିତିରେ ବି ଶୀର୍ଷ ସ୍ତରରେ ସରକାରଙ୍କୁ ଅଡ଼ୁଆରେ ପକାଇଲା ପରି କୌଣସି କାମ ଏ ଯାଏ ବିଜେଡି କରି ନାହିଁ।
ବିଜେଡି ୨୪ ବର୍ଷ ହେଲା ଶାସନରେ ରହିଥିଲା। ନବୀନ ଯେ କୌଣସି ସ୍ଥାନରେ, ଯେଉଁ ଦଳୀୟ କାର୍ଯ୍ୟକ୍ରମକୁ ଯାଇଛନ୍ତି, ସେଠାରେ ବହୁ ଲୋକଙ୍କର ସମାଗମ ହୁଏ। କ୍ଷମତା ଚାଲିଗଲା ପରେ ସ୍ଥିତି ବଦଳିଯାଇଛି। ଯେଉଁ ନିର୍ବାଚନମଣ୍ଡଳୀ ନବୀନ ଯିବେ, ସେଠାରେ ବଡ଼ ସମାବେଶ କରିବାକୁ ପଡ଼ିବ। ପରାଜୟର ଗ୍ଲାନିରୁ ମୁକୁଳି ନଥିବା ବିଜେଡି ନେତାମାନେ ଏଭଳି ସମାବେଶ ଆୟୋଜନ କରିବା ମାନସିକତାରେ ନାହାନ୍ତି। ବିଧାୟକ, ପରାଜିତ ପ୍ରାର୍ଥୀ କେହି ଆଗ୍ରହ ଦେଖାଉ ନାହାନ୍ତି। ଛାମୁଆ ନେତାଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହେବାର ଆଉ ଏକ କାରଣ ହେଲା ରାଜ୍ୟ କମିଟି ଗଠନ ନହେବା। ନିର୍ବାଚନ ଫଳ ଆସିବାର ମାସକ ପରେ ନବୀନ ସବୁ ରାଜ୍ୟ କମିଟି ଭାଙ୍ଗି ଦେଇଥିଲେ। ହେଲେ ୫ ମାସ ପରେ ମଧ୍ୟ ନୂଆ କମିଟି ଗଠନ ନୋହିଲା। କାହା କଥାରେ ସେମାନେ ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି କର୍ମୀ ପ୍ରଶ୍ନ କଲେଣି। ମାମଲତ୍କାର ନେତାମାନେ କହିଲେ ବି କେହି ଶୁଣୁ ନାହାନ୍ତି। କାରଣ ଏମାନଙ୍କ ଉପରେ ଆଉ କାହାର ଭରସା ନାହିଁ। ଏଇଥିପାଇଁ ଯେ ଶଙ୍ଖ ଭବନରେ ହାକିମାତି କରୁଥିବା ବରିଷ୍ଠ ନେତାଙ୍କର ନିଜ ଗଡ଼ ବିଜେପି ହାତକୁ ଗଲାଣି।
ନଭେମ୍ବରରୁ ନବୀନ ବାହାରିଲେନି
ବଡ଼ ସମାବେଶ ପାଇଁ ସମସ୍ତେ କୁନ୍ଥକୁନ୍ଥ
ସାଂସଦଙ୍କ ସଫେଇର ନକାରାତ୍ମକ ପ୍ରଭାବ
ଦଳର ନେତାମାନେ ଏମିତି ଦୋଛକିରେ ଥିଲା ବେଳେ ୭ ରାଜ୍ୟସଭା ସାଂସଦଙ୍କର ମିଳିତ ସାମ୍ବାଦିକ ସମ୍ମିଳନୀ ସମସ୍ତଙ୍କୁ ଚକିତ କରିଛି। ବିଜେଡି ଗଠନ ପରେ ଏମିତି କେବେ ହୋଇ ନଥିଲା। କାରଣ, ଦଳରେ ନବୀନ ଏତେ କ୍ଷମତାଶାଳୀ ଯେ ତାଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ ସ୍ଥିତିରେ କେହି ନଥିଲେ। ଯିଏ ମୁଣ୍ଡ ଟେକୁଥିଲେ, ତାକୁ ଦଳି ଦିଆଯାଉଥିଲା। ଏହାର ଉଦାହରଣ କିଛି କମ୍ ନାହିଁ। କିନ୍ତୁ ଏମିତି କି ପରିସ୍ଥିତି ସୃଷ୍ଟି ହେଲା ଯେ ସାଂସଦମାନଙ୍କୁ ଏକାଠି ହୋଇ ନବୀନଙ୍କ ସହ ଅଛନ୍ତି ବୋଲି ସଫେଇ ଦେବାକୁ ପଡ଼ିଲା? ନୂଆଦିଲ୍ଲୀରେ ଏହି ସାମ୍ବାଦିକ ସମ୍ମିଳନୀ ହିଁ ବିଜେଡିରେ ଗଡ଼ବଡ଼ ଚାଲିଥିବାର ବାର୍ତ୍ତା ଦେଉଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ସାଂସଦମାନେ ଏହି ଅବସରରେ ଏନ୍ଡିଏ ଓ ଇଣ୍ଡି ମେଣ୍ଟ ଠାରୁ ସମାନ ଦୂରରେ ଥିବା ଦାବି କରିଛନ୍ତି। କିନ୍ତୁ ବିଜେଡି କାହାଠୁ କେତେ ଦୂରରେ ଥିଲା, ଏହା କାହାକୁ ଅଛପା ନାହିଁ। ବିଜେଡି ଏନ୍ଡିଏରେ ସିଧାସଳଖ ସାମିଲ ନ ହୋଇ ବି ଅଧିକାଂଶ ପ୍ରସଙ୍ଗରେ ଏନ୍ଡିଏକୁ ଅଯାଚିତ ସହଯୋଗର ହାତ ବଢ଼ାଇ ଦେଉଥିଲା। ଏପରିକି ଏନ୍ଡିଏ ପ୍ରେମରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗକୁ ବି ଦଳ ନଜର ଅନ୍ଦାଜ କରିଦେଇଥିଲା। ଆଉ ଏକ ପ୍ରସଙ୍ଗ ହେଲା, ବିଜେଡି ଏବେ ସୁଦ୍ଧା ଭିକେ ପାଣ୍ଡିଆନଙ୍କ କବଳରୁ ମୁକ୍ତି ପାଇପାରି ନାହିଁ। ଗୌତମ ଆଦାନୀଙ୍କ ପାରିବାରିକ କାର୍ଯ୍ୟକ୍ରମକୁ ନବୀନଙ୍କ ପ୍ରତିନିଧି ହୋଇ ପାଣ୍ଡିଆନ ଯୋଗ ଦେଲା ପରେ ଏହା ଆହୁରି ସ୍ପଷ୍ଟ ହୋଇଛି। ବିଜେଡି ପାଇଁ ଏହା କ୍ଷତିକାରକ ହେଲା, ତାହା ନେତାମାନେ ନିଜ ଭିତରେ କଥା ହେଉଥିଲେ ବି ନବୀନଙ୍କୁ କହିବା ପାଇଁ ସାହସ ଜୁଟାଇପାରୁ ନାହାନ୍ତି। ଅନ୍ୟ ପକ୍ଷରେ ଆଇପିଏସ୍ ଅଧିକାରୀ ଡି ଏସ୍ କୁଟ୍ଟେ ଓ ଆଶିଷ ସିଂହ କେନ୍ଦ୍ରୀୟ ଡେପୁଟେସନ୍ ଅନୁମତି ମିିଳିବା ପରେ ପାଣ୍ଡିଆନଙ୍କ ଉପରେ ଦଳୀୟ ନେତାଙ୍କ ସନ୍ଦେହ ବଢ଼ିଯାଇଛି। ବିଜେପି ସହ ତାଙ୍କର ଭିତିରିଆ ଡିଲ୍ ଅଛି କି ବୋଲି ଚର୍ଚ୍ଚା ହେଉଛିୟ । କିନ୍ତୁ ବିଜେଡିର କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।