ସିଡିପି ରୋଡ୍ରେ ପାଚେରି: ଯୋଜନା କରି ବସିଯାଉଛି ବିଡିଏ, କଟକଣା କେହି ମାନୁ ନାହାନ୍ତି
ଭୁବନେଶ୍ବର: ରାଜଧାନୀର କଳେବରରେ ଦ୍ରୁତ ପରିବର୍ତ୍ତନ ହେଉଛି। ଏଠାରେ ରହିବା ପାଇଁ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଖି ଆଗରେ ରଖି ସ୍ବାଚ୍ଛନ୍ଦ୍ୟ ଜୀବନଯାପନ ପାଇଁ ବିଡିଏ ପ୍ରସ୍ତୁତ କରିଛି ବିସ୍ତୃତ ବିକାଶ ଯୋଜନା (ସିଡିପି)। କେଉଁଠି ଚଉଡ଼ା ରାସ୍ତା, କେଉଁଠି ଜଳାଶୟ, କେଉଁଠି ଖାଲି ଜାଗା, କେଉଁଠି ପାର୍କ ଏଭଳି ଚିହ୍ନିତ କରି ମ୍ୟାପ୍ ପ୍ରସ୍ତୁତ କରିଥିଲା। ଯେଉଁ ସବୁ ଜାଗା ଚିହ୍ନିତ ହୋଇଥିଲା ସେଠାରେ ନିର୍ମାଣ ଉପରେ କଟକଣା ଲଗାଇ ଚୁପ୍ ବସି ଯାଇଛି ବିଡିଏ। କେହି ଜଗିବାକୁ ନାହାନ୍ତି କି କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନି। ଏଣୁ କେହି କଟକଣା ମାନୁନାହାନ୍ତି। ପ୍ଲାନ୍ ନମିଳିଲେ ବି ଘର ତିଆରି ଚାଲିଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଦୁର୍ଗାପୁରପାଟଣା ମୌଜା। ସାଇମନ୍ଦିର ଆରପଟେ ଏଠାରେ ଏକ ଜାଗାରେ ପାଚେରି ତିଆରି ହେଉଛି। ପାଚେରି ପରେ ଏଠାରେ ଘର ତିଆରି ହେବ। ଏହି ଜମି ଦେଇ ସିଡିପି ରୋଡ୍ ଯିବାକୁ ନକ୍ସା ପ୍ରସ୍ତୁତ ହୋଇଛି। ଥରେ ନିର୍ମାଣ ହୋଇଗଲେ ଆଉ ଭାଙ୍ଗିବା ସମ୍ଭବ ହେବ ନାହିଁ। ଏହା ଗୋଟିଏ ଉଦାହରଣ ନୁହେଁ। ବରଂ ଏଭଳି ଶହଶହ ଜାଗାରେ ଘର ତିଆରି ହେଉଛି। ଏଣୁ ନୂଆ ସିଡିପିକୁ ପୂର୍ଣ୍ଣ ରୂପ ଦେବା ସମ୍ଭବ ନହେବା ଥୟ ହୋଇଛି।
ବିଡିଏର ସିଡିପି ଆଧାରରେ ଯେଉଁ ଜମିରେ ନୂଆ ରାସ୍ତା ଯୋଜନା ହେଉଛି ସେହି ସବୁ ଜମିକୁ ବିଡିଏ ‘ଲକ୍’ କରିଦେଉଛି। ଅର୍ଥାତ୍ ଏହାର କିଣାବିକା ହୋଇ ପାରିବନି। କିସମ ମଧ୍ୟ ପରିବର୍ତ୍ତନ ହୋଇପାରିବନି। ଘର ତିଆରି ପାଇଁ ପ୍ଲାନ୍ ମିଳିବନି। ଅନ୍ୟ କୌଣସି ପ୍ରକାରରେ ମଧ୍ୟ ବ୍ୟବହାର କରାଯାଇ ପାରିବନି। ଜମି ମାଲିକ କେବଳ ଖଜଣା ଦେବ। କିନ୍ତୁ ବିଡିଏର ସିଡିପି ସଫଳ ହେଉ ନଥିବାରୁ ବେଆଇନ ନିର୍ମାଣ ହେଉଛି। ଦୁର୍ଗାପୁରପାଟଣା ମୌଜାର ଖାତା ସଂଖ୍ୟା ୮୭/୧୪୮ର ପ୍ଲଟ୍ ନଂ ୯ରେ ନିର୍ମାଣ ଚାଲିଛି। ନିର୍ମାଣ ସମୟରେ ଏହା ଉପରେ ରୋକ ଲାଗୁ ନଥିବାରୁ ପରବର୍ତ୍ତୀ ସମୟରେ ଯୋଜନା ସଫଳ ହେଉନାହିଁ। ୧୦ ବର୍ଷର ଭୁବନେଶ୍ବର କଳେବରକୁ ଆଖି ଆଗରେ ରଖି ୧୯୯୪ ମସିହାରେ ବିଡିଏ ପ୍ରସ୍ତୁତ କରିଥିଲା ପ୍ରଥମ ସିଡିପି। ଏହାକୁ ୩୦ ବର୍ଷ ବିତିଥିଲେ ମଧ୍ୟ ତାହାର ୮୦ ପ୍ରତିଶତ ଯୋଜନା ସଫଳ ହେଲା ନାହିଁ। ଏଣୁ ଏହା ପରେ ଯେଉଁ ସିଡିପି ପ୍ରସ୍ତୁତ ହେବା କଥା ସେଥିରେ ବିଳମ୍ବ ହେଲା। ଦ୍ବିତୀୟ ସିଡିପି ୧୬ ବର୍ଷ ପରେ ଅର୍ଥାତ ୨୦୧୦ରେ ପ୍ରସ୍ତୁତ ହେଲା। ଏଥିରେ ଅଧାରୁ ଅଧିକ ଯୋଜନା ସଫଳ ହେଲାନାହିଁ। ଏଥିରେ ଜବରଦଖଲ ହଟାଇବା, ଜମି ଅଧିଗ୍ରହଣ, ଜଳାଶୟ ପୋତି ହୋଇଯିବା ପ୍ରଭୃତି କାରଣ ସିଡିପିକୁ ସଫଳ କଲାନାହିଁ।
ଅଧା ପ୍ରକଳ୍ପ ଶେଷ ନ ହେବାରୁ ତୃତୀୟ ସିଡିପି ମଧ୍ୟ ବିଳମ୍ବ ହେଲା। ୨୦୨୦ରେ ପ୍ରସ୍ତୁତ ହେବାକୁ ଥିବା ତୃତୀୟ ସିଡିପି ୨୦୨୪ରେ ପ୍ରସ୍ତୁତ ହେଲା। ହେଲେ ଏଥିରେ ବିଚିତ୍ର ସ୍ଥିତି ରହିଥିଲା। ପୂର୍ବ ବର୍ଷର ସିଡିପି ଅନୁସାରେ ଯେଉଁଠି ଜବରଦଖଲ ଉଚ୍ଛେଦ ହୋଇପାରିଲାନି ବା ନିଜ ନିଜ ଜମିରେ ମାଲିକମାନେ ଘର କରିଦେଇଥିଲେ, ସେଠାରେ ନୂଆ ସିଡିପିରେ ପରିବର୍ତ୍ତନ କରିଥିଲା। ହେଲେ ତାହା ମଧ୍ୟ କିଛି ଫଳପ୍ରଦ ହେବ ନାହିଁ ବୋଲି କୁହାଯାଉଛି। କାରଣ ଯେଉଁଠି ଲୋକମାନେ ଜମି କିଣି ବର୍ଷବର୍ଷ ଧରି ପକାଇ ରଖିଥିଲେ ସେମାନେ ଘର ତିଆରି କରିବା ଆରମ୍ଭ କରିଛନ୍ତି। ବିଡିଏର କଟକଣା ଥିବାରୁ ବିନା ପ୍ଲାନ୍ ମଞ୍ଜୁରିରେ ବହୁତଳ ପ୍ରସାଦ ଛିଡ଼ା ହୋଇଛି। ୧୯୯୪ ସିଡିପି ଅନୁସାରେ ଗୋଟିଏ ଶହେ ଫୁଟିଆ ରାସ୍ତା ଜାଗମରା ଟ୍ରାଫିକ୍ ଛକରୁ ଡୁମୁଡୁମା ଦେଇ ଏନ୍ଏଚ୍-୫କୁ ଛୁଇଁବ। ଏହି ଭିତରେ ଥିବା ୨୪ଟି ପ୍ଲଟ୍ ଅଧିଗ୍ରହଣ ହେବ। ଏଣୁ ଏହି ସବୁ ଜାଗାରେ କଟକଣା ଲାଗିଛି। କିନ୍ତୁ ୩୦ ବର୍ଷ ପରେ ମଧ୍ୟ ବିଡିଏ ଜମି ଅଧିଗ୍ରହଣ କରୁନଥିବାରୁ ଯିଏ ଯେଉଁଠି ପାରିଛି ବିନା ପ୍ଲାନ୍ରେ ଘର କରିଛି। ଏବେ ଯଦି ବିଡିଏ ଅଧିଗ୍ରହଣ କରେ ତେବେ ଜମି ସହ ଘର ପଇସା ବି ଦେବ ବୋଲି ଘରମାଲିକମାନେ କହିଛନ୍ତି। ବିଡିଏ କହୁଛି ଆମେ କଟକଣା ଲଗାଇଛୁ। ଏଣୁ ଆମେ କେବଳ ଜମିର ମୂଲ୍ୟ ଦେବୁ। ଜମି ଅଧିଗ୍ରହଣ କରାଯାଇ ସିଡିପି ଅନୁସାରେ ଭିତ୍ତଭୂମି ପ୍ରସ୍ତୁତ ହେବ।