ପରିବା ଚାଷକୁ ମେଘ ମାଡ଼: ୨୫୦ ହେକ୍ଟର୍ ଜମି ପ୍ରଭାବିତ
ବାଲିଅନ୍ତା: ଅଦିନିଆ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି। ବିଲଠୁ ଆରମ୍ଭ କରି ଖଳା ପର୍ଯ୍ୟନ୍ତ ସବୁଠି ବର୍ଷାରେ ଭିଜୁଥିବା ଧାନକୁ ଦେଖି ଚାଷୀର ଛାତି କୋରି ହୋଇଯାଉଛି। ପରିବା କିଆରିର ଛିନିଭିନି ଅବସ୍ଥା ଚାଷୀ ପେଟର ଭୋକ ମାରିଦେଇଛି। କୋବି, କଲରା, ଝୁଡ଼ଙ୍ଗ, ଜହ୍ନି, ବାଇଗଣ ସାଙ୍ଗକୁ ଶାଗ ଓ ଧନିଆପତ୍ର ସବୁ ନଷ୍ଟ ହୋଇଯାଇଛି। କେଉଁଠି ଫଳନ୍ତି ଗଛ ମାଟିରେ ମିଶି ଯାଇଛି ତ କେଉଁଠି ତଳି ପଚିଗଲାଣି। ଧାନ ବିଲ ସଜାଡ଼ୁସଜାଡ଼ୁ ପରିବା କିଆରି ଉଜୁଡ଼ି ଗଲାଣି। ଯତ୍ନ ନେବାକୁ ଚାଷୀ ପାଖରେ ତର ନାହିଁ। ଏମିତି ସ୍ଥିତିରେ ବାଲିଅନ୍ତା ବ୍ଲକ୍ର ପାଖାପାଖି ୨୫୦ ହେକ୍ଟର ପରିବା ଜମି ପ୍ରଭାବିତ ହୋଇଛି। ଶହଶହ ଚାଷୀ ଯେଉଁମାନେ ଚାଷ କରି ପରିବାର ପୋଷୁଥିଲେ ସେମାନେ ମୁଣ୍ଡରେ ହାତ ଦେଇଛନ୍ତି।
ପ୍ରତିବର୍ଷ ଭଳି କୁଆଖାଇ, କୁଶଭଦ୍ରା, ଦୟା ଓ ଧନୁଆ ନଦୀପଠା ଅଞ୍ଚଳରେ ଚାଷୀମାନେ ଧନିଆ, ପାଳଙ୍ଗ, କୋଶଳା, ଜହ୍ନି, ମୂଳା, କାକୁଡ଼ି, କଲରା, ଝୁଡ଼ଙ୍ଗ, ପତ୍ରକୋବି, ଫୁଲକୋବି, ଲଙ୍କା, ବିନ୍ସ, ବିଲାତି ବାଇଗଣ, ବାଇଗଣ ଆଦି ଚାଷ କରନ୍ତି। କୁଶଭଦ୍ରା ନଦୀର ପଟୁପଡ଼ା, ସୁବାଲୋ, ବୁଢ଼ାଲୋ, ମହୁଖଣ୍ଡା, କୋଳଥପିଟା, ସାହେବନଗର, ନୂଆସାହି, ଭାର୍ଗବୀ ନଦୀର ଝିଣ୍ଟିଶାସନ, ଚଢ଼େଇବର, ସିଙ୍ଗିରିଶାସନ ଓ ପୁରୋହିତପୁର ପଞ୍ଚାୟତ ସମେତ ପୂରଣପଧାନ ପଞ୍ଚାୟତ ରାସ୍ତାକଡ଼ ଢିପ ଜମିରେ ପନିପରିବା ଫସଲ କରାଯାଇଛି। ଚାଷୀମାନଙ୍କ କହିବା କଥା ଏବର୍ଷ ଉଭୟ ଧାନ ଓ ପନିପରିବା ଫସଲ ବେଶ୍ ଭଲ ହୋଇଥିଲା। ବଜାରରେ ପରିବା ଦର ଉଚ୍ଚ ଥିବାରୁ ଏଥର ଭଲ ଦି’ ପଇସା ମିଳିବ ବୋଲି ଆଶା ଥିଲା। ମାତ୍ର ପୁଷ ମାସିଆ ଆପଳକ ବର୍ଷା ସବୁ ବିଗାଡ଼ିଦେଲା। ନଈ କାନ୍ଦି ଢିପ ଜମିରେ ଆଳୁ, ବାଇଗଣ, ପୋଟଳ, ଭେଣ୍ଡି, କଖାରୁ ଓ ଲାଉ ସଦ୍ୟ ଲଗାଯାଇଥିଲା। କିନ୍ତୁ ମାଟିରୁ ଗଜା ବାହାରିବା ପୂର୍ବରୁ ପାଣି ଜମିଗଲା। ବିଲରେ ପାଣି ଜମି ରହିଥିବାରୁ ବିହନ ସଢ଼ିଯିବା ଆଶଙ୍କା ରହିଛି ବୋଲି ରଣପୁର ଗ୍ରାମର ଆଳୁ ଚାଷୀ ମନମୋହନ ସେନାପତି କହିଛନ୍ତି। ପୂରଣପଧାନ ଗ୍ରାମର ଉଗ୍ରେସନ ସାହୁ, ନୂଆସାହିର ହରିହର ପଣ୍ଡା, କାହ୍ନୁ ରାଉତ, କାଳନ୍ଦୀ ରାଉତଙ୍କ କହିବାନୁସାରେ ଫୁଲକୋବି ଚାଷୀଙ୍କ ପାଇଁ ବର୍ଷା କାଳ ହୋଇଛି। ଅଧା ଫୁଟିଥିବା ଫୁଲରେ ପାଣି ପଶିଯିବାରୁ କଳା ହୋଇଗଲାଣି ଓ ପୋକ ବିନ୍ଧିଲେଣି। ତେଣୁ ସେଗୁଡ଼ିକୁ କାଟିଦେବାକୁ ପଡ଼ୁଛି। ନଚେତ ଫୁଲ ବାହାରି ନଥିବା ଗଛ ପ୍ରଭାବିତ ହେବ। ସେହିପରି ପତ୍ରକୋବି ଭିତରେ ପାଣି ପଶିଯାଇଛି। ଫଳରେ ପୋକ ଧରିବା କାରଣରୁ ପତ୍ର ବାନ୍ଧିବ ନାହିଁ। ସଦ୍ୟ ରୁଆ ହୋଇଥିବା ବିଲାତି ବାଇଗଣ, ବାଇଗଣ ଓ ଫୁଲକୋବି ଚାରା ପଚିଯିବା ଅବସ୍ଥାରେ ରହିଛି। ଭୁବନେଶ୍ବର ଉପକଣ୍ଠରେ ଏଭଳି ସ୍ଥିତି ହୋଇଥିବାରୁ ପରିବା ଦର ବଢ଼ିବା ଆଶଙ୍କା ରହିଛି।