ସରକାରୀ ଉଦାସୀନତାରୁ ଅବହେଳିତ କୀର୍ତ୍ତିରାଜି: ଅନନ୍ତ ବାସୁଦେବ ମନ୍ଦିରକୁ ଲୁହା ଖମ୍ବ ଭରସା
ପୁରୁଣା ଭୁବନେଶ୍ୱର: ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ପାଇଁ ଏକାମ୍ରକ୍ଷେତ୍ରର ସ୍ବତନ୍ତ୍ର ପରିଚୟ ରହିଛି। ହେଲେ ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବଙ୍କ ମନ୍ଦିର ହେଉଛି ଏକମାତ୍ର ବିଷ୍ଣୁ ମନ୍ଦିର। ମାତ୍ର ଦୀର୍ଘ ବର୍ଷ ଧରି ଲୁହା ଖମ୍ବ ଢେରାରେ ମନ୍ଦିର ଠିଆହୋଇ ରହିଛି। ସେହିଭଳି ମନ୍ଦିର ପରିସରରେ ଥିବା ପାର୍ଶ୍ବ ମନ୍ଦିରର ପୁନରୁଦ୍ଧାର କରିବାକୁ ଏଏସ୍ଆଇ ପକ୍ଷରୁ ଲୁହା ବାଡ଼ା ବନ୍ଧା ଯାଇଥିଲା। ହେଲେ ବଜେଟ୍ ଅଭାବରୁ ୧୦ବର୍ଷ ହେଲା ଲୁହା ବାଡ଼ା ବନ୍ଧା ହୋଇ ରହିଛି। ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଥିବା ମା’ ଲକ୍ଷ୍ମୀଙ୍କ ମନ୍ଦିର ଦୀର୍ଘ ବର୍ଷ ହେଲା ଭୁଶୁଡ଼ି ଯାଇଛି। ଅଧା ଭଙ୍ଗା ମନ୍ଦିରରୁ ମା’ ଲକ୍ଷ୍ମୀଙ୍କୁ ସ୍ଥାନାନ୍ତର କରି ଅନନ୍ତ ବାସୁଦେବ ମନ୍ଦିର ଗର୍ଭଗୃହରେ ପୂଜାର୍ଚ୍ଚନା କରାଯାଉଛି। ମନ୍ଦିର ପୁନରୁଦ୍ଧାର ନାଁ ଧରାଯାଉନଥିବାରୁ ମା’ ଲକ୍ଷ୍ମୀ ସ୍ବମନ୍ଦିରକୁ ଫେରିପାରୁନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ଏହି ଦୁଇ ମନ୍ଦିର ବର୍ଷ ବର୍ଷ ଧରି ଅବହେଳିତ ହୋଇରହିଛି ବୋଲି ଅଭିଯୋଗ ହେଉଛି।
ଲୁହା ବାଡ଼ାରେ ପାର୍ଶ୍ବ ମନ୍ଦିର
ସ୍ବମନ୍ଦିରକୁ ଫେରିପାରୁ ନାହାନ୍ତି ମା’ ଲକ୍ଷ୍ମୀ
ଅନନ୍ତ ବାସୁଦେବଙ୍କ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ। ବିନ୍ଦୁସାଗର କୂଳରେ ପଞ୍ଚାୟତନ ଶୈଳୀରେ ପଶ୍ଚିମ ଦିଗକୁ ମୁହଁ କରିଥିବା ଏହି ମନ୍ଦିର ସମ ଉଚ୍ଚତା ବିଶିଷ୍ଟ ପିଣ୍ଡି ଉପରେ ଅବସ୍ଥିତ। ଏହି ମନ୍ଦିରର କଳା, ଭାସ୍କର୍ଯ୍ୟ ଅନ୍ୟ ସବୁ ମନ୍ଦିରଠାରୁ ସମ୍ପୂର୍ଣ୍ଣ ଅଲଗା। ଚୋଡ଼ଗଙ୍ଗ ବଂଶର ରାଜା ତୃତୀୟ ଅନଙ୍ଗ ଭୀମଦେବଙ୍କ କନ୍ୟା ଚନ୍ଦ୍ରିକା ଦେବୀ ଏହି ମନ୍ଦିର ନିର୍ମାଣ କରାଇଥିଲେ ବୋଲି ଐତିହାସିକମାନେ ମତ ଦିଅନ୍ତି। ଏହି ମନ୍ଦିର ଏବେ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀନରେ ରହିଛି। ମାତ୍ର ବିଭାଗୀୟ ଅବହେଳାରୁ ମନ୍ଦିରର ସୌନ୍ଦର୍ଯ୍ୟ ଉଜୁଡ଼ିଗଲାଣି। ମନ୍ଦିରର ଉପର ଅଂଶ ବି ଦୁର୍ବଳ ହୋଇଗଲାଣି।
ଅପରପକ୍ଷରେ ଶ୍ରୀଲିଙ୍ଗରାଜଙ୍କ ପର୍ବପର୍ବାଣି ଓ ଯାନିଯାତ୍ରା ସହିତ ଅନନ୍ତ ବାସୁଦେବଙ୍କ ନିବିଡ଼ ସମ୍ପର୍କ ରହିଛି। ବଡ଼ କଥା ହେଉଛି ଅନନ୍ତ ବାସୁଦେବ ମନ୍ଦିର ଅବଢ଼ାର ଏକ ସ୍ବତନ୍ତ୍ର ଚାହିଦା ରହିଛି। ପ୍ରତି ମାସର ଏକାଦଶୀ, ପୂର୍ଣ୍ଣମୀ ଭଳି ତିଥିରେ ଏଠାରେ ବହୁ ଶ୍ରଦ୍ଧାଳୁ ଦେବ ଦର୍ଶନ କରନ୍ତି। ଅନନ୍ତ ବ୍ରତ ପୂଜା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ମାତ୍ର ପରିତାପର କଥା ଏହି ମନ୍ଦିରର ସୁରକ୍ଷା ନେଇ କେହି ଚିନ୍ତିତ ନୁହନ୍ତି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି ଯେ ଏହି ମନ୍ଦିରର ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଚଟାଣ ପଥର ଖାଲ ଢିପ ହୋଇଗଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନନେଲେ ମନ୍ଦିରର ଭବିଷ୍ୟତ ବିପଦକୁ ଠେଲି ହୋଇଯିବ। ଏନେଇ ଏଏସ୍ଆଇ ଅଧୀକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।