ଅଦୂରଦର୍ଶିତା ପାଇଁ ୮୦ ଲକ୍ଷ ବରବାଦ: ଜବରଦଖଲ ପାଇଁ ଝୁଲିଛି ଦୁଇଲେନ୍ ରାସ୍ତାର ଭାଗ୍ୟ
ଖଣ୍ଡଗିରି: ଜବରଦଖଲ ହଟାଇ ପାରିଲେନି ବୋଲି ୮୦ ଲକ୍ଷ ବରବାଦ ହୋଇଗଲା। ୬ ବର୍ଷ ପୂରିବାକୁ ବସିଲାଣି ବିଏମ୍ସି ଏହାର ବାଟ ବାହାର କରିପାରିଲାନି। ଫଳରେ ବିଜୁ ପଟ୍ଟନାୟକ କଲେଜ ଛକଠାରୁ ହୋଟେଲ ମେଫେୟାର୍ ପର୍ଯ୍ୟନ୍ତ ରାସ୍ତାରେ ହୋଇଥିବା କଲଭର୍ଟ ବ୍ୟବହାର ଯୋଗ୍ୟ ହୋଇପାରିଲାନି। କାଳେ କେହି ଏହାକୁ ଦେଖିଦେବେ, ବିବାଦ ହେବ, ବିଏମ୍ସି ବଦନାମ ହେବ, ସେହି ଭୟରେ ଏହାକୁ ଟିଣ ଲଗାଇ ଅବରୋଧ କରି ରଖିଛନ୍ତି। ୫ ବର୍ଷ ହେବାକୁ ଯାଉଥିବାରୁ ଲୁହାଛଡ଼ରେ କଳଙ୍କି ଲାଗି କଲଭର୍ଟକୁ ଫଟାଇ ଦେବାକୁ ବସିଲାଣି। କେବଳ ଏହି ଗୋଟିଏ ଉଦାହରଣ ନୁହେଁ, ବରଂ ବିଏମ୍ସିର ଏଭଳି ଅଦୂରଦର୍ଶିତା କାରଣରୁ କୋଟି କୋଟି ଟଙ୍କାର ପ୍ରକଳ୍ପ ଖତ ଖାଉଛି। ଏଣେ ଅର୍ଥାଭାବରୁ ବହୁ ଲୋକାଭିମୁଖୀ ପ୍ରକଳ୍ପ ପ୍ରସ୍ତୁତ ହୋଇ ପାରୁ ନାହିଁ। ବିଜୁ ପଟ୍ଟନାୟକ କଲେଜ୍ ଛକରୁ ମେ ଫେୟାର ହୋଟେଲ୍ ଦେଇ ଜୟଦେବବିହାର-ନନ୍ଦନକାନନ ରାସ୍ତାକୁ ଯେଉଁ ରାସ୍ତା ଯାଇଛି ତା’କୁ ୨ଲେନ୍ ବିଶିଷ୍ଟ କରିବା ପାଇଁ ଯୋଜନା ହୋଇଥିଲା।
ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ବିଜୁ ପଟ୍ଟନାୟକ ମୂର୍ତ୍ତି ପର୍ଯ୍ୟନ୍ତ ଦୁଇ ଲେନ୍ ବିଶିଷ୍ଟ ଥିବା ବେଳେ ବିଜୁ ପଟ୍ଟନାୟକ ମୂର୍ତ୍ତିଠାରୁ ବିଜୁ ପଟ୍ଟନାୟକ କଲେଜ ଛକ ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୫ନମ୍ବର ପ୍ରାକୃତିକ ନାଳ ଉପରେ ବିଏମ୍ସି କଲଭର୍ଟ କରିଥିଲା। ଏଥିରେ ପ୍ରାୟ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ କଲଭର୍ଟ ପରେ ରାସ୍ତା ହୋଇ ପାରିବ କି ନାହିଁ ତାହାର ଆକଳନ କରି ନଥିଲା। ଫଳରେ କଲଭର୍ଟ ପରେ ଥିବା ଜବରଦଖଲ ହଟାଇ ପାରି ନଥିଲା। ଏଣୁ ଆଉ ଦ୍ବିତୀୟ ଲେନ୍ ରାସ୍ତା ନିର୍ମାଣ ସମ୍ଭବ ହୋଇ ନଥିଲା। କଲଭର୍ଟ ନିର୍ମାଣ ପୂର୍ବରୁ ଏହି ସମସ୍ୟାର ସମାଧାନ କାହିଁକି ହୋଇପାରିଲା ନାହିଁ ସେ ନେଇ କାହା ପାଖରେ ଉତ୍ତର ନାହିଁ। ବରଂ ୮୦ ଲକ୍ଷ ଟଙ୍କାରୁ କମିସନ ଖାଇବା ପାଇଁ ବିଏମ୍ସି ଇଞ୍ଜିନିୟରମାନେ ଏଭଳି ବୁଦ୍ଧି ଦେଇଥିବା ଚର୍ଚ୍ଚା ହୋଇଥିଲା। ଏବେ ସ୍ଥିତି ଏଭଳି ଯେ, ରାସ୍ତା କେବେ ହେବ କାହା ପାଖରେ ଖବର ନାହିଁ। ଫଳରେ ଏହି ୮୦ ଲକ୍ଷ ଟଙ୍କା ପାଣିରେ ପଡ଼ିବା ଥୟ ହୋଇଛି। ଯଦି ବି କେବେ ଜବରଦଖଲ ଉଚ୍ଛେଦ ହୋଇ ରାସ୍ତା ନିର୍ମାଣ ହୁଏ ତେବେ ପୁଣି ଥରେ କଲଭର୍ଟ ନିର୍ମାଣ କରିବା ଆବଶ୍ୟକ ପଡ଼ିବ।
ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀଙ୍କ କହିବା ମୁତାବକ, ଏହି ଅଞ୍ଚଳରେ ବାରମ୍ବାର ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହି ରାସ୍ତାକୁ ଚଉଡ଼ା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ୨୦୧୯ରେ କଲଭର୍ଟ ହୋଇଥିଲା। ଜବରଦଖଲ ସମସ୍ୟା ଯୋଗୁ ରାସ୍ତା ଫିଟି ପାରି ନଥିଲା। ଏହି ସ୍ଥାନରେ ସାଲିଆସାହି ବସ୍ତି ରହିଥିବାରୁ ଏହାକୁ କିଭଳି ଉଚ୍ଛେଦ କରାଯିବ ସେ ନେଇ ବିଏମ୍ସି ଅଧିକାରୀମାନେ ଚିନ୍ତାରେ ପଡ଼ିଥିଲେ। ଉଚ୍ଛେଦ କରିବାକୁ ଗଲା ବେଳେ ବସ୍ତି ବାସିନ୍ଦାଙ୍କ ପ୍ରତିବାଦର ସମ୍ମୁଖୀନ ହେଲେ। ଫଳରେ ଉଚ୍ଛେଦ କରିନପାରି ନିରାଶ ହୋଇ ଫେରିଲେ। ଏହା ପରେ ଟିଣ ଚାଦର ଲଗାଯାଇ କଲଭର୍ଟକୁ ସର୍ବସାଧାରଣଙ୍କ ଆଖିରୁ ଦୂରରେ ରଖାଯାଇଛି।