ରାଜନୀତି

ପରଲୋକରେ ପୂର୍ବତନ ବିଧାୟକ ବିଜୟ ମହାନ୍ତି: ରାଜଧାନୀରେ ‘ବାଦଲ’ ନାମରେ ଥିଲେ ପରିଚିତ

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ସେ ପୂର୍ବତନ ବିଧାୟକଙ୍କ ଅତିଥି ଭବନରେ ରହୁଥିଲେ। ସକାଳୁ ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ହୃଦ୍‌ରୋଗରେ ପୀଡ଼ିତ ଥିବା କୁହାଯାଉଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ଡାକ୍ତର କହିଛନ୍ତି। ୧୯୬୪ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ମହାନ୍ତି ଯୁବାବସ୍ଥାରୁ ରାଜନୀତିରେ ସକ୍ରିୟ ଥିଲେ। ତତ୍‌କାଳୀନ ଜନତା ଦଳର ବିଭିନ୍ନ ପଦପଦବିରେ ସେ ରହିଥିଲେ। ବିଜୁ ଜନତା ଦଳରୁ ୨୦୦୯ ଓ ୨୦୧୪ରେ ସେ ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ହୋଇଥିଲେ। ତାଙ୍କ ମର ଶରୀରକୁ ହସ୍‌ପିଟାଲ୍‌ରୁ ପ୍ରଥମେ ଶଙ୍ଖ ଭବନ ଓ ପରେ ବିଧାନସଭା ନିଆଯାଇଥିଲା। ଶଙ୍ଖ ଭବନରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଲେଲିନ୍‌ ମହାନ୍ତି, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ପୂର୍ବତନ ମେୟର ମିହିର ମହାନ୍ତିଙ୍କ ସମେତ ବହୁ କର୍ପୋରେଟର ଶେଷ ଦର୍ଶନ କରିଥିଲେ। ହସ୍‌ପିଟାଲ୍‌ରେ ଏକାମ୍ର ବିଧାୟକ ବାବୁ ସିଂହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ରାଜଧାନୀରେ ‘ବାଦଲ’ ନାମରେ ଥିଲେ ପରିଚିତ
ପ୍ରଥମ ଲଢ଼େଇରେ ବିଶ୍ବଭୂଷଣଙ୍କୁ ହରାଇ ଚର୍ଚ୍ଚିତ ହୋଇଥିଲେ

ସ୍ବର୍ଗତ ମହାନ୍ତି ‘ବାଦଲ’ ନାମରେ ବେଶ୍‌ ପରିଚିତ ଥିଲେ। ଭୁବନେଶ୍ବର ରାଜନୀତିରେ ସେ ତିନି ଦଶନ୍ଧି ଧରି ଜଣେ ଚର୍ଚ୍ଚିତ ନେତା ଥିଲେ। ତାଙ୍କର ସାଂଗଠନିକ ଦକ୍ଷତା ଓ ନିର୍ବି‌ବାଦୀୟ ବ୍ୟକ୍ତିତ୍ବ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ବସ୍ତି ଅଞ୍ଚଳରେ ତାଙ୍କର ବ୍ୟକ୍ତିଗତ ସଂଗଠନ ଥିବାରୁ ତାଙ୍କୁ କେହି ଅଣଦେଖା କରିବା ସମ୍ଭବ ନଥିଲା। ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଲା ପରେ ବିଜେଡିରୁ ବାଦଲଙ୍କୁ ପ୍ରାର୍ଥୀ କରାଗଲା। ତତ୍‌କାଳୀନ ବିଧାୟକ ତଥା ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ପ୍ରଥମ ବିଧାନସଭା ଲଢ଼େଇରେ ସେ ବିଶ୍ବଭୂଷଣଙ୍କୁ ହରାଇ ବାଜିମାତ କରିଥିଲେ। ୨୦୧୪ରେ ପୁନର୍ବାର ବିଜେଡି ଟିକେଟରେ ଲଢ଼ି ବିଜୟୀ ‌ହୋଇଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ବିଜେଡି ଟିକେଟ ମିଳି ନଥିଲା। ତାଙ୍କ ବଦଳରେ ଅନନ୍ତ ନାରାୟଣ ଜେନା ବିଜେଡି ଟିକେଟ ପାଇଥିଲେ। ନିର୍ବାଚନ ପରେ ତାଙ୍କୁ କୌଣସି ପଦପଦବିରେ ଥଇଥାନ କରାଯିବ ବୋଲି ଦଳରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ସେପରି କିଛି ପଦବି ଦିଆଯାଇ ନଥିଲା। ସେ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିଲେ। ସେ ଅବିବାହିତ ଥିଲେ। ତାଙ୍କର ପାରିବାରିକ ଆର୍ଥିକ ସ୍ଥିତି ମଧ୍ୟ ସ୍ବଚ୍ଛଳ ନଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବର୍ଗତ ମହାନ୍ତିଙ୍କ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜଣାଇ କହିଛନ୍ତି ଯେ ସେ ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ। ଦୁଇଥର କ୍ରମାଗତ ଭାବରେ ମଧ୍ୟ ନିର୍ବାଚନମଣ୍ଡଳୀରୁ ଜିତି ସେ ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଥିଲେ। ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରି ଭୁବନେଶ୍ୱର ଯୁବବର୍ଗଙ୍କ ପାଖରେ ‘ବାଦଲ ଭାଇ’ ଭାବେ ପରିଚିତ ଥିଲେ। ସମାଜର ଗରିବ ଓ ଅବହେଳିତଙ୍କ କଲ୍ୟାଣ ସାଧନକୁ ସେ ପ୍ରାଥମିକତା ଦେଉଥିଲେ। ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରକାଶ କରି କହିଛନ୍ତି, ସମାଜର ତଳସ୍ତରରେ ଥିବା ଜନ ସାଧାରଣଙ୍କ ସ୍ୱାର୍ଥକୁ ସେ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିଲେ। ତାଙ୍କର ଅମର ଆତ୍ମାର ସଦ୍‌ଗତି ହେଉ। ବିଜେଡି ପକ୍ଷରୁ ଏକ ଶୋକବାର୍ତ୍ତାରେ ସ୍ବର୍ଗତ ମହାନ୍ତିଙ୍କ ଲୋକସେବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button