‘ସ୍ମାଇଲ ପ୍ଲିଜ୍!’ ପ୍ରଜ୍ଞା ପଠାଇଲା ବିକ୍ରମର ଫଟୋ – Ibnodisha

[ad_1]

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଦଣ୍ଡାୟମାନ ବିକ୍ରମ ଲ୍ୟାଣ୍ଡରର ଫଟୋ ଉଠାଇ ପୃଥିବୀକୁ ପ୍ରେରଣ କରିଛି ରୋଭର ପ୍ରଜ୍ଞା। ରୋଭରର ନେଭିଗେସନ କ୍ୟାମେରା (ନେଭକ୍ୟାମ୍) ଦ୍ବାରା ଉଠାଯାଇଥିବା ଏହି ଫଟୋକୁ ‘ଇମେଜ୍ ଅଫ୍ ଦ ମିସନ୍’ ବୋଲି କୁହାଯାଉଛି। ଚନ୍ଦ୍ର ମିସନର ସଫଳତାରେ ନେଭ୍କ୍ୟାମ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, ଯାହାକୁ ବେଙ୍ଗାଲୁରୁସ୍ଥିତ ଲାବୋରେଟୋରି ଫର୍ ଇଲେକ୍ଟ୍ରୋ-ଅପ୍ଟିକ୍ସ ସିଷ୍ଟମ୍ସ (ଏଲ୍ଇଓଏସ୍) ଦ୍ବାରା ନିର୍ମାଣ କରାଯାଇଥିଲା। ଏହି କ୍ୟାମେରା ରୋଭରର ଆଖି କାମ କରୁଛି, ଯାହା ଏହାକୁ ଚନ୍ଦ୍ରର ଆବଢ଼ାଖାବଡ଼ା ପୃଷ୍ଠଦେଶରେ ଚାଲିବାରେ ସାହାଯ୍ୟ କରୁଛି। ଖାଲଢ଼ିପ ଓ ବାଧାକୁ ଏଡ଼ାଇ ରୋଭରର ନିରାପଦ ବିଚରଣ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣମେରୁରେ ନିରାପଦରେ ଅବତରଣ କରିଥିବା ଇସ୍ରୋର ଚନ୍ଦ୍ରଯାନ-୩ ମିସନ ସପ୍ତାହକ ଭିତରେ ଚନ୍ଦ୍ର ମୃତ୍ତିକାର ତାପମାତ୍ରା ଓ ସଂରଚନା ବିଷୟରେ ଅନେକ ତଥ୍ୟ ପ୍ରଦାନ କରିସାରିଲାଣି।
ଏହି ମିସନର ସଫଳତା ଦ୍ବାରା ଭାରତ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣ କରିବାରେ ଚତୁର୍ଥ ଦେଶ ଓ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବାରେ ପ୍ରଥମ ଦେଶର ମାନ୍ୟତା ପାଇଛି। ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର ଚନ୍ଦ୍ରପୃଷ୍ଠ ସମ୍ବନ୍ଧରେ ଅନେକ ମୂଲ୍ୟବାନ୍ ତଥ୍ୟ ପ୍ରଦାନ କରିବା ଜାରି ରଖିଛି। ରୋଭରରେ ଦୁଇଟି ପେଲୋଡ୍ ରହିଛି। ଗୋଟିଏ ହେଉଛି ଆଲ୍ଫା ପାର୍ଟିକ୍ଲ ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏପିଏକ୍ସଏସ୍) ଓ ଅନ୍ୟଟି ଲେଜର ଇଣ୍ଡ୍ୟୁସ୍ଡ ବ୍ରେକ୍ଡାଉନ୍ ସ୍ପେକ୍ଟ୍ରୋସ୍କୋପ୍ (ଲିବ୍ସ)। ଏଗୁଡ଼ିକୁ ଚନ୍ଦ୍ରର ମୃତ୍ତିକା ଓ ପ୍ରସ୍ତରର ବିଶ୍ଳେଷଣ କରି ମୌଳିକ ଓ ଖଣିଜ ସଂରଚନା ଜଣାଇବା ପାଇଁ ଡିଜାଇନ କରାଯାଇଛି।
[ad_2]