ସରିଲା ଆଦିବାସୀ ମେଳା: ୧୨ ଦିନରେ ୯ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ

ଭୁବନେଶ୍ୱର: ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ୧୨ ଦିନବ୍ୟାପୀ ଚାଲିଥିବା ‘ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ’ ଆଜି ଉଦ୍ଯାପିତ ହୋଇଛି। ମେଳାରେ ସାଢ଼େ ୯ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଛି। ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଚଳିତ ବର୍ଷର ଆଦିବାସୀ ମେଳା ଆମ ପାଇଁ ସ୍ୱତନ୍ତ୍ର ଥିଲା ବୋଲି କହିଥିଲେ। ମୁଖ୍ୟଧାରାର ବିକାଶରେ ଆଦିବାସୀଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବ ବୋଲି ସେ ମତ ଦେଇଥିଲେ। ରାଜ୍ୟ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିବା ସହିତ, ଆଦିବାସୀଙ୍କ ସାମୂହିକ ଆକାଂକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ସ୍ୱାର୍ଥ ପ୍ରତି ଯତ୍ନବାନ ହେଉଛନ୍ତି। ଆଦିବାସୀ ସଶକ୍ତୀକରଣ ଓ ଜୀବିକା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ସହିତ, ଆଦିବାସୀଙ୍କ ମଧ୍ୟରେ ଅଧିକ ସଚେତନତା ବୃଦ୍ଧି ପାଉଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ।
ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, କୋଟପାଡ଼ ବିଧାୟକ ରୁପୁ ଭଦ୍ରା ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ପୋମା ଟୁଡୁ, ଅନୁସୂଚିତ ଜାତି କଲ୍ୟାଣ ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଜର୍ଣ୍ଣାଲ ‘ଆଦିବାସୀ: ୬୪ତମ ଖଣ୍ଡ’ ଉନ୍ମୋଚିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନର ବାର୍ଷିକ ରିପୋର୍ଟକୁ ମୁଖ୍ୟ ଅତିଥି ଅନାବରଣ କରିଥିଲେ।
ଏଥିସହିତ ୬ ଜଣ ସଫଳ ଜନଜାତି ଚାଷୀ, କ୍ଷୁଦ୍ର ଉଦ୍ୟୋଗୀ ଓ ଜଣେ ଜନଜାତି କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ୩ଟି ଶ୍ରେଷ୍ଠ କୁଡ଼ିଆ ଓ ୩ ଜଣ ଜନଜାତି ବ୍ୟବସାୟୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଳାରେ ଆଦିବାସୀ ଗାଁ, ହାଟ, କଳା ଓ କଳାବସ୍ତୁ ପ୍ରସ୍ତୁତି ପ୍ରଦର୍ଶନୀ, ବିର୍ସା ମୁଣ୍ଡା ଗ୍ୟାଲେରି, ଖାଦ୍ୟ ପ୍ରାଙ୍ଗଣର ଆୟୋଜନ କରାଯାଇଥିଲା। ଏଥିସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଡ୍ରୋନ୍ ସୋ, ଲେଜର୍ ସୋ, ଫାୟାର୍ ସୋ, ଜନଜାତି ଫ୍ୟାସନ୍ ସୋ, ପ୍ରୋଜେକ୍ସନ ମ୍ୟାପିଂ, ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଆଦିବାସୀ ମେଳାରେ ୧୪୦ଟି ଜନଜାତି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଭାଗ ନେଇଥିଲେ। ମୋଟ୍ ୪୯ଟି ଗ୍ରୁପର ୯୮୦ ଜଣ ଜନଜାତି ପ୍ରତିଭା ୭୦ ପ୍ରକାରର ଜନଜାତି ନୃତ୍ୟ ପରିବେଷଣ କରିଥିଲେ।



