ରାଜ୍ୟ

ଅବହେଳିତ ଅବସ୍ଥାରେ ପୁରୁଣା ବସ୍‌ଷ୍ଟାଣ୍ଡ୍‌: ଗୋଟିଏ ବି ବସ୍‌ ଆସୁନି

ଜଟଣୀ: ରେଲୱେ ମାର୍କେଟ୍‌ରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଷ୍ଟାଣ୍ଡ୍‌କୁ ଆଉ ବସ୍‌ ଚଳାଚଳ କରୁ ନଥିବାରୁ ଏଠାରେ ଅଳିଆ ଆବର୍ଜନା ଗଦା କରାଯାଉଛି। ରାତି ହେଲେ ନିଶାଡ଼ିଙ୍କ ଆଡ଼ାସ୍ଥଳୀ ପାଲଟୁଛି। କିଛି ସ୍ଥାନରେ ଅସାଧୁ ବ୍ୟବସାୟୀମାନେ ଜବରଦଖଲ କରିନେଲେଣି। ପୂର୍ବରୁ ଯେଉଁଠି ୩୦ ଖଣ୍ଡ ବସ୍‌ ଚାଲୁଥିଲା, ସେଠାକୁ ଏବେ ମାତ୍ର ଗୋଟିଏ ବସ୍‌ ଆସୁଛି। ହେଲେ ଏହି ବସ୍‌ଟି ଷ୍ଟାଣ୍ଡ୍‌ ଭିତରକୁ ଯିବା ପରି‌ବର୍ତ୍ତେ ବାହାରୁ ବାହାରୁ ଚାଲିଯାଉଛି। ପୂର୍ବରୁ ଏଠାରେ ଓଆର୍‌ଟି ବସ୍‌ ଓ ଗ୍ୟାରେଜ୍‌ ଥିଲା। ଦିନ ରାତି ଗହଳି ଚହଳି ଲାଗି ରହୁଥିଲା। ଦୋକାନ ବଜାରରେ ଭିଡ଼ ମଧ୍ୟ ହେଉଥିଲା। ହେଲେ ଏବେ ପୁରୁଣା ବସ୍‌ଷ୍ଟାଣ୍ଡ କେବଳ ଯାହା ପୁରୁଣା ଦିନର ସ୍ମୃତିକୁ ବହନ କରୁଛି।

ଗୋଟିଏ ବି ବସ୍‌ ଆସୁନି
ଗଦା ହେଉଛି ଆବର୍ଜନା, ଆଡ଼ା ଜମାଉଛନ୍ତି ନିଶାଡ଼ି

୧୯୫୦ ମସିହାରେ ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ୍ ପ୍ରତିଷ୍ଠା କରାଯାଇଥିଲା। ଖୋର୍ଦ୍ଧାରୋଡ୍ ରେଳ ଜଙ୍କ୍‌ସନ୍‌ରେ ଯାତ୍ରୀମାନେ ଓହ୍ଲାଇ ଓଆରଟି ବସ ସହ ଘ‌ରୋଇ ବସ୍‌ ଏବଂ ରେଳ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିଲେ। ତେବେ ଏଠାରୁ ବସ୍‌ ଯୋଗେ ବିଭିନ୍ନ ସ୍ଥାନକୁ ପରିବହନ ଯୋଗାଇ ଦେବାକୁ ନେଇ ୧୯୫୩ ମସିହାରେ ରେଲୱେ ମାର୍କେଟରେ ଓଆରଟି ଜୋନ୍ ନାମରେ ବସ୍‌ଷ୍ଟାଣ୍ଡ୍‌ ପ୍ରତିଷ୍ଠା କରାଯାଇଥିଲା। ଉକ୍ତ ସ୍ଥାନଟି ରେଳବାଇ ଅଧୀନରେ ଆସୁଥିବାରୁ ରାଜ୍ୟ ସରକାର ଜାଗାଟିକୁ ଲିଜ୍ ଭାବେ ନେଇ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ କରିଥିଲେ। ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ୨୧ଟି ରୁଟ୍‌ରେ ୩୦ରୁ ଅଧିକ ବସ୍‌ ଯାତାୟାତ କରୁଥିଲା। ଧୀରେଧୀରେ ମାର୍କେଟ ରାସ୍ତା ସଙ୍କୁଚିତ ହେବାରୁ କାଳକ୍ରମେ ଏଠାରୁ ବସ୍‌ ଚଳାଚଳ କମିବାକୁ ଲାଗିଲା। ଏଠାରେ କର୍ମଚାରୀ ରହିଲେ ନାହିଁ। କାର୍ଯ୍ୟାଳୟ ବନ୍ଦ ହୋଇଗଲା। ବର୍ତ୍ତମାନ କେବଳ ଗୋଟିଏ ବସ୍‌ ଭୋର୍‌ ୫ଟା ବେଳେ କଣ୍ଟାମାଳକୁ ଚଳାଚଳ କରୁଛି ଓ ଅପରାହ୍ନ ସମୟରେ ଫେରୁଛି। ଏହି ବସ୍‌ଟି ଲୋକଙ୍କ ମନରେ ଓଆରଟିର ସ୍ମୃତି ବହନ କରୁଛି ବୋଲି ସ୍ଥାନୀୟ ଲୋକ କୁହନ୍ତି।

ସ୍ଥାନୀୟ ବ୍ୟବସାୟୀ କୁହନ୍ତି, ଟ୍ରେନ୍‌ରେ ଯିବା ଆସିବା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହି ବସ୍‌ଷ୍ଟାଣ୍ଡ ହିଁ ସାହା ଭରସା ଥିଲା। କାଳକ୍ରମେ ବସ୍‌ ଚଳାଚଳ ବନ୍ଦ ହୋଇଗଲା। ଜଣେ କର୍ମଚାରୀ କାର୍ଯ୍ୟାଳୟ ଖୋଲୁଥିଲେ। ହେଲେ ସେ ମଧ୍ୟ ପଳାଇଲେ। ବର୍ତ୍ତମାନ ପୁରୁଣା ବସ୍‌ଷ୍ଟାଣ୍ଡ୍‌ କାର୍ଯ୍ୟାଳୟ ଓ ଶୌଚାଳୟ ଖତ ଖାଉଛି। ତେଣୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପୂର୍ବପରି ଏଠାରୁ ବସ୍‌ ଚଳାଚଳ ଆରମ୍ଭ କରାଗଲେ ପୁଣି ବସ୍‌ଷ୍ଟାଣ୍ଡ୍‌ ହସି ଉଠିବ ବୋଲି ବ୍ୟବସାୟୀମାନେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button