ଫିଲ୍ମ ଏମର୍ଜେନ୍ସି ରିଲିଜ ଆରମ୍ଭରୁ ବିବାଦରେ

ଦେଶରେ ଜରୁରୀକାଳୀନ ସ୍ଥିତି ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାକୁ ନେଇ ତିଆରି ଫିଲ୍ମ ଏମର୍ଜେନ୍ସି ରିଲିଜ ଆରମ୍ଭରୁ ବିବାଦରେ ପଡିଛି। କଙ୍ଗନା ରାଣାଓ୍ୱତ ଅଭିନୀତ ଏହି ଫିଲ୍ମର ପଞ୍ଜାବର ଅନେକ ଥିଏଟରରେ କ୍ୟାନସଲ୍ କରିଦିଆଯାଇଛି। ଶିରୋମଣୀ ଗୁରୁଦ୍ୱାରା ପରବନ୍ଧକ କମିଟି ବା ଏସଜିପିସି ଆଗରୁ ଏହି ଫିଲ୍ମ ସ୍କ୍ରିନିଂକୁ ବ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କ ଆଗରେ ଦାବି କରିଥିଲା। ଫିଲ୍ମରେ ଇନ୍ଦିରାଙ୍କ ଭୂମିକାରେ ମଣ୍ଡିର ବିଜେପି ବିଧାୟିକା ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ ଅଭିନୟ ସହ ନିର୍ଦେଶନା ଦେଇଛନ୍ତି। ଏହାରି ରିଲିଜକୁ ନେଇ ଅନେକ ଶିଖ୍ ସଂଗଠନ ବିରୋଧ କରିବାରୁ ଅମ୍ରିତସର, ବର୍ଣ୍ଣାଲା, ମାନସା, ମୋଗା ଓ ପଟିଆଲାର ଅନେକ ଥିଏଟରରେ ଏହା ପ୍ରଦର୍ଶିତ ହୋଇପାରିନି। ପୂର୍ବରୁ ଏହି ଫିଲ୍ମ ରିଲିଜ ହେବାରେ ୬ ମାସ ବିଳମ୍ୱ ହୋଇଥିଲା ଏଥିଲାଗି ଯେ, ସେନସର ବୋର୍ଡ ଫିଲ୍ମରେ ଥିବା ଅନେକ ସଟ୍ କଟ୍ କରିଥିଲା। କାରଣ ଶିଖ୍ ସଂଗଠନ ଫିଲ୍ମରେ ଶିଖ୍ ସମ୍ପ୍ରଦାୟର ଛବିକୁ ଖରାପ କରି ଦେଖାଯାଇଛି ବୋଲି ଆରୋପ ଲଦିଥିଲା।
ଜାନୁଆରୀ ୧୭। ଜାତୀୟ ସିନେମା ଦିବସ। ସେଥିଲାଗି ଏହି ଫିଲ୍ମକୁ ୯୯ ଟଙ୍କାରେ ଦେଖିବାକୁ ଦର୍ଶକଙ୍କୁ ସୁଯୋଗ ଦେଇଥିଲେ ଅନେକ ଥିଏଟର। ଫିଲ୍ମରେ ଇନ୍ଦିରା ପ୍ରଧାନମନ୍ତ୍ରୀ ହେବାଠୁ ନେଇ ତାଙ୍କ ଦ୍ୱାରା ୨୧ ମାସ ଯାଏଁ ଲଗାଯାଇଥିବା ଏମର୍ଜେନ୍ସି ଓ ଏହାର ପରିଣାମକୁ ନେଇ ପ୍ରଦର୍ଶିତ ହୋଇଛି। ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକା ଶ୍ରେୟସ ତଲପଡ଼େ କରିଛନ୍ତି। ଫିଲ୍ମରେ ଗାନ୍ଧୀ କେମିତି ଗରିବି ଓ ବେରୋଜଗାରିରୁ ଧ୍ୟାନ ହଟାଇବାକୁ ପୋଖରାନରେ ନ୍ୟୁକ୍ଲିଆର ପରୀକ୍ଷଣ କରିଥିଲେ ବୋଲି ପ୍ରଦର୍ଶିତ ହୋଇଛି। ରିଲିଜ ପୂର୍ବରୁ ସ୍ପେଶିଆଲ ସ୍କ୍ରିନିଂ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଥିଲେ, ଦେଶର କଳା ଇତିହାସକୁ ଏହି ଫିଲ୍ମରେ ପ୍ରଦର୍ଶନ କରାଯାଇଛି। କଂଗ୍ରେସ କହିଛି, ଏ ସବୁ ଫିଲ୍ମ ପଲିଟିକାଲି ପ୍ରାୟୋଜିତ। ଯେମିତି କଶ୍ମୀର ଫାଇଲ୍ସ ହୋଇଥିଲା। କାଳ୍ପନିକ ଓ ବିନା ଆଧାରରେ ଏଭଳି ଫିଲ୍ମ କରି କଂଗ୍ରେସକୁ ବଦନାମ କରିବାକୁ ଷଡ଼ଯନ୍ତ୍ର।
ବହୁ ସଂଘର୍ଷ ପରେ ରିଲିଜ୍ ହୋଇଛି ଏମର୍ଜେନ୍ସି। ୧୯୭୫ରୁ ୧୯୭୭ ଯାଏ ଭାରତରେ ଇନ୍ଦିରାଙ୍କ ଦ୍ୱାରା ଲଗାଯାଇଥିବା ୨୧ ମାସର ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ ଫିଲ୍ମକୁ ସେନସର ବୋର୍ଡ ଶେଷରେ ଗ୍ରୀନ ସିଗନାଲ ଦେଇଛି। ଆଗ ଏହି ଫିଲ୍ମଡିସେମ୍ୱର ୬, ୨୦୨୪ରେ ରିଲିଜ ହେବାର ଥିଲା।