ରାଜନୀତି

ମନ୍ କୀ ବାତ୍: ମହାକୁମ୍ଭ ଏକତା ଓ ସଦ୍‌ଭାବନାର ସମାଗମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ର ପ୍ରଥମ ‘ମନ୍‌ କୀ ବାତ୍‌’ରେ ମହାକୁମ୍ଭକୁ ଏକତା, ସମାନତା ଓ ସଦ୍‌ଭାବନାର ଏକ ଅସାଧାରଣ ସମାଗମ ବୋଲି ବର୍ଣ୍ଣନା କରିଛନ୍ତି। ହଜାର ହଜାର ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାରେ କୌଣସି ସ୍ଥାନରେ ଭେଦଭାବ ଓ ଜାତିବାଦ ନାହିଁ ବୋଲି ସେ କହିଛନ୍ତି। ଏହା ଭାରତର ବିବିଧତା ମଧ୍ୟରେ ଏକତାର ପ୍ରତୀକ। ହଜାର ହଜାର ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାରେ କୌଣସି ସ୍ଥାନରେ ଭେଦଭାବ ଓ ଜାତିବାଦ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୨୦୨୫ର ପ୍ରଥମ ରେଡିଓ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମହାକୁମ୍ଭରେ ଯୁବବର୍ଗଙ୍କ ବଢୁଥିବା ଅଂଶଗ୍ରହଣ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଯେତେବେଳେ ଯୁବପିଢ଼ି ନିଜ ସଭ୍ୟତା ସହ ଗର୍ବର ସହ ଜଡ଼ିତ ହୁଅନ୍ତି, ସେତେବେଳେ ଆମ ସଭ୍ୟତାର ମୂଳ ସୁଦୃଢ଼ ହୋଇଥାଏ ଏବଂ ଏହାଦ୍ବାରା ସୁବର୍ଣ୍ଣ ଭବିଷ୍ୟତ ମଧ୍ୟ ସୁନିଶ୍ଚିତ ହୋଇଥାଏ। କୁମ୍ଭ, ପୁଷ୍କରମ୍ ଏବଂ ଗଙ୍ଗା ସାଗର ମେଳା ବିଷୟରେ ଉଲ୍ଲେଖ କରି ମୋଦୀ କହିଛନ୍ତି ଯେ ଏହି ପର୍ବଗୁଡ଼ିକ ସାମାଜିକ ଯୋଗାଯୋଗ, ସୌହାର୍ଦ୍ଦ୍ୟ ଏବଂ ଏକତାକୁ ପ୍ରୋତ୍ସାହିତ କରିଥାଏ। ଏହା ଭାରତର ଲୋକମାନଙ୍କୁ ପରମ୍ପରା ସହିତ ଯୋଡିଥାଏ। ଦେଶର କୋଣ ଅନୁକୋଣରୁ ଲୋକମାନେ କୁମ୍ଭକୁ ଆସନ୍ତି। କୁମ୍ଭରେ ଗରିବ ଓ ଧନୀ ସମସ୍ତେ ଏକ ହୋଇଯାଆନ୍ତି ଏବଂ ସମସ୍ତେ ସଙ୍ଗମସ୍ଥଳରେ ସ୍ନାନ କରିଥାନ୍ତି। ସେଥିପାଇଁ କୁମ୍ଭ ହେଉଛି ଏକତାର ମହାକୁମ୍ଭ। କୁମ୍ଭ ଆମକୁ ଏହା ମଧ୍ୟ ଦର୍ଶାଏ ଯେ ଆମ ପରମ୍ପରା କିପରି ସମଗ୍ର ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି। ସାମ୍ପ୍ରତିକ ସମୟରେ ମହାକାଶ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଆମ ଦେଶ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ନୂତନ ମାନଦଣ୍ଡ ସ୍ଥାପିତ କରୁଛି।

ଭାରତୀୟ ଗଣତନ୍ତ୍ରର ୭୫ତମ ବାର୍ଷିକୀ ପାଇଁ ଏଥର ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି। ଚଳିତ ବର୍ଷ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୂରଣ ହେଉଛି। ଆମର ପବିତ୍ର ସମ୍ବିଧାନ ଦେଇଥିବା ସମ୍ବିଧାନ ସଭାର ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ମୁଁ ପ୍ରଣାମ କରୁଛି। ସମ୍ବିଧାନ ସଭାରେ ବିତର୍କ ସମୟରେ ବାବାସାହେବ ଭୀମରାଓ ଆମ୍ବେଦକର, ରାଜେନ୍ଦ୍ର ପ୍ରସାଦ ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅଭିଭାଷଣର ଅଡିଓ କ୍ଲିପ୍‌ର କିଛି ଅଂଶ ମଧ୍ୟ ପ୍ରଧାନମନ୍ତ୍ରୀ ପାଠ କରିଥିଲେ। ଜାନୁଆରି ୨୫ରେ ପାଳନ କରାଯାଉଥିବା ଜାତୀୟ ଭୋଟର ଦିବସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦିନ ଭାରତର ନିର୍ବାଚନ ଆୟୋଗ ପ୍ରତିଷ୍ଠା କରାଯାଇଥିଲା। ସେ କହିଛନ୍ତି ଯେ ସମ୍ବିଧାନ ନିର୍ମାତାମାନେ ସମ୍ବିଧାନରେ ଆମ ନିର୍ବାଚନ ଆୟୋଗ ଏବଂ ଗଣତନ୍ତ୍ରରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବହୁତ ବଡ଼ ସ୍ଥାନ ଦେଇଛନ୍ତି। ନିର୍ବାଚନ ଆୟୋଗ ଆମ ମତଦାନ ପ୍ରକ୍ରିୟାକୁ ନିରନ୍ତର ଆଧୁନିକୀକରଣ ଏବଂ ସୁଦୃଢ଼ କରୁଥିବାରୁ ପ୍ରଧାନମନ୍ତ୍ରୀ ଆୟୋଗକୁ କୃତଜ୍ଞତା ଜଣାଇଛନ୍ତି। ଗଣତନ୍ତ୍ରର ଶକ୍ତିକୁ ଅଧିକ ସଶକ୍ତ କରିବା ପାଇଁ ନିର୍ବାଚନ କମିସନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button