IBN ଓଡ଼ିଶା ବ୍ୟୁରୋ

ଆର୍‌ଜି କର ଦୁଷ୍କର୍ମ-ହତ୍ୟା ମାମଲା: ବଞ୍ଚିଥିବା ଯାଏଁ ଜେଲ୍‌

କୋଲକାତା: ଗତବର୍ଷ କୋଲକାତାର ଆର୍‌ଜି କର ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଅଦାଲତ ଆଜି ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟକୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଶନିବାର ସିବିଆଇ ଅଦାଲତ ପୁଲିସ ବିଭାଗର ନାଗରିକ ସ୍ୱେଚ୍ଛାସେବୀ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସିଆଲଦା କୋର୍ଟର ବିଚାରପତି ଅନିର୍ବାଣ ଦାସ ଏହି ରାୟ ଶୁଣାଇଛନ୍ତି। ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଚାରପତି କହିଛନ୍ତି। କିନ୍ତୁ ପୀଡ଼ିତାଙ୍କ ପରିବାର କ୍ଷତିପୂରଣ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।
ଶୁଣାଣି ସମୟରେ ବିଚାରପତି ଦଣ୍ଡ ଉପରେ ତାଙ୍କର କିଛି କହିବାର ଅଛି କି ବୋଲି ପଚାରିବା ପରେ ସଞ୍ଜୟ ରାୟ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା। ସେ କହିଥିଲା, ବିନା କାରଣରେ ମୋତେ ଫସାଇ ଦିଆଯାଇଛି। ‘ମୁଁ ପୂର୍ବରୁ କହିଥିଲି ଯେ ମୁଁ ସର୍ବଦା ରୁଦ୍ରାକ୍ଷ ମାଳା ପିନ୍ଧିଥାଏ। ଯଦି ମୁଁ ଅପରାଧ କରିଥାନ୍ତି, ତେବେ ଅପରାଧ ସ୍ଥଳରେ ଏହା ଭାଙ୍ଗି ଯାଇଥାନ୍ତା। ସେମାନେ ମୋତେ ଅନେକ କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ମୋତେ କହିବାର ସୁଯୋଗ ଦିଆଯାଇ ନ ଥିଲା’ ବୋଲି ସଞ୍ଜୟ ରାୟ କୋର୍ଟରେ କହିଛି।

ଫାଶୀଦଣ୍ଡ ଦେବାକୁ ମନାକଲେ ଅଦାଲତ
‘ବିରଳତମ ମାମଲା ନୁହେଁ’

ସିବିଆଇ ଓକିଲ ଏହାକୁ ବିରଳତମ ମାମଲା ବୋଲି କହି ରାୟଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଥିଲେ। ସେ କହିଥିଲେ, ପୀଡ଼ିତା ଜଣେ ମେଧାବୀ ଛାତ୍ରୀ ଏବଂ ସମାଜ ପାଇଁ ଏକ ସମ୍ପତ୍ତି ଥିଲେ। ଏହି ଘଟଣା ସମଗ୍ର ସମ୍ପ୍ରଦାୟକୁ ସ୍ତବ୍ଧ କରିଦେଇଛି। ବାପାମା’ ଝିଅକୁ ହରାଇଛନ୍ତି। ଯଦି ଡାକ୍ତର ବି ସୁରକ୍ଷିତ ନୁହନ୍ତି, ତେବେ ସମାଜ କିପରି ସୁରକ୍ଷିତ ରହିପାରିବ? କେବଳ ମୃତ୍ୟୁଦଣ୍ଡ ହିଁ ନ୍ୟାୟ ବ୍ୟବସ୍ଥା ଉପରେ ସମାଜର ବିଶ୍ୱାସ ଫେରାଇ ଆଣିପାରିବ ବୋଲି ସିବିଆଇ ଓକିଲ କହିଥିଲେ। ତେବେ ବିଚାରପତି କହିଥିଲେ ଯେ ଏହି ମାମଲା ବିରଳରୁ ବିରଳତମ ନୁହେଁ। ସିବିଆଇ କୋର୍ଟ ସଞ୍ଜୟ ରାୟଙ୍କୁ ଧାରା ୬୪ (ଦୁଷ୍କର୍ମ), ଧାରା ୬୬ (ମୃତ୍ୟୁ ପାଇଁ ଦଣ୍ଡ) ଏବଂ ଧାରା ୧୦୩ (ହତ୍ୟା) ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୯, ୨୦୨୪ ସକାଳେ ଡାକ୍ତରଖାନାର ସେମିନାର ହଲ୍‌ରୁ ମହିଳା ସ୍ନାତକୋତ୍ତର ଡାକ୍ତରଙ୍କ ମୃତଦେହ ମିଳିଥିଲା। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ପରଦିନ ନାଗରିକ ସ୍ୱେଚ୍ଛାସେବୀ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଥିଲା। ପୀଡ଼ିତାଙ୍କ ମୃତଦେହ ନିକଟରୁ ମିଳିଥିବା ବ୍ଲୁଟୁଥ୍ ଇୟରଫୋନ୍ ଜରିଆରେ କୋଲକାତା ପୁଲିସ ସଞ୍ଜୟ ରାୟଙ୍କୁ ଚିହ୍ନଟ କରିଥିଲା। ସିସିଟିଭି ଫୁଟେଜରେ ରାୟ ବେକରେ ବ୍ଲୁଟୁଥ୍ ପକାଇ ସେମିନାର ହଲ ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button