ରାଜନୀତି

ଖଣିଜ ବିକାଶର ନେତୃତ୍ବ ନେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/କୋଣାର୍କ/ରାମଚଣ୍ଡୀ: ଭାରତରେ ଖଣିଜ ବିକାଶର ନେତୃତ୍ବ ନେବ ଓଡ଼ିଶା। ଏଥିସହିତ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥର କେନ୍ଦ୍ର ପାଲଟିବ ଭାରତ। ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ର ଖଣି ମନ୍ତ୍ରାଳୟ ପକ୍ଷରୁ କୋଣାର୍କ ରାମଚଣ୍ଡୀ ସ୍ଥିତ ଇକୋ ରିଟ୍ରିଟ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଦେଶର ଖଣିମନ୍ତ୍ରୀମାନଙ୍କ ଦୁଇଦିନିଆ ସମ୍ମିଳନୀ‌ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ଖଣିମନ୍ତ୍ରୀ ଜି କିଶନ ରେଡ୍ଡି ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି। ଖଣିମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣ ଅବସରରେ ଆଜି ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ନିଲାମର ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ୮ ରାଜ୍ୟର ୧୫ ଖଣିଜ ବ୍ଲକ୍‌ ନିଲାମ ହେବ।

କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିର ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଦେଶର ୩ଟି ରାଜ୍ୟ ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଦେଶର ଦୁଇ ତୃତୀୟାଂଶ ଖଣିଜ ସାମଗ୍ରୀ ଯୋଗାଇ ଦେଇ ଆସୁଛନ୍ତି। ଏସବୁ ରାଜ୍ୟ ଦେଶର ପୂର୍ବଭାଗରେ ଅବସ୍ଥିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋଦୟ ଉପରେ ପ୍ରାଧାନ୍ୟ ଦେଉଛନ୍ତି। ପୂର୍ବ ଭାରତର ବିକାଶ କରି ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅଭିଳାଷ ରଖିଛନ୍ତି। ଓଡ଼ିଶା ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତେବେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମକୁ ମନେ ରଖିବାକୁ ହେବ ପ୍ରାକୃତିକ ସଂପଦ, ବିଶେଷକରି ଖଣିଜ ସାମଗ୍ରୀଗୁଡ଼ିକ ଅସରନ୍ତି ନୁହେଁ। ତେଣୁ ପରିବେଶକୁ କ୍ଷତି ନପହଞ୍ଚାଇ ଏହାକୁ କିଭଳି ଦୀର୍ଘକାଳ ପାଇଁ ବ୍ୟବହାର କରାଯାଇ ପାରିବ ତାହାର ପନ୍ଥା ଆମକୁ ଏଭଳି ସମ୍ମିଳନୀରେ ବାହାର କରିବାକୁ ହେବ।

କୋଣାର୍କରେ ଖଣିମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥର କେନ୍ଦ୍ର ପାଲଟିବ ଭାରତ: କେନ୍ଦ୍ର ଖଣିମନ୍ତ୍ରୀ
ନିଲାମର ପଞ୍ଚମ ପର୍ଯ୍ୟାୟ ଆରମ୍ଭ

ଓଡ଼ିଶାରେ ୩ ଡଜନରୁ ଅଧିକ ଇସ୍ପାତ କାରଖାନା ରହିଛି। ଏଥିପାଇଁ ଓଡ଼ିଶାକୁ ଦେଶର ଇସ୍ପାତ ରାଜଧାନୀ କୁହାଯାଉଛି। ଦେଶର ମୋଟ ଇସ୍ପାତ ଉତ୍ପାଦନର ୨୫ ପ୍ରତିଶତ ଓଡ଼ିଶାରେ ହେଉଛି। ରାଜ୍ୟର ଶିଳ୍ପାୟନକୁ ଆଗକୁ ନେବାପାଇଁ ଅନେକ ନିବେଶ ଅଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ୭ ମାସ ତଳେ ଆମ ସରକାର କ୍ଷମତାକୁ ଆସିବା ପରଠାରୁ ଶିଳ୍ପ ଅନୁକୂଳ ନୀତି କାର୍ଯ୍ୟକାରୀ କରାଯାଇଛି। ୮ଟି କମ୍ପାନି ସହିତ ଆମେ ଏମଓୟୁ ସ୍ବାକ୍ଷର କରିଛୁ। କେନ୍ଦ୍ର ଖଣିମନ୍ତ୍ରୀ ଶ୍ରୀ ରେଡ୍ଡି ତାଙ୍କ ଭାଷଣରେ ଆତ୍ମନିର୍ଭର ଭାରତ ଗଠନରେ ଖଣି କ୍ଷେତ୍ରରେ ହେଉଥିବା ରୂପାନ୍ତର ସଂପର୍କରେ ଆଲୋକପାତ କରିଥିଲେ। ଭାରତ ବିଶ୍ବର ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀର କେନ୍ଦ୍ର ପାଲଟିବ। ସମୁଦ୍ରରେ ଖଣି ନିଲାମ କ୍ଷେତ୍ରରେ ଆମେ ଅଗ୍ରଣୀ ଭୂମିକା ଗ୍ରହଣ କରିଛୁ। ଏହା ଆମକୁ ଆତ୍ମ ନିର୍ଭର କରିବା ସହିତ ଆମଦାନି ଉପରେ ନିର୍ଭରଶୀଳତାକୁ କମାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଖଣି ମନ୍ତ୍ରୀ ମାଇନିଂ ଟେ‌ନମେଣ୍ଟ୍ ସିଷ୍ଟମ (ଏମ୍‌ଟିଏସ୍‌) ଉନ୍ମୋଚନ କରିଥିଲେ। ଗୁରୁତ୍ବପୂର୍ଣ୍ଣ ଖଣିଜ ବ୍ଲକ ନିଲାମର ପଞ୍ଚମ ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଛି।

ଏଥିରେ ୮ଟି ରାଜ୍ୟର ୧୫ଟି ଗ୍ରାଫାଇଟ, ଟଙ୍ଗଷ୍ଟନ, ରେୟାର ଆର୍ଥ ‌ଏଲିମେଣ୍ଟସ ଏବଂ ନିକେଲ ଆଦି ଖଣି ରହିଛି। ଗତ ଦଶନ୍ଧିରେ ଖଣି କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଅଗ୍ରଗତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ଅବସରରେ କେନ୍ଦ୍ର ଖଣି ସଚିବ ଭିଏଲ୍‌ କାନ୍ତା ରାଓ ସୂଚନା ଦେଇଥିଲେ। ଦେଶରେ ୭୫ ପ୍ରତିଶତ ଖଣି ବ୍ଲକର ନିଲାମ ଗତ ୪ ବର୍ଷ ମଧ୍ୟରେ ହୋଇଛି। ଗତ ଦଶନ୍ଧିରେ ଖଣି ରାଜସ୍ବରେ ଓଡ଼ିଶାର ଯୋଗଦାନ ୧.୩୩ ଲକ୍ଷ କୋଟି ଟଙ୍କା ରହିଛି ବୋଲି ସେ କହିଥିଲେ। ଏହି ସମ୍ମିଳନୀରେ ଓଡ଼ିଶାର ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମେତ ୧୪ ରାଜ୍ୟର ଖଣି ମନ୍ତ୍ରୀ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, କେନ୍ଦ୍ର ଖଣି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଉଦ୍ୟୋଗୀ ଓ ଅନ୍ୟମାନେ ଯୋଗଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button