ବେଦାନ୍ତ ବିରୋଧରେ ବି ସଙ୍ଗିନ ଅଭିଯୋଗ – Ibnodisha

[ad_1]
ପରିବେଶ ନିୟମ ଦୁର୍ବଳ କରିବାକୁ ଉଦ୍ୟମ କରିଥିଲା ବେଦାନ୍ତ: ଓସିସିଆର୍ପି

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନିଙ୍କ ଆଦାନି ଗ୍ରୁପ୍ରେ ହୋଇଥିବା ସେୟାର ହେରଫେର ବିଷୟରେ ଜଣାଇଥିବା ଜର୍ଜ ସୋରୋସଙ୍କ ସଂସ୍ଥା ଅର୍ଗାନାଇଜଡ୍ କ୍ରାଇମ୍ ଆଣ୍ଡ୍ କରପ୍ସନ ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିଆର୍ପି) ବେଦାନ୍ତ ବିରୋଧରେ ମଧ୍ୟ ସଙ୍ଗିନ ଅଭିଯୋଗ ଆଣିଛି। କୋଭିଡ୍-୧୯ ମହାମାରୀ ସମୟରେ ପରିବେଶ ନିୟମକୁ ଦୁର୍ବଳ କରିବା ଲାଗି ସରକାରଙ୍କ ନିକଟରେ କଂପାନି ଲବି କରୁଥିଲା ବୋଲି କଂପାନି ବିରୋଧରେ ଅଭିଯୋଗ ହୋଇଛି। ଆଜି ଏ ସମ୍ପର୍କିତ ରିପୋର୍ଟକୁ ଓସିସିଆରପି ପ୍ରକାଶ କରିଛି।
ଓସିସିଆର୍ପି ଅଭିଯୋଗ କରାଯାଇଛି ଯେ ପୂର୍ବତନ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡ଼େକରଙ୍କୁ ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଥିଲେ ଯେ ବିନା ପରିବେଶ ମଞ୍ଜୁରିରେ ୫୦ ପ୍ରତିଶତ ଉତ୍ପାଦନ ଲାଗି ଖଣି କଂପାନିଗୁଡ଼ିକୁ ସରକାର ଅନୁମତି ଦେବା ଉଚିତ। ଏହାଦ୍ବାରା ଦେଶର ଅର୍ଥନୈତିକ ସୁଧାର ଗତି ତ୍ବରାନ୍ବିତ ହୋଇପାରିବ। ତା’ ସହିତ ରାଜସ୍ବ ବଢ଼ିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀଙ୍କୁ ବୁଝାଇବାକୁ ଶ୍ରୀ ଅଗ୍ରୱାଲ୍ ଉଦ୍ୟମ କରିଥିଲେ। ଏହାପରେ ଜାବଡ଼େକର ତୁରନ୍ତ ପଦକ୍ଷେପ ଗ୍ରହଣ କରି ନିଜ ମନ୍ତ୍ରଣାଳୟର ସଚିବ ଓ ମହାନିର୍ଦ୍ଦେଶକଙ୍କୁ ଏକ ଜରୁରୀକାଳୀନ ପତ୍ର ଲେଖି ଏହି ପ୍ରସଙ୍କ ଉପରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବହୁ ବୈଠକରେ ଆଲୋଚନା କରିବା ପରେ ଭାରତ ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ଆରମ୍ଭ ବେଳକୁ ଜନ ଶୁଣାଣିର ଆବଶ୍ୟକତା ବିନା ୫୦ ପ୍ରତିଶତ ପର୍ଯ୍ୟନ୍ତ ଉତ୍ପାଦନ ପାଇଁ ଖଣି କଂପାନିଗୁଡ଼ିକୁ ମଞ୍ଜୁରି ଦେବା ଲାଗି ନିୟମକୁ କୋହଳ କରିଥିଲେ। ଜନ ଶୁଶାଣିକୁ ଶେଷ କରିବା ଲାଗି ଲବିରେ ବେଦାନ୍ତ ସଫଳ ହୋଇଥିଲା ବୋଲି ଓସିସିଆର୍ପି ଏହାର ରିପୋର୍ଟରେ ଜଣାଇଛି।
ଓସିସିଆର୍ପି ଏହାର ରିପୋର୍ଟରେ ଅଭିଯୋଗ କରିଛି ଯେ ୨୦୧୪ରେ ବିଜେପି ନେତୃତ୍ବାଧୀନ ସରକାର ଆସିବା ପରେ ପରିବେଶବିତମାନଙ୍କୁ ଚୁପ୍ କରିବାକୁ ଉଦ୍ୟମ କରାଯାଇଥିଲା। କରୋନା ମହାମାରୀ ପରେ ସେମାନଙ୍କୁ ଧମକ ଦେବା ଓ ତାଙ୍କ ଉପରେ ନଜର ରଖିବା କାର୍ଯ୍ୟକଳାପକୁ ସରକାର ବଢ଼ାଇଦେଇଥିଲେ। ଓସିସିଆର୍ପି ଅଭିଯୋଗ କରିଛି ଯେ ଗତ କିଛି ବର୍ଷ ଭିତରେ ପରିବେଶ ନିୟମକୁ କୋହଳ କରିବା ଦ୍ବାରା କେତେକ କର୍ପୋରେଟ୍ ସଂସ୍ଥା ବଡ଼ ଧରଣର ଲାଭବାନ ହୋଇଛନ୍ତି। ଗତକାଲି ଶିଳ୍ପପତି ଗୌତମ ଆଦାନିଙ୍କ ଆଦାନି ଗ୍ରୁପ୍ ବିରୋଧରେ ଓସିସିଆର୍ପି ପକ୍ଷରୁ ଗମ୍ଭୀର ଅଭିଯୋଗ କରାଯାଇଥିଲା। ରହସ୍ୟମୟ ବିଦେଶୀ ପାଣ୍ଠି ଜରିଆରେ ଆଦାନି ଗ୍ରୁପ୍ ବଜାରରୁ ନିଜ କଂପାନିର ସେୟାର କିଣୁଥିଲା ବୋଲି ଓସିସିଆର୍ପି ଅଭିଯୋଗ କରିଥିଲା। ସେହି ଅଭିଯୋଗକୁ ଆଦାନି ଗ୍ରୁପ୍ ପକ୍ଷରୁ ଖଣ୍ଡନ କରାଯାଇଥିଲା। ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଅଭିଯୋଗର ତାହା ନକଲ ଓ ଆମକୁ ବଦନାମ କରିବା ଲାଗି ଏହା ଏକ ପ୍ରୟାସ ବୋଲି ଆଦାନି ଗ୍ରୁପ୍ ପକ୍ଷରୁ କୁହାଯାଇଥିଲା।
[ad_2]




