ରାଜ୍ୟ

ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ : ହଟିଲା ରାଜ୍ୟ ସରକାରଙ୍କ ବାଧା

ଭୁବନେଶ୍ୱର: ଭୁବନେଶ୍ବର ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ଆଉ ପାଦେ ଆଗେଇଛି। ଷ୍ଟେସନର ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ଏଲିଭେଟେଡ୍‌ ଡ୍ରାଇଭ୍‌ ୱେ ଏବଂ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ନିର୍ମାଣ କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଦ୍ୱାରା ଆବଣ୍ଟିତ ଜମିରେ ଏଲିଭେଟେଡ୍ ଆପ୍ରୋଚ୍‌ ଓ ପ୍ରସ୍ଥାନ ରାସ୍ତା ନିର୍ମାଣ ପାଇଁ ଅନୁମତି ମିଳିଛି। ଏହି ପଦକ୍ଷେପ ପୂର୍ବତଟ ରେଳପଥ ଓ ବିଡିଏ ମଧ୍ୟରେ ସହଯୋଗ ଯୋଜନାକୁ ଧ୍ୟାନରେ ରଖି ପୁନର୍ବିକାଶ ପ୍ରକଳ୍ପ ସୁରୁଖୁରୁରେ ଆଗକୁ ବଢ଼ିବାକୁ ସୁନିଶ୍ଚିତ କରୁଛି। ଷ୍ଟେସନ ପୁନର୍ବିକାଶର ଏକ ଅଂଶ ଭାବେ ଏହା ପରିସରରେ ପାର୍କିଂ କ୍ଷେତ୍ର ଓ ବାଣିଜ୍ୟିକ ସ୍ଥାନଗୁଡ଼ିକର ବିକାଶ ବିଡିଏ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ନିର୍ମାଣ ହେବ। ସେମାନଙ୍କୁ ଦିଆଯାଇଥିବା ଜମିରେ ବାଣିଜ୍ୟିକ କ୍ଷେତ୍ର ବିକାଶ କରିବାକୁ ବିଡିଏ ଯୋଜନା କରୁଛି। ଏହାଦ୍ବାରା ରେଳ ଷ୍ଟେସନ ଓ ବିଡିଏ ଉଭୟଙ୍କ ସ୍ୱାର୍ଥ ସମାନ ହେବ ଏବଂ ଭବିଷ୍ୟତ ପାଇଁ ଏକ ଆଧୁନିକ, ସ୍ପନ୍ଦନଶୀଳ ଷ୍ଟେସନ କମ୍ପ୍ଲେକ୍ସ ସୃଷ୍ଟି କରିବ। ଏଲିଭେଟେଡ୍ ଡ୍ରାଇଭ ୱେ’ର ଭିତ୍ତିଭୂମି କାର୍ଯ୍ୟ ବିକାଶ ସହ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଯେଉଁଥିରେ ଷ୍ଟେସନର ନୂତନ ପ୍ରବେଶ ଓ ପ୍ରସ୍ଥାନ ପଥ, ଲିଫ୍ଟ, ସମସ୍ତ ପ୍ଲାଟଫର୍ମରେ ଏସ୍କାଲେଟର, ଏକ ଏୟାର-କନକୋର୍ସ ଅନ୍ତର୍ଭୁକ୍ତ ରହିଛି।

ଭାରତୀୟ ରେଳବାଇ ଏହି ପୁନଃବିକାଶ ପ୍ରକଳ୍ପରେ ୪୧୯ କୋଟି ନିବେଶ କରୁଛି। ଫଳରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ବିଶ୍ୱସ୍ତରୀୟ ମାନଦଣ୍ଡ ସହ ଆଧୁନିକ କୋଠା, ବିମାନବନ୍ଦର ଟର୍ମିନାଲ ଭଳି ଡିଜାଇନ୍‌ ହୋଇଥିବା ଯାତ୍ରୀ ଚଳପ୍ରଚଳ କ୍ଷେତ୍ର, ପୃଥକ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଏୟାର କନକୋର୍ସ, ଲିଫ୍ଟ, ଏସ୍କାଲେଟର, ବ୍ୟାଗେଜ ସୁରକ୍ଷା ଯାଞ୍ଚ କ୍ଷେତ୍ର, ସୂଚନା କେନ୍ଦ୍ର, ଫୁଡ୍‌ ପ୍ଲାଜା, ପ୍ରତୀକ୍ଷା ଅଞ୍ଚଳ ଓ ଅନ୍ୟାନ୍ୟ ସୁବିଧା ରହିବ। ଏହି ଷ୍ଟେସନର ପୁନର୍ବିକାଶ ଭାରତୀୟ ରେଳବାଇ ଅମୃତ ଷ୍ଟେସନ ଯୋଜନାର ଏକ ପ୍ରୟାସ, ଯାହାକି ଯାତ୍ରୀଙ୍କ ଅଭିଜ୍ଞତାକୁ ପୂରଣ କରୁଥିବା ଏକ ସୁଗମ, ବିଶ୍ୱସ୍ତରୀୟ ଯାତ୍ରା ଅଭିଜ୍ଞତା ବିକଶିତ କରିବ।

ସୂଚନାଯୋଗ୍ୟ ଯେ ପାଖାପାଖି ୯ ଏକର ପରିମିତ ଜମିରେ ଷ୍ଟେସନ୍‌ ପ୍ରବେଶ ପଥକୁ ଯିବାକୁ ଥିବା ରାସ୍ତା ନିର୍ମାଣ କରାଯିବା ସହ ସୌନ୍ଦର୍ଯୀକରଣ କରାଯିବ। ଏଥିସହ ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ଏକ ମଲ୍ଟିମୋଡାଲ ହବ୍ (ବହୁମୁଖୀ ପରିବହନ କେନ୍ଦ୍ର)ରେ ପରିଣତ କରିବାକୁ ନକ୍ସା ପ୍ରସ୍ତୁତ ହୋଇଛି। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଷ୍ଟେସନ୍‌କୁ ଯିବା, ମେଟ୍ରୋ ଷ୍ଟେସନ୍‌ ଓ ସଡ଼କ ପଥ ସହ ଯୋଡ଼ି ହେବା କିଭଳି ଠିକ୍‌ ଭାବେ ହୋଇପାରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଷ୍ଟେସନ୍‌ର ସମ୍ମୁଖ ଭାଗରେ ବ୍ୟାପକ ବୃକ୍ଷରୋପଣ କରାଯାଇ ସବୁଜିମାମୟ କରାଯିବ। କାର୍‌, ବାଇକ୍‌ ପାର୍କିଂ ପାଇଁ ବ୍ୟବସ୍ଥା ହେବ। ବିସ୍ତିର୍ଣ୍ଣ ଖାଲି ଅଞ୍ଚଳ ସହ ବିଭିନ୍ନ ଡିଜାଇନ୍‌ କରାଯିବ। ଏବେ ସୁଦ୍ଧା ମୁଖ୍ୟ ପ୍ରବେଶ ପଥରେ ଥିବା କୋଠାର ତଳ ମହଲା ସହ ୪ ମହଲା ଏବଂ କଟକ ରୋଡ୍‌ ପାର୍ଶ୍ବର ତଳ ମହଲା ସହ ଦୁଇ ମହଲା ବିଲ୍‌ଡିଂ କାର୍ଯ୍ୟ ଶେଷ ହୋଇଛି। ଆଭ୍ୟନ୍ତରୀଣ କାର୍ଯ୍ୟ ଜାରି ରହିଛି। ଉଭୟ ପାର୍ଶ୍ବର ପ୍ଲାଟ୍‌ଫର୍ମ ଛାତ କାମ ଶେଷ ହେବା, ସମନ୍ବିତ ଯାତ୍ରୀ ପରିଚାଳନା ବ୍ୟବସ୍ଥା, ଫୁଟ୍‌ଓଭର ବ୍ରିଜ୍‌ (ଏଫ୍‌ଓବି)ର ପାଖାପାଖି ଅଧାଭାଗ କାର୍ଯ୍ୟ ଶେଷ ହୋଇଛି। ଚଳିତବର୍ଷ ପ୍ରଥମାର୍ଦ୍ଧରେ ଷ୍ଟେସନ୍‌ର ଏକ ନମ୍ବର ପ୍ଲାଟଫର୍ମ ପାର୍ଶ୍ବ କାର୍ଯ୍ୟ ଶେଷ କରି ପ୍ରଥମ ପର୍ଯ୍ୟାୟରେ ଉଦ୍‌ଘାଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button